ପ୍ଲାଣ୍ଟସାଇଟ୍ ପୋଲିସ୍ ଦ୍ବାରା ପ୍ରାୟ ୮ଲକ୍ଷ ଟଙ୍କାର ନକଲି ତେଲ ଜବତ : ଦୁଇ ଅଭିଯୁକ୍ତ ଗିରଫ
1 min read
ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ପୋଲିସ୍ ସହରର ଆନନ୍ଦ ମାର୍ଗ ଅଞ୍ଚଳ ଏ ବି ଲେନରୁ ବିପୁଳ ପରିମାଣର ନକଲି ଓ ଅପମିଶ୍ରିତ ମାଇକ୍ରୋ ବ୍ରାଣ୍ଡର ନିହାର ନଡ଼ିଆ ତେଲ ଏବଂ ବଜାଜ୍ ଏଲମଣ୍ଡ ଡ୍ରପସ୍ କେଶ ତୈଳ ଜବତ କରିଛି। ଏହା ସହିତ ଏହି ଅପମିଶ୍ରିତ କାର୍ଯ୍ୟ କରୁଥିବା ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ୍ କରିଛି। ଏ ନେଇ ପ୍ଲାଣ୍ଟସାଇଟ୍ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକ୍ରମ କେଶରୀ ଭୋଇ। ଅଭିଯୁକ୍ତ ୨ ଜଣ ହେଉଛନ୍ତି ମହମ୍ମଦ ଜାକିର୍ ହୁସେନ୍ ଓ ସୟଦ ଅଖତାର୍।

ସୂଚନା ମୁତାବକ ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ଏ ବି ଲେନ୍ ସ୍ଥିତ ଇସଲାମ୍ ନଗରର ମହମ୍ମଦ ଜାକିର୍ ହୁସେନ୍ ନିଜ ଘରେ ନକଲି ଓ ଅପମିଶ୍ରିତ କେଶ ତୈଳ ମାଇକ୍ରୋ ବ୍ରାଣ୍ଡର ନିହାର ନଡ଼ିଆ ତେଲ ଏବଂ ବଜାଜ୍ ଏଲମଣ୍ଡ ଡ୍ରପ୍ସ ତେଲ ଦୀର୍ଘ ୪ବର୍ଷ ଧରି ତିଆରି କରିଆସୁଥିଲା। ଏହି ଅପମିଶ୍ରଣ କାର୍ଯ୍ୟରେ ସୟଦ୍ ଅଖତାର ତାକୁ ସାହାଯ୍ୟ କରୁଥିଲା। ଏହି ନକଲି ଅପମିଶ୍ରିତ କେଶ ତୈଳକୁ ସହର ବାହାରେ ଓ ଫେରିବାଲାଙ୍କ ମାଧ୍ୟମରେ ବିକ୍ରୟ ପାଇଁ ପଠାଉଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭୋଇ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ପ୍ଲାଣ୍ଟସାଇଟ୍ ଥାନା ପୋଲିସ୍ ଖବରପାଇ ସଦଳବଳେ ଚଢାଉ କରିବା ସହିତ ବିପୁଳ ପରିମାଣର ନକଲି ନିହାର ନଡ଼ିଆ ତେଲ, ବଜାଜ୍ ଏଲମଣ୍ଡ ଡ୍ରପ୍ସ କେଶତୈଳ ସମେତ ଏହି ତେଳ ତିଆରି ପାଇଁ ବ୍ୟବହୃତ ଇମକୋ ଏରୋମେଟିକ୍ ଲିକୁଇଡ୍, ବିଭିନ୍ନ ସାଇଜ୍ର ପ୍ଲାଷ୍ଟିକ୍ ବୋତଲ, ଠିପି, ନକଲି ଲେବୁଲ୍ ଏବଂ ପ୍ୟାକିଙ୍ଗ ପାଇଁ ବ୍ୟବହାର କରାଯାଉଥିବା ମେସିନ୍ ଆଦି ଜବତ କରିଛି। ଗିରଫ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୪୨୦/୪୮୨/୪୮୩/୪୮୬/୪୭୧/୩୪ ଓ ୧୯୯୯ର ଟ୍ରେଡ଼ ମାର୍କ ଆଇନ ଅନୁସାରେ ୧୬୨ନଂ ଏକ ମାମଲା ରୁଜ୍ଜୁ କରାଯାଇ ଅନୁସନ୍ଧାନ ଜାରି ରହିଛି ବୋଲି ସୂଚନା ଦିଆଯାଇଛି।