ରାଉରକେଲା ତହସିଲ କାର୍ଯ୍ୟାଳୟରେ ବ୍ୟାପକ ଅନିୟମିତତା ଅଭିଯୋଗକୁ ନେଇ ଓକିଲମାନଙ୍କ ଅସନ୍ତୋଷ

1 min read
Spread the love

ଗତ କିଛିମାସ ଧରି ରାଉରକେଲା ସହରରେ ରହିଥିବା ତହସିଲ କାର୍ଯ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା ଓ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଆସୁଛି। ବିଶେଷ କରି ଗତ ଦୁଇଦିନ ପୂର୍ବେ ହଠାତ୍‌ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଗତ କିଛିଦିନ ପୂର୍ବେ ଆବେଦନ କରାଯାଇଥିବା ବିଭିନ୍ନ ପ୍ରମାଣପତ୍ର ସମ୍ପର୍କୀତ ଶତାଧିକ ଆବେଦନକୁ ହଠାତ୍‌ ଖାରଜ କରିଦିଆଯାଇଥିବା ସୂଚନା ମିଳିଥିଲା। ଏହି ସୂଚନା ମିଳିବା ପରେ ରାଉରକେଲା ଓକିଲ ସଂଘର ସଭାପତି ପ୍ରଦୀପ କୁମାର ମିଶ୍ରଙ୍କ ନେତୃତ୍ୱରେ ଓକିଲମାନେ ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକଙ୍କ ସହିତ ଭେଟି ଆଲୋଚନା କରିଥିଲେ। ଆଲୋଚନା ସମୟରେ ଗୋଟିଏ ଦିନରେ ଶତାଧିକ ବିଭିନ୍ନ ପ୍ରକାରର ଆବେଦନକୁ କୌଣସି କାରଣ ନଦର୍ଶାଇ ନାକଚ କରାଯିବାକୁ ନେଇ ଆପତ୍ତି କରାଯାଇଥିଲା। ଏ ସମ୍ପର୍କରେ ଜାଣିବା ପରେ ତହସିଲଦାର ଶ୍ରୀ ମଲ୍ଲିକ ଆବଶ୍ୟକ ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି କହିଥିଲେ। ଏହାପରେ ଅନ୍ୟତମ ଯୁବ ଓକିଲ ତଥା ସଂଘର ପୂର୍ବତନ ସାଧାରଣ ସମ୍ପାଦକ ରାଜକିଶୋର ପ୍ରଧାନ ଓ କିଛି ଓକିଲ ମଧ୍ୟ ତହସିଲଦାରଙ୍କ ଭେଟି ଆଲୋଚନା କରିବା ସହ ତହସିଲ କାର୍ଯ୍ୟାଳୟର କିଛି ନିର୍ଦ୍ଦିଷ୍ଟ କର୍ମଚାରୀ ଓ ଅତିରିକ୍ତ ତହସିଲଦାରଙ୍କ ମନଇଚ୍ଛା କାର୍ଯ୍ୟ ସମ୍ପର୍କରେ ଅଭିଯୋଗ କରିଥିଲେ। ଏହି କ୍ରମରେ ଓକିଲ ସଂଘ ପକ୍ଷରୁ ଏକ ସ୍ମାରକପତ୍ର ତହସିଲଦାରଙ୍କୁ ଦିଆଯିବା ସହ ଉପରିସ୍ଥ ରାଜସ୍ୱ ଅଧିକାରୀଙ୍କୁ ପଠାଯାଇଛି। ଏ ନେଇ ତହସିଲଦାର ଶ୍ରୀ ମଲ୍ଲିକ ଆମ ପ୍ରତିନିଧିଙ୍କୁ କିଛି କହିବାକୁ ମନା କରିବା ସହ ଘଟଣା ସମ୍ପର୍କରେ ଅନୁଧ୍ୟାନ ଚାଲିଛି ବୋଲି କହିଛନ୍ତି। ଅନ୍ୟପଷରେ ଏହି ଘଟଣାର ମୁଖ୍ୟ ବୋଲି ଅଭିଯୋଗ ହେଉଥିବା ଅତିରିକ୍ତ ତହସିଲଦାର ଆଦ୍ୟାଶା ପ୍ରିୟଦର୍ଶିନି ବଳଙ୍କ ସହିତ ଆମେ ଫୋନ୍‌ ଯୋଗେ ଯୋଗାଯୋଗ କରିଥିଲୁ। ସେ ତାଙ୍କ ପ୍ରତିକ୍ରିୟାରେ ଆବେଦନ ପତ୍ରକୁ ଖାରଜ କରିବା ଘଟଣାକୁ ଉଚିତ ବୋଲି ଦର୍ଶାଇ କିଛି ଉଦାହରଣ ଦେଇଥିଲେ। ସେହିଭଳି ଓକିଲ ଶ୍ରୀ  ପ୍ରଧାନ ସମସ୍ତ ଘଟଣାରେ ତହସିଲ କାର୍ଯ୍ୟାଳୟର କିଛି କର୍ମଚାରୀ ଓ ଅଧିକାରୀଙ୍କ ମିଳିତ ମନ୍ଦ ଉଦ୍ଦେଶ୍ୟ ବୋଲି କହିଛନ୍ତି। ଆସନ୍ତା ଦିନରେ ଏହି ଘଟଣା କେଉଁ ଆଡ଼କୁ ଯାଉଛି ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *

error: Content is protected !!