ବସ୍ତି ଅଞ୍ଚଳରେ ସରକାରୀ ଯୋଜନା ବାଟବଣା ନେଇ କଂଗ୍ରେସ ନେତା ବିରେନ ଙ୍କ ଅଭିଯୋଗ
1 min read
ଶିଳ୍ପ ସହର ରାଉରକେଲାର ବସ୍ତି ଅଞ୍ଚଳରେ ସରକାରୀ ଯୋଜନା ବାଟବଣା ହେଉଛି। ଫଳରେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ଯୋଜନାର ସୁଫଳ ସଠିକ୍ ଭାବେ ପହଞ୍ଚି ପାରୁନାହିଁ ବୋଲି କଂଗ୍ରେସର ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ବିରେନ ସେନାପତି ଅଭିଯୋଗ କରିଛନ୍ତି। ଶ୍ରୀ ସେନାପତି ଗତ ଦୁଇଦିନ ଧରି ରାଉରକେଲା ମହାନଗର ନିଗମ ଅନ୍ତର୍ଗତ ୩ ନମ୍ୱର ୱାର୍ଡର ଦେହୁରି ବସ୍ତି, ସେଠୀ ବସ୍ତି ଏବଂ ରାମବସ୍ତି ଅଞ୍ଚଳ ବୁଲି ସାଧାରଣ ଲୋକେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଗୁଡିକ ଦେଖିବା ସହ ଏ ସମ୍ପର୍କରେ ଅଧିବାସୀଙ୍କ ଠାରୁ ପଚାରି ବୁଝିଥିଲେ। ଦେହୁରି ବସ୍ତିରେ ଗତ ୨ ବର୍ଷ ତଳେ ଏକ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରାଯାଇଥିଲେ ହେଁ ଏହି କେନ୍ଦ୍ରକୁ ପାନୀୟ ଜଳ ଯୋଜନା ସଂଯୋଗ ଦିଆଯାଇ ନାହିଁ ଏବଂ ଉକ୍ତ ଅଙ୍ଗନବାଡି କେନ୍ଦ୍ର ପାଇଁ ଏକ ଶୌଚାଳୟ ମଧ୍ୟ ନିର୍ମାଣ କରିବାକୁ କର୍ତ୍ତୃପକ୍ଷ ଉଚିତ୍ ବିଚାରିନାହାନ୍ତି। ସେହିପରି କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ନିର୍ମାମ ଯୋଗୁ ଆଜବେଷ୍ଟସ ଫାଙ୍କରେ ସାମାନ୍ୟ ବର୍ଷାହେଲେ ପାଣି ଗଳୁଥିବାର ଦେଖିବାକୁ ପାଇଥିଲେ। ସେଠୀ ବସ୍ତି ବ୍ରାହ୍ମଣୀ ନଦୀକୂଳରେ ଅବସ୍ଥିତ ହୋଇଥିଲେହେଁ ନଦୀକୁ ଏକ ଗାଧୁଆ ଘାଟ ନିର୍ମାଣ ଅଦ୍ୟାବଧି ସମ୍ଭବ ହୋଇନଥିବାରୁ ବାସିନ୍ଦାମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରକାଶ କରିଥିଲେ। ଗତ ପ୍ରାୟ ବର୍ଷକ ତଳେ ଏହି ବସ୍ତିରେ ନିର୍ମିତ ଏକ କଂକ୍ରିଟ୍ ରାସ୍ତା ନିମ୍ନମାନର କାର୍ଯ୍ୟ ଯୋଗୁ ଫାଟି ଯାଇଥିବା ବେଳେ ନିର୍ମିତ କଲଭର୍ଟ ଆପଣାଛାଏଁ ଭୁଷୁଡିପଡିଥିବା ଦେଖିଥିଲେ। ଉଭୟ ଦେହୁରି ଓ ସେଠୀ ବସ୍ତିରେ ଅନେକ ଗରିବ ଶ୍ରେଣୀର ଲୋକ ଏ ପର୍ଯ୍ୟନ୍ତ ରାସନ କାର୍ଡ ପାଇନଥିବା ବେଳେ ଭତ୍ତା ପାଇବାକୁ ଅନେକ ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ ହୋଇଥିବା ପ୍ରକାଶ କରିଥିଲେ। ଏହି ଉଭୟ ବସ୍ତି ଅଞ୍ଚଳକୁ ଦୀର୍ଘ ପ୍ରାୟ ୫ଦିନ ଧରି ପାଇପ୍ ଜଳ ଯୋଗାଣ ବନ୍ଦ ରହିଥିବାରୁ ଲୋକମାନେ ପାନୀୟ ଜଳ ପାଇଁ ନାହିଁନଥିବା ହୀନସ୍ତାର ସମ୍ମୁଖୀନ ହେଉଥିବା ଦେଖିଥିଲେ। ବସ୍ତିର ଆଭ୍ୟନ୍ତରୀଣ ଅଞ୍ଚଳରେ ଆବଶ୍ୟକୀୟ ରାସ୍ତା ନିର୍ମାଣ ଓ ନାଳି ପାଇଁ କର୍ତ୍ତୃପକ୍ଷ ଦୃଷ୍ଟି ଦେଇନଥିବା ଦେଖିବାକୁ ପାଇଥିଲେ। ସେହିପରି ରାମବସ୍ତିରେ ଅନେକ ଗରିବ ଶ୍ରେଣୀର ଲୋକ ରାସନ କାର୍ଡ ଓ ବାର୍ଦ୍ଧକ୍ୟ ଭତ୍ତା ଇତ୍ୟାଦି ପାଇବାରୁ ବଞ୍ଚିତ ହୋଇଥିବା ବେଳେ ଯେଉଁମାନେ ଭତ୍ତା ପାଉଛନ୍ତି ସେମାନେ ଗତ ୩/୪ ମାସ ଧରି ବ୍ୟାଙ୍କ ଆକାଉଣ୍ଟରେ ଭତ୍ତା ଅର୍ଥ ପୈଠ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସେମାନେ ଭତ୍ତା ପାଇପାରି ନଥିବା ପ୍ରକାଶ କରିଥିଲେ। ଏହା ସହିତ ଏହି ଦୁଇଟି ବସ୍ତିରେ ଜନସ୍ୱାସ୍ଥ୍ୟ ବିଭାଗର ପାଣି ଟାଙ୍କି ନିର୍ମାଣ କରାଯାଇଥିଲେ ହେଁ ଉକ୍ତ ବସ୍ତିବାସୀଙ୍କୁ ମଧ୍ୟ ଗତ ୫ ଦିନ ହେଲା ପାଣି ମିଳୁନଥିବା ସେମାନେ ପ୍ରକାଶ କରିଥିଲେ। ଅନେକ ଲୋକଙ୍କର ରାସନ କାର୍ଡରୁ ସେମାନଙ୍କ ପରିବାର ସଦସ୍ୟଙ୍କ ନାଁ ବିଭିନ୍ନ ସମୟରେ ଆପଣାଛାଏଁ କଟିଯାଉଥିବା କାର୍ଡଧାରୀମାନେ ପ୍ରକାଶ କରି ସେଥିପାଇଁ ସେମାନେ କିପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ସମ୍ପର୍କରେ ଅବଗତ କରାଇଥିଲେ।

ସେହିଭଳି ରାମବସ୍ତି ଅଞ୍ଚଳରେ ମଧ୍ୟ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମରେ କୌଣସି ଜଣେ ହେଲେ ବସ୍ତିବାସୀଙ୍କୁ ବ୍ୟକ୍ତିଗତ ପାଇଖାନା ଯୋଗାଇ ଦିଆଯାଇନଥିବା ଜାଣିବାକୁ ପାଇଥିଲେ। ଏହି ବସ୍ତିରେ ବସବାସ କରୁଥିବା ୫୦ରୁ ଊର୍ଦ୍ଧ୍ୱ ଶ୍ରମିକ ଓ ଦିନ ମଜୁରିଆଙ୍କ ପାଇଁ ଏକ ଗୋଷ୍ଠୀ ଶୌଚାଳୟର ଜରୁରୀ ଆବଶ୍ୟକତା ରହିଛି ବୋଲି ସମ୍ପୃକ୍ତ ବସ୍ତିବାସୀମାନେ କହିଥିଲେ। କାରଣ ଶୌଚାଳୟ ଅଭାବରୁ ସେମାନେ ନଦୀପଠା ଉପରେ ଶୌଚ ଓ ସ୍ନାନ ପାଇଁ ନିର୍ଭର କରୁଥିବା ପ୍ରକାଶ କରିଥିଲେ। ବିଡମ୍ୱନାର ବିଷୟ ହେଉଛି, ରାମ ବସ୍ତି ଅଞ୍ଚଳରେ ଶ୍ରମିକ, ଦିନ ମଜୁରିଆ ଶ୍ରେଣୀର ଲୋକମାନେ ବସବାସ କରୁଥିଲେହେଁ ଏମାନଙ୍କ ମଧ୍ୟରୁ ଅଧିକାଂଶ ସରକାରଙ୍କ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରୁ ବଞ୍ଚିତ ହୋଇଥିବା ଜାଣିବାକୁ ପାଇଥିଲେ। ତେବେ ଏସବୁ ସମସ୍ୟାଗୁଡିକୁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିକୁ ନେଇ ପ୍ରତିକାର ପାଇଁ ଉଦ୍ୟମ କରିବାକୁ ଶ୍ରୀ ସେନାପତି ଏହି ଅବସରରେ ସ୍ଥାନୀୟ ଅଧିବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀ ସେନାପତିଙ୍କ ସହିତ ଏହି ଗସ୍ତ କାର୍ଯ୍ୟକ୍ରମରେ ପିସିସି ସଭ୍ୟ ସବୀର ହୁସେନ, ସେବାଦଳର ବୁଲୁ ଦାସ, ନାନକ ସାହାଣୀ, ସନ୍ତୋଷ ଶର୍ମା, ରମେଶ ବିଶୋୟୀ ପ୍ରମୁଖ ସାମିଲ ହୋଇ ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ ବୋଲି ଏକ ପ୍ରେସ୍ ବିବୃତିରେ କୁହାଯାଇଛି।