କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ୧୯ତମ ବାଟାଲିୟନ୍ର ସ୍ଥାପନା ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ
1 min read
ରାଉରକେଲା ସହରର ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ଗତ କିଛିବର୍ଷ ଧରି କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ବା ସିଆର୍ପିଏଫ୍ର ୧୯ତମ ବାଟାଲିୟନ କାର୍ଯ୍ୟ କରୁଛି। ଏହି ବାଟାଲିୟନ ୧୯୬୭ ମସିହା ମଇ ୧ ତାରିଖ ଦିନ ସ୍ଥାପିତ ହୋଇଥିଲା। ସେତେବେଳର କେରେଳ ରାଜ୍ୟର ମାଲାବାର ସ୍ୱତନ୍ତ୍ର ପୋଲିସ ବାହିନୀଭାବେ କାର୍ଯ୍ୟରତ ସଙ୍ଗଠନକୁ ମଇ ୧ ତାରିଖ ଦିନ ସିଆର୍ପିଏଫ୍ ୧୯ତମ ବାଟାଲିୟନଭାବେ ଗଠନ କରାଯାଇଥିଲା। ଏହି କ୍ରମରେ ବାଟାଲିୟନ୍ର ୫୬ତମ ସ୍ଥାପନା ଦିବସ ରାଉରକେଲା ସ୍ଥିତ ବାଟାଲିୟନ କାର୍ଯ୍ୟାଳୟରେ ପାଳନ ହୋଇଛି। ବାଟାଲିୟନର ଦ୍ୱିତୀୟ ମୁଖ୍ୟ ଅଧିକାରୀ ବା ସେକେଣ୍ଡ ଇନ୍ କମାଣ୍ଡ ଦାଓକରଣ ଇଞ୍ଜି କିଣ୍ଡୋଙ୍କ ନେତୃତ୍ୱରେ ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହି ଅବସରରେ ରାଉରକେଲା ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପ୍ରଥମେ ପତାକା ଉତ୍ତୋଳନ ପରେ ଗାର୍ଡ ଅଫ ଅନର ପ୍ରଦର୍ଶନ କରାଯାଇଥିଲା। ଏହା ସହିତ ବାଟାଲିୟନର ସହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ଅବସରରେ ଶ୍ରୀ କିଣ୍ଡୋ ବାଟାଲିୟନ ସ୍ଥାପନାର ଉଦ୍ଦେଶ୍ୟ ଏବଂ ସ୍ଥାପନା ସମ୍ପର୍କରେ ଅଧିକାରି ଓ କର୍ମଚାରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ। ଏହି ଅବସରରେ ବଟାଲିୟନର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଅଧିକାରୀ ଓ କର୍ମଚାରୀମାନେ ସ୍ମୃତିଚାରଣ କରିଥିଲେ। ବାଟାଲିୟନ ମୁଖ୍ୟାଳୟରେ ଅଧିକାରୀ ଓ କର୍ମଚାରୀମାନେ ଏକତ୍ରିତ ହୋଇ ୧୯ତମ ବାଟାଲିୟନର ସ୍ଥାପନା ଓ ଏହାର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।