ଆଦିବାସୀ ଙ୍କୁ ଓବିସି କରାଯିବା ଅଭିଯୋଗରେ ବିଶ୍ରା ବ୍ଲକ କାର୍ଯ୍ୟାଳୟ ଘେରାଉ ସହ ବିକ୍ଷୋଭ
1 min read
ବିଶ୍ରା ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତ ର ମିଶନ ଶକ୍ତି ଯୋଜନାରେ ଋଣ ପାଇଁ ଦରଖାସ୍ତ କିମ୍ବା ଋଣ ନେଇଥିବା ଆଦିବାସୀ ମା ଭଉଣୀ ସଭ୍ୟାମାନଙ୍କୁ ଓବିସି ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟଙ୍କୁ ହିନ୍ଦୁ କରାଯାଇଥିବା ଅଭିଯୋଗ ହୋଇଆସୁଛି। ଏହିକ୍ରମରେ ଅନେକ ସ୍ଥାନୀୟ ବାସିନ୍ଦା ବିଶ୍ରା ବ୍ଲକ୍ କାର୍ଯ୍ୟାଳୟ କୁ ବାରମ୍ବାର ଆସି ମଧ୍ୟ ଏହାକୁ ବଦଳାଇବା ପାଇଁ ଯେତେ କହିଲେ ମଧ୍ୟ ସମସ୍ୟାର ସମାଧାନ ହେଉ ନଥିଲା। ଏହା ସହିତ ମିଶନ ଶକ୍ତି ଅନ୍ତର୍ଗତ ମା ଭଉଣୀ ମାନଙ୍କୁ ବିଶ୍ରା ସିଡିପିଓ ଙ୍କ ସହ ଆଇସିଡିଏସ ଖରାପ ବ୍ୟବହାର କରି ଥାନାରେ ପୁରାଇ ଦେବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି। ଏହି ଆଧାରରେ କପାଟମୁଣ୍ଡା ଓ ବନ୍ଧମୁଣ୍ଡା ପଞ୍ଚାୟତରୁ ଶହ ଶହ ସଂଖ୍ୟାରେ ମହିଳା ଯୁବକ ଯୁବତୀ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଲେଖା ତିର୍କି ଏବଂ କପାଟ ମୁଣ୍ଡା ପୂର୍ବତନ ସରପଞ୍ଚ ଦେବା କେର୍କେଟାଙ୍କ ନେତୃତ୍ୱରେ ବିଶ୍ରା ବ୍ଲକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏହାସହିତ ବିଶ୍ରା ଗୋଷ୍ଟି ଉନ୍ନୟନ ଅଧିକାରୀ ଅଂଶୁମାନ ଦାଶ ଙ୍କୁ ଏକ ଦାବି ପତ୍ର ଦେଇଥିଲେ। ଶ୍ରୀ ଦାଶ ଏହାର ଶୀଘ୍ର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପକ୍ଷରେ ବିଶ୍ରା ସିଡିପିଓ ଓ ଆଇସିଡିଏସ ଘଟଣା ସ୍ଥଳରେ ପହଞ୍ଚି ବିକ୍ଷୋଭ କାରୀଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ଭୁଲ ମାଗିବାକୁ ଅଡି ବସିଥିଲେ। ଏହାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ପରେ ବିଡିଓ ଶ୍ରୀ ଦାଶ ସମସ୍ତଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସାଧାରଣ ହୋଇଥିଲା। ଏହି ଅବସରରେ ବିଶ୍ରା ପୋଲିସ କର୍ମଚାରୀ ଙ୍କ ସହ ୧ ପ୍ଲାଟୁନ ପୋଲିସ ଫୋର୍ସ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ।