ସେଲର ମୁଖ୍ୟ ସତର୍କତା ଅଧିକାରୀଙ୍କ ରାଉରକେଲା ଇସ୍ପାତ କାରଖାନା ପରିଦର୍ଶନ

1 min read
Spread the love

ସେଲ୍ ର  ମୁଖ୍ୟ ସତର୍କତା ଅଧିକାରୀ ଭିନୀତ ପାଣ୍ଡେ, କର୍ପୋରେଟ ଅଫିସ ସତର୍କତା ବିଭାଗର ନିର୍ବାହୀ ନିର୍ଦ୍ଦେଶକ ସଞ୍ଜୟ ଶର୍ମା ଏବଂ କର୍ପୋରେଟ ଅଫିସ ସତର୍କତା ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଅଭୟ କେ ପାଣ୍ଡେଙ୍କ ଗହଣରେ ରାଉରକେଲା ଇସ୍ପାତ କାରଖାନା ପରିଦର୍ଶନ କରିଥିଲେ। ସେଲର ବିଭିନ୍ନ ୟୁନିଟର ସତର୍କତା ଅଧିକାରୀ ଯୋଗଦେଉଥିବା ୧୧୬ତମ ଏସିଭିଓ ସମ୍ମିଳନୀରେ ଅଂଶଗ୍ରହଣ ନିମନ୍ତେ ସିଭିଓ ରାଉରକେଲା ଗସ୍ତରେ ଆସିଛନ୍ତି। ସିଭିଓଙ୍କ କାରଖାନା ପରିଦର୍ଶନ ଏଚଆରଡ଼ି କେନ୍ଦ୍ରରେ ମଡେଲ୍ ରୁମ୍ ରୁ ଆରମ୍ଭ ହୋଇଥିଲା, ଯେଉଁଠାରେ ଭ୍ରମଣକାରୀ ମାନ୍ୟଗଣଙ୍କୁ ଆରଏସପିର ଲେଆଉଟ୍ ଡିଜାଇନ୍ ବିଷୟରେ ଅବଗତ କରାଯାଇଥିଲା। ଏହି ଅବସରରେ ସୁରକ୍ଷା ଉପରେ ଆଧାରିତ ଏକ କ୍ଷୁଦ୍ର ଭିଡିଓ ପ୍ରଦର୍ଶିତ ହୋଇଥିଲା। ଏହା ପରେ ସେ କଞ୍ଚାମାଲ ପ୍ରବନ୍ଧନ ବିଭାଗ, ବ୍ଲାଷ୍ଟ ଫର୍ଣ୍ଣେସ୍-୫, ହଟ୍ ଷ୍ଟ୍ରିପ୍ ମିଲ୍ – ୨ ଏବଂ ନୂତନ ପ୍ଲେଟ୍ ମିଲ୍ ପରିଦର୍ଶନରେ ଯାଇଥିଲେ। ଏହି ଗସ୍ତରେ ମାନ୍ୟଗଣ୍ୟ ଅତିଥିଙ୍କ ସହ ଆରଏସପି ସେବା ବିଭାଗର ସିଜିଏମ୍ ଇନଚାର୍ଜ ଦେବବ୍ରତ ଦତ୍ତ  ଉପସ୍ଥିତ ଥିଲେ। ସଂପୃକ୍ତ ବିଭାଗର ବିଭାଗ ମୁଖ୍ୟ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ସେମାନଙ୍କୁ  ପ୍ରତ୍ୟେକ ୟୁନିଟରେ ସ୍ଵାଗତ କରିବା ସହ ବିଭାଗଗୁଡିକର ଉତ୍ପାଦନ ଏବଂ କାର୍ଯ୍ୟଦକ୍ଷତା ସ୍ଥିତି ବିଷୟରେ ଅବଗତ କରାଇଥିଲେ। ଏହା ପରେ ସିଭିଓ ମନ୍ଥନ ସମ୍ମିଳନୀ ହଲରେ ଆରଏସପିର ବରିଷ୍ଠ ଅଧିକାରୀଙ୍କ ସହ ଏକ ମତବିନିମୟ ଅଧିବେଶନରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଆର୍‌ଏସ୍‌ପି ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ଅଧ୍ୟକ୍ଷତା କରିଥିଲେ।

ଏଥିରେ ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପି କେ ସାହୁ, ସାମଗ୍ରୀ ପ୍ରବନ୍ଧନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ସୋମନାଥ ତ୍ରିପାଠୀ, ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ବି କେ ହୋତା, ଖଣି ବିଭାଗର ସିଜିଏମ୍ ଇନଚାର୍ଜ ପି କେ ରଥ, ଅର୍ଥ ବିଭାଗର ସିଜିଏମ ଇନ ଚାର୍ଜ,  ଏ କେ ବେହୁରିଆ ଏବଂ କାରଖାନାର ସମସ୍ତ ସିଜିଏମ ଉପସ୍ଥିତ ଥିଲେ। ଭାବ ବିନିମୟ ଅବସରରେ ଭିନୀତ ପାଣ୍ଡେ ପ୍ରତିଷେଧମୂଳକ ସତର୍କତା ଉପରେ ଗୁରୁତ୍ଵାରୋପ କରିଥିଲେ ଯାହା ଦ୍ଵାରା ଅଜ୍ଞତା ହେତୁ ଅଧିକାଂଶ ସମୟରେ ଘଟୁଥିବା ତ୍ରୁଟିକୁ ଦୂର କରା ଯାଇପାରିବ। ସେ ମଧ୍ୟ ସିଜିଏମମାନଙ୍କ ସହିତ ଭାବବିନିମୟ କରିବା ସହିତ ସେମାନଙ୍କ ଦ୍ୱାରା ଉପସ୍ଥାପିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ଅବସରରେ ଶ୍ରୀ ଭୌମିକ କହିଥିଲେ ଯେ, ସେଲ ଏକ ମହାରତ୍ନ କମ୍ପାନୀ ହୋଇଥିବାରୁ ଏହାର ସମସ୍ତ କାରବାରରେ ନୈତିକତା, ଅଖଣ୍ଡତା, ପାରଦର୍ଶିତା ଏବଂ ଯଥାର୍ଥତା ସୁନିଶ୍ଚିତ କରିବାକୁ ହେବ । ଏକ ସ୍ୱଚ୍ଛ ପ୍ରତିଛବି ସହ ଅଭିବୃଦ୍ଧି ହାସଲ ଆମର ମୂଳ ଲକ୍ଷ୍ୟ ଅଟେ ବୋଲି ଶ୍ରୀ ଭୌମିକ କହିଥିଲେ। ପ୍ରାରମ୍ଭରେ ଆରଏସପିର ସିଜିଏମ ତଥା ଏସିଭିଓ ମାନସ କୁମାର ଗୁପ୍ତା ସମାବେଶକୁ ସ୍ୱାଗତ କରିଥିଲେ। କର୍ପୋରେଟ ସତର୍କତା ବିଭାଗର ଏଜିଏମ୍  ମହେଶ ଅସନାନି କଣ୍ଟ୍ରାକ୍ଟ କାର୍ଯ୍ୟକାରୀତା ଉପରେ ବିଭିନ୍ନ କେସ ଷ୍ଟଡି ଉପସ୍ଥାପନା କରିଥିଲେ। ସତର୍କତା ବିଭାଗର ଡେପୁଟି ମ୍ୟାନେଜର ଏମ କେ ସିଂହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପରେ ଅପରାହ୍ନରେ ସିଭିଓ, ଭାରପ୍ରାପ୍ତ ନିର୍ଦ୍ଦେଶକଙ୍କ ସହ ରାଉରକେଲା ହାଉସ କନଫରେନ୍ସ ହଲରେ ଅନୁଷ୍ଠିତ ୧୧୬ତମ ଏସିଭିଓ ବୈଠକରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!