ଆର୍ଏସ୍ପି ପକ୍ଷରୁ ଗ୍ରୀଷ୍ମକାଳୀନ କ୍ରୀଡା ପ୍ରଶିକ୍ଷଣ ଶିବିର ଉଦଘାଟିତ
1 min read
ରାଉରକେଲା ଇସ୍ପାତ କାରଖାନାର କ୍ରୀଡା ବିଭାଗ ଆନୁକୁଲ୍ୟରେ ଆୟୋଜିତ ୩୫ତମ ଗ୍ରୀଷ୍ମକାଳୀନ କ୍ରୀଡା ପ୍ରଶିକ୍ଷଣ ମଇ ୫ ତାରିଖରେ ସେକ୍ଟର ୬ ସ୍ଥିତ ଇସ୍ପାତ ଷ୍ଟାଡିୟମ ଠାରେ ଉଦଘାଟିତ ହୋଇଯାଇଛି। ଆରଏସପିର କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ପ୍ରମୋଦ କୁମାର ଶତପଥୀ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ ପୂର୍ବକ ଶିବିରର ଉଦଘାଟନ କରିଥିଲେ। ଏହି ଅବସରରେ ସହର ସେବା ବିଭାଗର ମୁଖ୍ୟ ମହା ପ୍ରବନ୍ଧକ ପ୍ରତାପ କୁମାର ସ୍ୱାଇଁ, ହସ୍ପିଟାଲ ପ୍ରଶାସନ, କ୍ରୀଡା ଓ ବିମାନବନ୍ଦରର ମୁଖ୍ୟ ମହାପ୍ରବନ୍ଧକ ଆର କେ ବର୍ମାଙ୍କ ସମେତ ତଥା ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ଶିବିରରେ ୧୨୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରୁଛନ୍ତି। ଏହିପରି ଗ୍ରୀଷ୍ମ କ୍ରୀଡା ଶିବିରରେ ସେମାନଙ୍କ ପିଲାମାନଙ୍କୁ ନାମ ପଞ୍ଜୀକରଣରେ ଅଭିଭାବକଙ୍କ ଆଗ୍ରହର ଶ୍ରୀ ଶତପଥୀ ପ୍ରଶଂସା କରିଥିଲେ। ଯୁବମାନସ ଏବଂ ପ୍ରତିଭା ଗଢିବାରେ କ୍ରୀଡାର ଭୂମିକା ଊପରେ ମଧ୍ୟ ସେ ଆଲୋକପାତ କରିଥିଲେ। କ୍ରୀଡା ତଥା ସ୍ଵତନ୍ତ୍ର ଗ୍ରୀଷ୍ମ କ୍ରୀଡା ତାଲିମ ଶିବିରର ମହତ୍ତ୍ଵ ଉପରେ ଗୁରୁତ୍ଵାରୋପ କରି ଶ୍ରୀ ଶତପଥୀ ଅଂଶଗ୍ରହଣକାରୀଙ୍କୁ ଏହି ବାର୍ଷିକ କ୍ରୀଡା ଉତ୍ସବର ସର୍ବୋତ୍ତମ ଉପଯୋଗ କରିବାକୁ ଉତ୍ସାହିତ କରିଥିଲେ।

କ୍ରୀଡା ଶୃଙ୍ଖଳା ଶିକ୍ଷା ଦେଇଥାଏ, ଦଳଗତ ଭାବନାକୁ ଉତ୍ସାହିତ କରିବା ସଙ୍ଗେସଙ୍ଗେ ନେତୃତ୍ୱ ଗୁଣରେ ବୃଦ୍ଧି ଆଣେ ଏବଂ ସାମଗ୍ରିକ ବିକାଶରେ ସାହାଯ୍ୟ କରେ ଯାହା ପିଲାଙ୍କର ବ୍ୟକ୍ତିତ୍ୱ ବିକାଶ ତଥା ପାଠ୍ୟ ଏବଂ ବୃତ୍ତିଗତ ଅଭିବୃଦ୍ଧିରେ ସହାୟକ ହୋଇଥାଏ ବୋଲି ଶ୍ରୀ ଶତପଥି କହିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ଛାତ୍ରଛାତ୍ରୀମାନେ ଆଥଲେଟିକ, ବ୍ୟାଡମିଣ୍ଟନ, ବାସ୍କେଟବଲ, ବକସିଙ୍ଗ, ଚେସ, କ୍ରିକେଟ, ସାଇକ୍ଲିଙ୍ଗ, ଫୁଟବଲ, ହକି, କବାଡି, ଟେବୁଲ ଟେନିସ, ଭଲିବଲ, ଭାରୋତ୍ତୋଳନ ଏବଂ ଯୋଗ ଆଦି ୧୪ ଟି କ୍ରୀଡାବର୍ଗରେ ତାଲିମ ଗ୍ରହଣ କରିବେ। ବିଭିନ୍ନ କ୍ରୀଡାବର୍ଗରେ ଅଭିଜ୍ଞ ପ୍ରଶିକ୍ଷକମାନେ ସେମାନଙ୍କୁ କ୍ରୀଡା ପ୍ରଶିକ୍ଷଣ ପ୍ରଦାନ କରିବେ।

ଏହି ସମସ୍ତ ପ୍ରଶିକ୍ଷଣ ଇସ୍ପାତ ଷ୍ଟାଡିୟମ, ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ, ବାସ୍କେଟ ବଲ କମ୍ପ୍ଲେକ୍ସ, ଇସ୍ପାତ ଇଣ୍ଡୋର ଷ୍ଟାଡିୟମ ଏବଂ ଇସ୍ପାତ ଷ୍ଟାଡିୟମର ଚେସ ହଲରେ ଅନୁଷ୍ଠିତ ହେଉଛି। ସୀମିତ ଅଂଶଗ୍ରହଣକାରୀଙ୍କୁ ନେଇ ୧୯୮୬ ମସିହାରେ ଆରମ୍ଭ ହୋଇଥିବା ଏହି ଗ୍ରୀଷ୍ମକାଳୀନ କ୍ରୀଡା ଶିବିର ସମ୍ପ୍ରତି ବିଶେଷ ରୂପେ ବୃଦ୍ଧି ପାଇଛି। ଏହା ଅତୀତରେ ବହୁ ଜାତୀୟ ଓ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କ୍ରୀଡାବିତ ସୃଷ୍ଟି କରିବା ସହିତ ସମ୍ପ୍ରତି ବହୁ ପ୍ରତିଭା ସମ୍ପନ୍ନ କ୍ରୀଡା ତାରକାଙ୍କୁ ଲୋକଲୋଚନକୁ ଆଣିବାରେ ପ୍ରୟାସ ଜାରିରଖିଛି। ପ୍ରାରମ୍ଭରେ ଆର କେ ବର୍ମା ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। କ୍ରୀଡା ବିଭାଗର ସହକାରୀ ପ୍ରବନ୍ଧକ ରଘୁନନ୍ଦନ ପାଢ଼ୀ ଧନ୍ୟବାଦ ଜ୍ଞାପନ କରିଥିଲେ। ସିଆରଏମ ବିଭାଗର ସିନିୟର ଟେକନିସିଆନ ଅନିଲ ମଲ୍ଲିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।