ଆର୍ଏସପିରେ ଉତ୍କୋଚ ବିରୋଧୀ ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ
1 min read
କର୍ପୋରେଟ୍ ନିର୍ଦ୍ଦେଶାବଳି ଅନୁଯାୟୀ ରାଉରକେଲା ଇସ୍ପାତ କାରଖାନାରେ ଆଇଏସଓ ୩୭୦୦୧:୨୦୧୬ ଅଧୀନରେ ଆଣ୍ଟି ବ୍ରାଇବେରୀ ମ୍ୟାନେଜମେଣ୍ଟ ସିଷ୍ଟମ – ଏବିଏମଏସ ବା ଉତ୍କୋଚ ବିରୋଧୀ ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଭାରପ୍ରାପ୍ତ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ‘ମନ୍ଥନ’ ସମ୍ମିଳନୀ ହଲରେ ଭିଜିଲାନ୍ସ ବିଭାଗ ଦ୍ୱାରା ଏକ ପ୍ରାରମ୍ଭିକ ବୈଠକ ଆୟୋଜିତ ହୋଇଥିଲା। ଏଥିରେ ଆରଏସପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଏସ ଆର ସୂର୍ଯ୍ୟବଂଶୀ, କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ପି କେ ଶତପଥୀ, ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ପି କେ ସାହୁ, ସାମଗ୍ରୀ ପରିଚାଳନା ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ସୋମନାଥ ତ୍ରିପାଠୀ, ବିତ୍ତ ଓ ଲେଖା ବିଭାଗର ସିଜିଏମ୍ ଇନ ଚାର୍ଜ, ଏ କେ ବେହୁରିଆ, ଆରଏସପିର ସମସ୍ତ ସିଜିଏମ, ବିଭାଗ ମୁଖ୍ୟ ତଥା ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ଏବିଏମଏସ ବ୍ୟବସ୍ଥା ଲାଗୁ କରିବାରେ ସେଲ ହେଉଛି ପ୍ରଥମ ମହାରତ୍ନ କମ୍ପାନୀ। ସେଲ କର୍ପୋରେଟ୍ ଅଫିସ୍ ଭିଜିଲାନ୍ସ ବିଭାଗର ମହାପ୍ରବନ୍ଧକ ଏସ୍ କେ ତ୍ରିପାଠୀଙ୍କ ଦ୍ଵାରା ଏବିଏମଏସର ପରିସର, ଉଦ୍ଦେଶ୍ୟ, କାର୍ଯ୍ୟାନ୍ୱୟନର ରୂପରେଖ, ଆଇଏସଓ ୩୭୦୦୧:୨୦୧୬ ର ପ୍ରମୁଖ ଧାରା, ଲାଭ, ସଚେତନତା ପ୍ରଣାଳୀ, ସଂଶୋଧନ, ପ୍ରତିକ୍ରିୟା କାର୍ଯ୍ୟଧାରା ଏବଂ ନିରନ୍ତର ଉନ୍ନତି ଇତ୍ୟାଦି ଇତ୍ୟାଦି ସମ୍ବଳିତ ଏକ ଉପସ୍ଥାପନା ପ୍ରସ୍ତୁତି ସହିତ ଆରମ୍ଭ ହୋଇଥିଲା। ଏହା ପରେ, ବୋକାରୋର ସତର୍କତା ବିଭାଗର ସିଜିଏମ ତଥା ଏସିଭିଓ, ଅରୁଣ କୁମାର ବୋକାରୋ ଇସ୍ପାତ କାରଖାନା ବୋକାରୋରେ ଏବିଏମଏସ ବ୍ୟବସ୍ଥା ଲାଗୁ କରିବାର ଅଭିଜ୍ଞତା ସହଭାଗିତା କରିଥିