ବାରିଲେପ୍‌ଟା – ରେଲାପୋଷ ଅଞ୍ଚଳରେ ଦୁର୍ଘଟଣାରେ ସ୍କୁଟିଚାଳକ ମୃତ

1 min read
Spread the love

ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ୍‌ ବିଶ୍ରା ଥାନା ଅନ୍ତର୍ଗତ ବାରିଲେପ୍‌ଟା ପଞ୍ଚାୟତର ବାରିଲେପ୍‌ଟା-ରେଲାପୋଷ ରାସ୍ତାରେ ଗୁରୁବାର ସକାଳ ପ୍ରାୟ ସାଢ଼େ ଛଟା ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ହେଉଛନ୍ତି ଟାଙ୍ଗରପାଲିର ମୁକେଶ ମାହାତୋ। ପୁଲିସ ଶବ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲା ରୁଜୁକରି ତଦନ୍ତ କରୁଛି। ସୂଚନା ଅନୁସାରେ, ଝାଡ଼ଖଣ୍ଡର ଖୁଣ୍ଟି ଅଞ୍ଚଳରୁ ପ୍ରାୟ ୩୦ରୁ ଅଧିକ ପୁରୁଷମହିଳା ଏକ ବିବାହ ଉତ୍ସବରେ ଯୋ‌ଗଦେବାକୁ ଝିରପାଣି ଅଞ୍ଚଳକୁ ଏକ ଫୋର୍ସ ଗାଡ଼ି ନମ୍ବରରେ ଆସିଥିଲେ। ଗୁରୁବାର ସକାଳେ ସେମାନେ ସେହି ଗାଡ଼ିରେ ଫେରିବାବେଳେ ସୋରଡ଼ା ପଟୁ ମୁକେଶ ଏକ ନୂଆ ସ୍କୁଟି ରେ ଆସୁଥିଲେ। ବାରିଲେପ୍‌ଟାରୁ ପ୍ରାୟ ଅଧକିମି ଦୂରରେ ଘଟଣାସ୍ଥଳରେ ଫୋର୍ସ ଗାଡ଼ି ସହ ମୁକେଶଙ୍କ ସ୍କୁଟିର ମୁହାଁମୁହିଁ ଧକା ହୋଇଥିଲା। ଧକା ଏତେ ଜୋରରେ ହୋଇଥିଲା ଯେ ଫୋର୍ସ ଗାଡ଼ିର ସମ୍ମୁଖ ଓ ସ୍କୁଟିର ସମ୍ମୁଖ ନଷ୍ଟ ହୋଇଯାଇଥିଲା। ଖବରପାଇ ବିଶ୍ରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ ଉଭୟ ଫୋର୍ସ ଓ ସ୍କୁଟିକୁ ଜବତ କରିଛି। ଫୋର୍ସଚାଳକ କୁଶଲ ଢୋଡ୍ରେଙ୍କୁ ପୁଲିସ ଅଟକରଖି ଘଟଣାର ତଦନ୍ତ କରୁଛି। ନିକଟରେ ବିଶ୍ରା-ଲୋଆରମ ରାସ୍ତାଟି ନୂତନଭାବେ ନିର୍ମାଣ ହେଇଛି। ସେହିରାସ୍ତାରେ ଗୋଟିଏ ବି ହମ୍ପସ ଦିଆଯାଇନି। ତେଣୁ ଗାଡ଼ିଚାଳକମାନେ ଚଉଡ଼ାରାସ୍ତାରେ ଦ୍ରୁତଗତିରେ ଗାଡ଼ି ଚଳାଉଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *

error: Content is protected !!