ଆଦିବାସୀ ସୋସିଓ କଲ୍ଚରାଲ ସଂଘ ପକ୍ଷରୁ ଗୁରୁ ଗୋମ୍କେ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ପାଳନ
1 min read
ଆଦିବାସୀ ସମାଜର ଅନ୍ୟତମ ଗୁରୁ ଭାବେ ପରିଚିତ ମହାନ ଶିକ୍ଷକ ବା ଗୁରୁ ଗୋମ୍କେ ପଣ୍ଡିତ ରଘୁନାଥ ମୁର୍ମୁ ହେଉଛନ୍ତି ସାନ୍ତାଳି ଭାଷାର ଲିପି ‘ଅଲି ଚିକିର’ ପ୍ରତିଷ୍ଠାତା। ୧୯୦୫ ମଇ ମାସ ୫ ତାରିଖରେ ମୟୂରଭଞ୍ଜ ଜିଲ୍ଲାର ଦାଣ୍ଡବୋସ ଗ୍ରାମରେ ଜନ୍ମ ହୋଇଥିଲେ ସାନ୍ତାଳୀ ସମାଜର କିମ୍ବଦନ୍ତି ପୁରୁଷ ପଣ୍ଡିତ ରଘୁନାଥ ମୁର୍ମୁ। ସେ ଏକାଧାରରେ ଜଣେ ଦାର୍ଶନିକ, ଲେଖକ ଓ ଶିକ୍ଷାବିତ୍ ଥିଲେ। ସାତ ବର୍ଷ ବୟସରେ ସେ ନିଜ ଗ୍ରାମ ନିକଟସ୍ଥ ଗମ୍ଭାରିଆ ସ୍କୁଲରେ ପାଠପଢ଼ା ଆରମ୍ଭ କରିଥିଲେ। ସେଠାରେ ଓଡ଼ିଆ ଭାଷାରେ ପାଠ ପଢ଼ାଯାଉଥିଲା। ରଘୁନାଥ ପିତା ନନ୍ଦଲାଲଙ୍କୁ କହିଥିଲେ ଯେ ସେ ନିଜ ମାତୃଭାଷା ସାନ୍ତାଳୀରେ ପାଠ ପଢ଼ିବାକୁ ଚାହାନ୍ତି। କିନ୍ତୁ ପିତା କହିଥିଲେ ଯେ ସେଭଳି କୌଣସି ସ୍କୁଲ୍ ନାହିଁ କାରଣ ସାନ୍ତାଳୀ ଭାଷାର କୌଣସି ଲିପି ଉପଲବ୍ଧ ନ ଥିଲା। ଏ କଥାଟି ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଏବଂ ସେ ନିଜ ମାତୃଭାଷାରେ ବର୍ଣ୍ଣମାଳା ପ୍ରସ୍ତୁତ କରିବା ପାଇଁ ବଦ୍ଧପରିକର ହୋଇଥିଲେ। ୧୯୨୫ରେ ସାନ୍ତାଳୀ ଭାଷାର ବର୍ଣ୍ଣମାଳା ‘ଅଲଚିକି’ ପ୍ରସ୍ତୁତ କରି ସେ ଇତିହାସ ସୃଷ୍ଟି କରିଥିଲେ। ୧୯୨୮ରେ ସେ ପାଟନା ବିଶ୍ବବିଦ୍ୟାଳୟରୁ ମାଟ୍ରିକ୍ ଉତ୍ତୀର୍ଣ୍ଣ ହେବା ପରେ ବାରିପଦାରେ ପେସାଦାର ଜୀବନ ଆରମ୍ଭ କରିିଥିଲେ। ୧୯୩୩ରେ ସେ ବଡ଼ାମତଳିଆ ବିଦ୍ୟାଳୟରେ ଶିକ୍ଷକ ଭାବେ ନିଯୁକ୍ତ ହୋଇଥିଲେ। ସେଠାରେ ସେ ଅଲଚିକି ଲିପିରେ ପଢ଼ାଇବା ଆରମ୍ଭ କରିଥିଲେ। ସନ୍ତାଳୀ ଭାଷାକୁ ସମୃଦ୍ଧ କରିବା ପାଇଁ ସେ ଅଲଚିକି ଲିପିରେ ଅନେକ ଗୀତ, ନାଟକ ଓ ପାଠ୍ୟପୁସ୍ତକ ରଚନା କରିଥିଲେ। ଅଲଚିକିର ପ୍ରସାର ପାଇଁ ସେ ଓଡ଼ିଶା, ପଶ୍ଚିମବଙ୍ଗ ଓ ବିହାରର ସାନ୍ତାଳ ଅଧ୍ୟୁଷିତ ଅଞ୍ଚଳ ବୁଲି ଲିପିର ଆବଶ୍ୟକତା ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ। ତାଙ୍କର ଆହ୍ବାନ ଥିଲା- ‘ଲିପି ଥିବାରୁ ଭାଷା ରହିଛି। ଧର୍ମ ଥିବା ହେତୁ ତୁମେ ରହିଛ। ଲିପି ହଜିଲେ, ତୁମର ଭାଷା ହଜିବ ଏବ˚ ଧର୍ମ ହଜିଲେ, ତୁମେ ମଧ୍ୟ ନ ଥିବ।’ ଭାଷା ଓ ଧର୍ମକୁ ନେଇ ତାଙ୍କର ବାଣୀ ସମସ୍ତଙ୍କୁ ଜାଗ୍ରତ କରିଥିଲା ଏବଂ ସାନ୍ତାଳମାନେ ଲିପି ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ତାଙ୍କ ଯୋଗୁଁ କେବଳ ସାନ୍ତାଳୀ ସମାଜକୁ ନୂଆ ପରିଚୟ ମିଳିନଥିଲା, ଏଥି ସହିତ ଅନ୍ୟାନ୍ୟ ଆଦିବାସୀ ସମାଜକୁ ମଧ୍ୟ ସେ ନିଜସ୍ବ ଲିପି ବିକଶିତ କରିବାର ପଥ ପ୍ରଦର୍ଶନ କରିଥିଲେ। ୨୦୦୩ରେ ଭାରତ ସରକାର ସାନ୍ତାଳୀ ଭାଷାକୁ ସଂବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିଥିଲେ। ଆଜି ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବିହାରର ଆଦିବାସୀବହୁଳ ଅଞ୍ଚଳରେ ସାନ୍ତାଳୀ ଭାଷାରେ ସ୍କୁଲ୍ ଶିକ୍ଷା ଦିଆଯାଉଛି। ଅନେକ କଲେଜ ଓ ବିଶ୍ବବିଦ୍ୟାଳୟରେ ସାନ୍ତାଳୀ ଭାଷା ସାହିତ୍ୟ ପଢ଼ାଯାଉଛି। ପଣ୍ଡିତ ରଘୁନାଥ ମୁର୍ମୁଙ୍କ ମହାନ୍ ଅବଦାନକୁ ସ୍ବୀକୃତି ଦେଇ ଓଡ଼ିଶା ସାହିତ୍ୟ ଏକାଡେମି ୧୯୭୮ରେ ତାଙ୍କୁ ସମ୍ବର୍ଦ୍ଧାନ ପ୍ରଦାନ କରିଥିଲେ। ଆଦିବାସୀ ସମାଜକୁ ଅବଦାନ ପାଇଁ ତାଙ୍କୁ ‘ଗୁରୁ ଗୋମକେ’ ବା ମହାନ ଶିକ୍ଷକ ଉପାଧି ମିଳିଥିଲା। ୧୯୮୨ ଫେବ୍ରୁଆରିରେ ରଘୁନାଥଙ୍କର ତିରୋଧାନ ହୋଇଥିଲା। ସେ ସାନ୍ତାଳ ସାମାଜିକ-ସାଂସ୍କୃତିକ ଏକତାର ଜଣେ ଅମର ପ୍ରତୀକ ହୋଇ ରହିଛନ୍ତି।

ଏହି କ୍ରମରେ ପଣ୍ଡିତ ମୁର୍ମୁଙ୍କ ୧୧୯ତମ ଜୟନ୍ତୀ ରାଉରକେଲା ସହରର ଆଦିବାସୀ ସୋସିଓ-କଲ୍ଚରାଲ ସଂଘ ପକ୍ଷରୁ ପାଳନ ଅବସରରେ ଏକ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ସେକ୍ଟର-୭/୧୭ ଛକ ନିକଟରୁ ଆରମ୍ଭ ହୋଇ ସେକ୍ଟର-୫ ସ୍ଥିତ ଭଞ୍ଜଭବନ ପର୍ଯ୍ୟନ୍ତ ଶୋଭାଯାତ୍ରା ଯାଇଥିଲା। ଏହାପରେ ଭଞ୍ଜଭବନ ସଭାଗୃହରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ଅବସରରେ ଯୋଗଦେଇଥିବା ଅତିଥି ଓ ବକ୍ତାମାନେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୀବନୀ ଓ ସାଧନା ସହିତ ଅଲଚିକି ଲିପି ସମ୍ପର୍କରେ ଆଲୋଚନା କରିଥିଲେ। ଆଦିବାସୀ ସୋସିଓ-କଲ୍ଚରାଲ ସଂଘର ସାଧାରଣ ସମ୍ପାଦକ ଲେମ୍ଭ ମୁର୍ମୁ ସଙ୍ଗଠନ ସମ୍ପର୍କରେ ଆଲୋଚନା କରିବା ସହ ସଙ୍ଗଠନର କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ସଭାରେ ରାଉରକେଲାରେ ରହୁଥିବା ସାନ୍ତାଳ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିମାନେ ପାରମ୍ପରିକ ବେଶ ପୋଷାକ ପିନ୍ଧି ଯୋଗଦେଇଥିଲେ। ଏହି ଅବସରରେ ସାନ୍ତାଳମାନଙ୍କର ବିଭିନ୍ନ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ ମଧ୍ୟରେ ଡାକ୍ତର ମୟାସା ସୋରେନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସାନ୍ତାଳମାନଙ୍କର ପାରମ୍ପରିକ କଳା ଓ ସଂସ୍କୃତିର ଝଲ ସମ୍ବଳିତ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା।