ଆର୍‌ଏସ୍‌ପି ପକ୍ଷରୁ ଜାତୀୟ ଅଗ୍ନିଶମ ସେବା ସପ୍ତାହ ପାଳନ ସମ୍ପନ୍ନ

1 min read
Spread the love

ରାଉରକେଲା ଇସ୍ପାତ କାରଖାନାରେ ଏକ ପୁରସ୍କାର ବିତରଣ ଉତ୍ସବ ସମେତ ଜାତୀୟ ଅଗ୍ନିଶମ ସେବା ସପ୍ତାହ ପାଳନ ସମାପ୍ତି ହୋଇଛି।  କାରଖାନାର ଗୋପବନ୍ଧୁ ପ୍ରେକ୍ଷାଳୟରେ ଆୟୋଜିତ ଉଦଯାପନୀ ସମାରୋହରେ କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦେଶକ ଏସ.ଆର.ସୂର୍ଯ୍ୟବଂଶୀ, ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ।  ଏଥିରେ କାରଖାନାର କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦେଶକ ପ୍ରମୋଦ କୁମାରଶତପଥୀ, ସାମଗ୍ରୀ ପରିଚାଳନା ବିଭାଗର ନିର୍ବାହୀ ନିର୍ଦେଶକ ସୋମନାଥ ତ୍ରିପାଠୀ ଏବଂ ସର୍ଭିସେସ ବିଭାଗର ସିଜିଏମ୍ ଇନଚାର୍ଜ ଦେବବ୍ରତ ଦତ୍ତ ମଞ୍ଚାସୀନ ଥିଲେ। ଏହି ଅବସରରେ ବହୁ ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ସମେତ ସେମାନଙ୍କରର ଅଭିଭାବକମାନେ ମଧ୍ୟ ଉପସ୍ଥିତ ଥିଲେ ।  ଶ୍ରୀ ସୁର୍ଯ୍ୟବଂଶୀ ଏହି ସମାବେଶକୁ ସମ୍ବୋଧିତ କରି ସପ୍ତାହ ପାଳନ ପାଇଁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମର ବିଜେତାମାନଙ୍କୁ  ଅଭିନନ୍ଦନ ଜଣାଇବା ସହ ଅବହେଳା କାରଣରୁ ଅଗ୍ନିକାଣ୍ଡ ଜନିତ ଘଟୁଥିବା କ୍ଷୟକ୍ଷତି ଯାହାକି ଘରଠାରୁ ଆରମ୍ଭ କରି କର୍ମକ୍ଷେତ୍ର ପର୍ଯ୍ୟନ୍ତ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଅଗ୍ନି ନିରାପତା ଉପରେ ସେ ଗୁରୁତ୍ଵାରୋପ କରିଥିଲେ। ଏହା ସହିତ ଶୂନ୍ୟ ଅଗ୍ନି ଦୁର୍ଘଟଣା ଓ ଶୂନ୍ୟ  କ୍ଷତି ହାସଲ ପାଇଁ ଏସ.ଓ.ପି, ଏସ.ଏମ.ପି  ଅବଧାରଣା ପାଳନ ଓ ପିପିଇର ବ୍ୟବହାର ସମେତ ସବିଶେଷ ଅଗ୍ନି ନିର୍ବାପକ ଜ୍ଞାନ କୌଶଳ ଉପରେ ଅବଗତ ହେବା ପାଇଁ ସେ ଜୋର ଦେବା ସହ ଗ୍ରୀଷ୍ମ ପ୍ରବାହ ଯୋଗୁ ବଢୁଥିବା ତାପମାତ୍ରା ପରିପ୍ରେକ୍ଷୀରେ ସମସ୍ତଙ୍କୁ ସଚେତନ ହେବା ପାଇଁ  ଆହ୍ୱାନ ଦେଇଥିଲେ। ଶ୍ରୀ ଶତପଥୀ  ଅଗ୍ନି ସୁରକ୍ଷା, ସର୍ପ ଉଦ୍ଧାର ଓ ପଶୁପାଳନ ପରିଚାଳନା କାର୍ଯ୍ୟରେ ଅଗ୍ନିଶମ ବିଭାଗର ଉଦ୍ୟମକୁ ପ୍ରଶଂସା କରିଥିଲେ।  ଏକ ଛୋଟ ଅଗ୍ନିକଣା ଆଗ୍ନେୟଗିରିର ରୂପ ଧାରଣ କଲାବେଳେ ଦେଶର ଜୀବନ ଓ ସମ୍ପତି ବଞ୍ଚାଇବା ପାଇଁ ଅଗ୍ନିଶମ ବିଭାଗର ଅଧିକ ଆବଶ୍ୟକ ହୋଇଥାଏ। ଅଗ୍ନି ସୁରକ୍ଷା ଉପରେ ସେ ସମସ୍ତଙ୍କୁ ସଚେତନ ହେବା ପାଇଁ ଜୋର ଦେବା ସହ ପ୍ରଭାବସାଳୀ  ଅଗ୍ନି ନିୟନ୍ତ୍ରଣ ପ୍ରତି ସର୍ବଦା ସଜାଗ ରହିବାକୁ ଅଗ୍ନିଶମ ସେବା ବିଭାଗକୁ ଅନୁରୋଧ କରିଥିଲେ। ସେହିଭଳି ଶ୍ରୀ ତ୍ରିପାଠୀ ଏହି ସପ୍ତାହ ପାଳନ ପାଇଁ ଆୟୋଜିତ ଅଗ୍ନିଶମ ସେବା ସଚେତନତା କାର୍ଯ୍ୟକ୍ରମର ସଂଖ୍ୟା ତଥା ବିବିଧତାର ପ୍ରଶଂସା କରିଥିଲେ। କାରଖାନାର ଅଗ୍ନି ସୁରକ୍ଷାକୁ ସୁଦୃଢ କରିବା ନିମନ୍ତେ ଏମ୍.ଏମ୍ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସମ୍ଭାବ୍ୟ ସହାୟତା ଯୋଗାଇଦେବା ଉପରେ ମଧ୍ୟ ସେ ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଥିଲେ।

