ସ୍ୱସ୍ତି ଝଙ୍କାର ଆୟୋଜିତ ୨୪ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଓଡ଼ଶ ନାଟକ ମଞ୍ଚସ୍ଥ
1 min read
ରାଉରକେଲାର ଅଗ୍ରଣୀ ସାରସ୍ୱତ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ୱସ୍ତି ସାହିତ୍ୟ ସଂସଦର ୪୩ତମ ବାର୍ଷିକ ଉତ୍ସବ ତଥା ସ୍ୱସ୍ତି ଝଙ୍କାର ଆୟୋଜିତ ୨୪ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେସିଭିକ୍ ସେଣ୍ଟର ଠାରେ ଓଡ଼ଶ ନାଟକ ମଞ୍ଚସ୍ଥ ହୋଇଯାଇଛି ଭୁବନେଶ୍ୱରରର ବାଗ୍ଦେବୀ ଲିଟ୍ରେଚର୍ ଟ୍ରଷ୍ଟ ଦ୍ୱାରା ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ରଚିତ ଓ ପବିତ୍ର ମହାନ୍ତିଙ୍କ ନିଦ୍ଦେର୍ଶିତ ଏହି ନାଟକ ମାଧ୍ୟମରେ ଧରାପୃଷ୍ଠରେ କ୍ଷୁଦ୍ରାତି କ୍ଷୁଦ୍ର ଜୀବର ଗୁରୁତ୍ବ ରହିଛି ବୋଲି ବାର୍ତ୍ତା ଦିଆଯାଇଛି କିଛି ମଣିଷଙ୍କୁ ଓଡ଼ଶ ଦେଇଥାଏ ଜୀବନ ଓ ଜୀବିକା। କେବେ କେବେ ପ୍ରେମର ମାଧ୍ୟମ ପାଲଟିଯାଏ ଓଡ଼ଶ। ଓଡ଼ଶ କାମୁଡ଼ାର ଯନ୍ତ୍ରଣା ଭିତରେ ଅନୁଭବ କରି ହୁଏ ପ୍ରେମର ମିଠାପଣକୁ। ଏହିଭଳି ଏକ ବାର୍ତ୍ତା ମାଧ୍ୟମରେ କଳାକାରମାନଙ୍କ ପ୍ରଦର୍ଶନ ବେଶ୍ ଉଚକୋଟୀର ଥିଲା
ଏହି ଅବସରରେ ସ୍ୱସ୍ତି ସାହିତ୍ୟ ସଂସଦର ଉପସଭାପତି ରାଜକୁମାର ମହାନ୍ତିଙ୍କ ସଭାପତିତ୍ୱରେ ଏବଂ ମୁଖ୍ୟ ଦର୍ଶକ ରୋଟାରୀୟାନ ଫକୀର ଚରଣ ମହାନ୍ତିଙ୍କ ଉପସ୍ଥିତିରେ ବିଶିଷ୍ଟ ନାଟ୍ୟକାର ସଞ୍ଜୟ କୁମାର ହାତୀ ନାଟ୍ୟ ମହୋତ୍ସବର ତୃତୀୟ ସଂଧ୍ୟାକୁ ଉଦ୍ଘାଟନ କରିଥିଲେ। ଏଥିରେ ଡଃ ସଞ୍ଜୟ କୁମାର ହାତୀଙ୍କୁ ଡାକ୍ତର ଧୋବଶ ମିଶ୍ରଙ୍କ ସ୍ମୃତିରେ ସ୍ୱସ୍ତି ନାଟ୍ୟ ସମ୍ମାନରେ ସମ୍ୱର୍ଦ୍ଧିତ କରାଯାଇଥିଲା। ଏହା ସହିତ ପ୍ରଦର୍ଶିତ ନାଟକର ନାଟ୍ୟକାର ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ଏବଂ ନିଦ୍ଦେର୍ଶକ ପବିତ୍ର ମହାନ୍ତିଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। ଏହି ସଭାକୁ ରାଜୀବ ପାଣି ପରିଚାଳନା କରିଥିବାବେଳେ ବିଜୟଲକ୍ଷ୍ମୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ, ଡ. ଅଜୟ କୁମାର ମିଶ୍ର, ସୁଶାନ୍ତ କୁମାର ନାୟକ, ବିଜୟ ପାତ୍ର, ସରୋଜ ଜେନା, ଗୌତମ ଦାସ ଏବଂ ବିଭୂତି ଭୂଷଣ ଦାସ ପ୍ରମୁଖ ବ୍ୟକ୍ତିମାନେ ସହଯୋଗ କରିଥିଲେ।

ଏହା ପୂର୍ବରୁ ଆଜି ସକାଳେ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣରେ ଗଳ୍ପ ଲିଖନ ଓ ଗଳ୍ପ କଥନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସଞ୍ଜୀବ କୁମାର ଭୋଇ, ବିଜୟିନୀ ଜେନା ଏବଂ ମଞ୍ଜୁଳା ରଥ ବିଚାରକ ଭାବରେ ଗଳ୍ପଗୁଡ଼ିକର ମୁଲ୍ୟାଙ୍କନ କରିଥିଲେ। ପ୍ରତିଯୋଗୀତାକୁ ରାଜ କୁମାର ମହାନ୍ତି ପରଚାଳନା କରିଥିବାବେଳେ ଇଂ ଅଶୋକ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅଙ୍ଗୁରବାଳା ପରିଡ଼ା, ନିରୂପମା ପତି, ପ୍ରଫୁଲ୍ଲ ସାମଲ, ଭଜେନ୍ଦ୍ର ସାହୁ ସୁମନ ଦତ୍ତ ଏବଂ ଇଂ ଗୋପୀନାଥ ପଟ୍ଟନାୟକ ପ୍ରମୁଖ ସଦସ୍ୟମାନେ ସହଯୋଗ କରିଥିଲେ। ମଙ୍ଗଳବାର ସକାଳେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଢ଼ଗଢ଼ମାଳୀ ଏବଂ ଏକକ ଅଭିନୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହା ସହିତ ନାଟକ ମହୋତ୍ସବର ଚତୁର୍ଥ ସଂଧ୍ୟାରେ ସମ୍ୱଲପୁରର ଶ୍ରୀ କଲଚରାଲ ଏସୋସିଏସନ ଦ୍ୱାରା ଆଶିଷ ସୋନାରଙ୍କ ରଚିତ ଓ ସତ୍ୟ ରଂଜନ ବେହେରାଙ୍କ ନିଦ୍ଦେର୍ଶିତ ନାଟକ ପ୍ପତ୍ରିଶଂକୁଡ୍ଗ ମଂଚସ୍ଥ ହେବ ଏବଂ ବରିଷ୍ଠ କବି ଅଧ୍ୟାପକ ବିଜୟ ରାୟଙ୍କୁ କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ସ୍ମୃତିରେ ସ୍ୱସ୍ତି ସାରସ୍ୱତ ସମ୍ମାନରେ ସମ୍ୱର୍ଦ୍ଧିତ କରାଯିବ। ଆସନ୍ତା କାଲିର ଏହି ସମସ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଉପସ୍ଥିତ ରହି ଏହି ଆୟୋଜନକୁ ସଫଳ କରିବା ପାଇଁ ସ୍ୱସ୍ତି ଝଙ୍କାରର ସଦସ୍ୟଗଣ ନିବେଦନ କରିଛନ୍ତି।