ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ ପକ୍ଷରୁ ୩୪ତମ ସ୍ବନକ୍ଷତ୍ର ଅବସରରେ ‘ରାଉରକେଲା : କାଲି, ଆଜି ଓ ଆସନ୍ତାକାଲି’ ଶୀର୍ଷକ ଆଲୋଚନା ଚକ୍ର
1 min read
ଆଜିର ଲୋକପ୍ରତିନିଧି ଖବର କାଗଜକୁ ନିଜ ପକେଟ୍ରେ ରଖିବାକୁ ଚାହିଁଥାନ୍ତି। ଖବର କାଗଜରେ ଯେଭଳି ସେମାନଙ୍କର କୌଣସି ସମାଲୋଚନା ନ ହେଉ, ମାଟି ପଛରେ ପଡ଼ିଯାଉ ବରଂ ପାର୍ଟି ଆଗକୁ ଆସୁବୋଲି ଚିନ୍ତା କରିଥାନ୍ତି। ମାଟି ଅପେକ୍ଷା ପାର୍ଟିକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି। ମୋ’ର କିନ୍ତୁ ଭାବନା ଅଲଗା। ‘ସମ୍ବାଦ’କୁ ପାଠକବନ୍ଧୁ ସର୍ବାଧିକ ଭଲପାଇବା ଦେଇଛନ୍ତି। ପ୍ରତିବଦଳରେ ଆଜି ମୁଁ ପାଠକବନ୍ଧୁଙ୍କୁ ଏକ ଉପହାର ଦେବାକୁ ଚାହୁଁଛି। ଆଉ ସେହି ଉପହାର ହେଲା, ମୋ’ ପାଇଁ ସବୁବେଳେ ମାଟି ଆଗରେ। ଓଡ଼ିଶା ମାଟିର ସ୍ବାଭିମାନ ପାଇଁ ଯାହା କିଛି ବି ତ୍ୟାଗ କରିବାକୁ ହେବ, ସେଥିପାଇଁ ମୁଁ ପ୍ରସ୍ତୁତ; କିନ୍ତୁ ଖବରକାଗଜରେ କୌଣସି ସାଲିସ କରିବିନାହିଁ। ସ୍ଥାନୀୟ ସିଭିକ ସେଣ୍ଟର୍ରେ ‘ସମ୍ବାଦ’ର ୩୪ତମ ସ୍ବନକ୍ଷତ୍ର ଉତ୍ସବରେ ଅଧ୍ୟକ୍ଷତା ସମ୍ଭାଷଣରେ ‘ସମ୍ବାଦ’ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି। ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଅମଳରେ ରାଉରକେଲାରେ ଦେଶର ପ୍ରଥମ ଇସ୍ପାତ କାରଖାନା ସ୍ଥାପିତ ହୋଇଥିଲା। ଏହାପରେ ବିଜୁ ବାବୁ ରାଜ୍ୟରେ ଦ୍ବିତୀୟ ଇସ୍ପାତ କାରଖାନା କଥା କହୁଥିଲେ। ତାଙ୍କ ପରେ ଜାନକୀବଲ୍ଲଭ ପଟ୍ଟନାୟକ ୫ଟି ଇସ୍ପାତ କାରଖାନା କଥା କହୁଥିଲେ। କହିବାର ମାନେ ହେଲା, ଗୋଟିଏ ସମୟରେ ଇସ୍ପାତ କାରଖାନାକୁ ବିକାଶର ମାପଦଣ୍ଡଭାବେ ବିବେଚନା କରାଯାଉଥିଲା। ଉତ୍ପାଦନ କ୍ଷେତ୍ରରେ ଇସ୍ପାତର ଅଭିବୃଦ୍ଧି ଘଟିଛି। କିନ୍ତୁ ନିଯୁକ୍ତି ସୁଯୋଗ ସଙ୍କୁଚିତ ହୋଇଛି। ଇସ୍ପାତକୁ ନେଇ ଆନୁସଙ୍ଗିକ ଶିଳ୍ପର ସମ୍ଭାବନା ଓ ସୁଯୋଗ ତିଆରି ହୋଇପାରିନାହିଁ। ଆଜିକାଲି ତୁମଲୋକ, ଆମଲୋକ କହି ରାଜନୀତି ହେଉଛି। ଏଭଳି ଭାବନା ରଖି ଆବାସ ଗୃହ, ଅନ୍ତୋଦୟ କାର୍ଡକୁ କାଟି ଦିଆଯାଉଛି। ଏଭଳି ଚିନ୍ତାଧାରାରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ଏହି ସହର ହେଉଛି ଭାଇଚାରାର ସହର। ମୁଁ ଛୋଟ ଥିଲାବେଳେ ରାଉରକେଲାରେ ଦଙ୍ଗା ଘଟିଥିଲା। ସେତେବେଳେ ନୈଷ୍ଠିକ ହିନ୍ଦୁ ମହିଳା ହୋଇ ମୋ ମା’ ପଡ଼ୋଶୀ ମୁସଲିମ ମହିଳାଙ୍କୁ ରକ୍ଷା କରିଥିଲେ। ପିଲା ଦିନର ସେହି ଅନୁଭୂତି ମୋତେ ରାଉରକେଲା ସହରର ଭାଇଚାରା ଶିକ୍ଷା ଦେଇଥିଲା।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସ୍ତମ୍ଭକାର ଅଭିରାମ ବିଶ୍ବାଳ ଯୋଗଦେଇ ଯାହାର ଅତୀତ ଯେତିକି ଭଲ, ତା’ର ବର୍ତ୍ତମାନ ଓ ଭବିଷ୍ୟତ ମଧ୍ୟ ସେତିକି ଭଲରହିବ। ରାଉରକେଲା ଏକ ସମ୍ଭାବନାର ସହରଭାବେ ସାରା ଓଡ଼ିଶାକୁ ବାଟଦେଖାଇଛି ବୋଲି ଶ୍ରୀ ବିଶ୍ବାଳ କହିଥିଲେ। ଅନ୍ୟତମ ବକ୍ତା ସିଆଇଟିୟୁ ସର୍ବଭାରତୀୟ ଉପସଭାପତି ବିଷ୍ଣୁ ମହାନ୍ତି କହିଲେ, ଏକଦା ସଂହତି ଏକତା ଓ ଭଲପାଇବା ରାଉରକେଲାକୁ ରୁଦ୍ଧିମନ୍ତ କରିଥିଲା; ଯାହା ଏବେ ସମୟଚକ୍ରରେ କିଛି ମାତ୍ରାରେ ବାଟବଣା ହୋଇଛି। ଆମକୁ ପୁଣିଥରେ ତାକୁ ପୁଣିଥରେ ଫେରାଇଆଣିବାକୁ ହେବ। ପୂର୍ଣ୍ଣାଙ୍ଗ ବିମାନ ସେବା, ସୁପରସ୍ପେଶାଲିଟି ହସପିଟାଲ ଓ ତାଳଚେର-ବିମଳାଗଡ଼ ରେଳପଥ ରାଉରକେଲା ପାଇଁ ଏକ ବଡ଼ ଆହ୍ବାନ ବୋଲି ଶ୍ରୀ ମହାନ୍ତି କହିଥିଲେ। ରାଜଗାଙ୍ଗପୁର ବିଧାୟକ ଡା. ସି.ଏସ. ରାଜେନ ଏକ୍କା ଯେଉଁମାନେ ୪୦/୫୦ ବର୍ଷ ଧରି ରାଉରକେଲାରେ ରହିଥିଲେ, ବଢ଼ିଥିଲେ ମଧ୍ୟ, ଏଠାକାର ପରିଚୟ ଦେବାକୁ କୁଣ୍ଠାବୋଧ କରୁଛନ୍ତି ବୋଲି କହିଥିଲେ। ଏହି ମାନସିକତାରେ ପରିବର୍ତ୍ତନ ନିତାନ୍ତ ଆବଶ୍ୟକ। ରାଉରକେଲାକୁ ମୋ’ ସହରବୋଲି କହିଲେ ସବୁ ସମସ୍ୟାର ସମାଧାନ ହୋଇପାରିବ। ଇସ୍ପାତ କାରଖାନାଠାରୁ ଆରମ୍ଭକରି ଯାବତୀୟ ଖଣିଖାଦାନରେ ବିସ୍ଥାପନ ଏକ ବଡ଼ ସମସ୍ୟା ବୋଲି କହିଥିଲେ। ବିଶିଷ୍ଟ ସ୍ତମ୍ଭକାର ଇଂ ନଳିନୀ କାନ୍ତ ଧର ରାଉରକେଲାରେ ବିକାଶର ଧାରା ଆଗେଇଛି, କିନ୍ତୁ ସମବଣ୍ଟନ ହୋଇପାରିନି ବୋଲି କହିଥିଲେ। ସହରର ରିଙ୍ଗ୍ ରୋଡ୍ ଚକାଚକ୍ କରୁଛି ସତ; କିନ୍ତୁ ସହରକୁ ଆସି ଦାନ୍ତକାଠି ବିକୁଥିବା ବସ୍ତି, ଗାଁ ଅଞ୍ଚଳର ଆଦିବାସୀ କେମିତି ବଞ୍ଚୁଛନ୍ତି, ସେନେଇ ଆମେ ଚିନ୍ତା କରୁନେ। ସହରର ବିକାଶ ପାଇଁ ଶିଳ୍ପ, ରେଳ ଓ ବେଦବ୍ୟାସ ପୀଠକୁ ବିକଶିତ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଧର କହିଥିଲେ। ହୋଟେଲ ଓ ରେସ୍ତୋରାଁ ସଂଘର ବରିଷ୍ଠ ସଦସ୍ୟ ଶୈଳେନ୍ଦ୍ର ମହାନ୍ତି କ ଏହି ସହରକୁ ଯିଏ ଥରେ ଆସେ, ସେ ଫେରିବା ବାଟ ଭୁଲିଯାଏ। କିନ୍ତୁ ବିଡ଼ମ୍ବନା, ବିକାଶର ମୁଖ୍ୟ ପ୍ରସଙ୍ଗ ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପ ପାଇଁ ୫ ଦଶନ୍ଧି ହେଲା ସଂଗ୍ରାମ ସରୁନାହିଁ ବୋଲି କହିଥିଲେ।

ରାଉରକେଲା ବଣିକ ସଂଘ ସଭାପତି ସୁବ୍ରତ ପଟ୍ଟନାୟକ ରାଉରକେଲାର ବହୁ ବିକାଶ ହୋଇଛି। ଏବେବି ଅନେକ ବିକାଶର ସମ୍ଭାବନା ରହିଛି। କିନ୍ତୁ ଶିଳ୍ପ ପାଇଁ ଜମି ଅଧିଗ୍ରହଣ ଏକ ବଡ଼ ସମସ୍ୟାଭାବେ ଉଭା ହୋଇଛି। ବିମାନ ସେବା ଓ ଜମି ଅଧିଗ୍ରହଣ ସୁବିଧା ସହ ସମସ୍ତଙ୍କର ସହଯୋଗ ରହିଲେ ରାଉରକେଲାର ସମୃଦ୍ଧି ହେବ। ଅତୀତକୁ ମନେ ପକାଇ ବର୍ତ୍ତମାନର କାର୍ଯ୍ୟ କରିବା ଓ ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ହେଉ ବୋଲି କହିଥିଲେ ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ ସୁନ୍ଦରଗଡ଼ ହେଉଛି ଆଦିବାସୀଙ୍କ ମାଟି ବୋଲି କହିଥିଲେ। କିନ୍ତୁ ବିକାଶରେ ସେମାନଙ୍କୁ ଏଯାଏ ସାମିଲ କରାଯାଇପାରିନାହିଁ। ଅର୍ଥର ଅଭାବ ନାହିଁ; ହେଲେ ବିକାଶ ପାଇଁ କୁଣ୍ଠା ରହିଛି ବୋଲି ଶ୍ରୀମତୀ ଟେଟେ କହିଥିଲେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଯେଉଁ ବ୍ୟକ୍ତି ବା ସମାଜ ଯେତେ ସଚେତନ, ସେ ସେତିକି ଉନ୍ନତ ବୋଲି କହିଥିଲେ। କାଶ ହେଉଛି, କିନ୍ତୁ ତା’ର ଆତ୍ମସମୀକ୍ଷା ହେଉନାହିଁ। ଯେଉଁଠି ମାଟିର କଥା ଆସୁଛି, ସେଇଠି ସାଲିସ୍ର ପ୍ରଶ୍ନ ରହିବା ଉଚିତ ନୁହେଁ ବୋଲି ଶ୍ରୀ ନାୟକ କହିଥିଲେ। ‘ସମ୍ବାଦ’ ରାଉରକେଲାବାସୀଙ୍କ ସ୍ବାଭୀମାନର ସ୍ବର ହେଉ। ସହରବାସୀ ଯେଉଁ ସ୍ବପ୍ନ ଦେଖୁଛନ୍ତି, ତା’ର ବାର୍ତ୍ତାବହ ହେଉ। ‘ସମ୍ବାଦ’ ଖବର ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଅରବିନ୍ଦ ଦାସ ସ୍ବାଗତ ଭାଷଣ ଦେଇ ରାଉରକେଲା ନିଯୁକ୍ତିଠାରୁ ଆରମ୍ଭକରି କ୍ରୀଡ଼ା ପର୍ଯ୍ୟନ୍ତ; ସବୁ କ୍ଷେତ୍ରରେ ସର୍ବାଗ୍ରେ ରହିଥିଲା। ବୋଲି କହିଥିଲେ ଏବେ ସହର ବିକାଶ ହେଉଛି। ଭିତ୍ତିଭୂମିର ବିକାଶ ହେଉଛି। କିନ୍ତୁ ସହରର ଚାକଚକ୍ୟ ସହ ବସ୍ତି ଅଞ୍ଚଳର ସ୍ବାର୍ଥ ଚିନ୍ତା ବି କରିବାକୁ ହେବ। ପୁରୁଷହକି ବିଶ୍ବକପ ଆୟୋଜିତ ହେବାପରେ, ସହର ପୁଣି ତା’ର ଚମକ ଫେରିପାଇଛି ବୋଲି ଶ୍ରୀ ଦାଶ କହିଥିଲେ ‘ସମ୍ବାଦ’ ରାଉରକେଲା ସଂସ୍କରଣ ସହକାରୀ ମହାପ୍ରବନ୍ଧକ ଆଶିଷ ଗଡ଼ନାୟକ ଅତିଥି ପରିଚୟ ଦେଇଥିଲେ। ଏହିଅବସରରେ ରାଉରକେଲା ହକର୍ସ ସଂଘ କର୍ମକର୍ତ୍ତାଙ୍କ ସମେତ ସହରର ବିଭିନ୍ନ ରାଜନୈତିକ ଦଳ, ବୁଦ୍ଧିଜୀବୀ, ସାମାଜିକ, ସାଂସ୍କୃତିକ ସଂଗଠନର କର୍ମକର୍ତ୍ତା ‘ସମ୍ବାଦ’ ସମ୍ପାଦକ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜ୍ଞାପନ କରିଥିଲେ। ଜ୍ୟୋତିର୍ମୟ ଆଚାର୍ଯ୍ୟଙ୍କ ସ୍ବର ସଂଯୋଜନା ତଥା ନିରୁପମା ପତିଙ୍କ ରଚନାରୁ ଗୀତାରାଣୀ ବେହେରା, କନକଲତା ମିଶ୍ର, ଲକ୍ଷ୍ମୀପ୍ରିୟା ବେହେରା, ପଦ୍ମାରାଣୀ ବେହେରା, ସରସ୍ବତୀ ପରିଡ଼ା, ଗଜେନ୍ଦ୍ର ମୁର୍ମୁ, ଚିନ୍ତାମଣି ଗଉଡ଼, ବଂଶୀଧର ସାହୁ ପ୍ରମୁଖ ସ୍ବାଗତସଙ୍ଗୀତ ଗାନ କରିଥିଲେ।