ଏହି ଅବସରରେ  ଅତିଥିମାନେ ସହରାଞ୍ଚଳ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସ୍ପଟ ପେଣ୍ଟି॰ କ୍ଷେତ୍ରରେ ତଥା କର୍ମଚାରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ଯଥା ଫାୟାର ମକ୍ ଡ୍ରିଲ,ଶୁଇମିଂ, ଡ୍ରାଇଭିଂ ସ୍କିଲ ଟେଷ୍ଟ, ଆଥଲେଟିକ, ପ୍ରବନ୍ଧ, ସ୍ଲୋଗାନ, ହାଉସ କିପିଙ୍ଗ ନିମନ୍ତେ ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ। ଏହା ସହିତ ବିଚାରକମଣ୍ଡଳୀ ଏବଂ ସପ୍ତାହବ୍ୟାପୀ କାର୍ଯ୍ୟକଳାପକୁ ସମନ୍ଵୟ କରିବାରେ ସାହାଯ୍ୟ କରିଥିବା ବ୍ୟକ୍ତିବିଶେଷ ତଥା ଆୟୋଜିତ ରକ୍ତଦାନ ଶିବିରରେ ୨୧ ୟୁନିଟ ରକ୍ତ ଦାନ କରିଥିବା ବିଭାଗର କର୍ମଚାରୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଏକ ପ୍ରେରଣାଦାୟୀ ଅଗ୍ନିଶମ ସେବା ସଂଗୀତ ପ୍ରଦର୍ଶିତ ହେବାସହ  ସପ୍ତାହବ୍ୟାପୀ କାର୍ଯ୍ୟକଳାପ ଉପରେ ଏକ ସଂକ୍ଷିପ୍ତ ବିବରଣୀ ଉପସ୍ଥାପନା କରାଯାଇଥିଲା।        କାର୍ଯ୍ୟକ୍ରମ ପ୍ରାରମ୍ଭରେ, ଅଗ୍ନିଶମ ସେବା ବିଭାଗର ମହାପ୍ରବନ୍ଧକ ଜୀବନ ବଲ୍ଲଭ ପଟ୍ଟନାଏକ ଉପସ୍ଥିତ ସମସ୍ତଙ୍କୁ ସ୍ଵାଗତ ଜଣାଇଥିବା ବେଳେ ବିଭାଗର ଡିଜିଏମ୍ ଶ୍ରୀ ପି.ଏସ.ଠାକରେ ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।  ବିଭାଗର ଏଜିଏମ୍ ଶ୍ରୀ ଏମ.ଆଇ.ଶଙ୍କୁଶାରେ ଉକ୍ତ ଉତ୍ସବର ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!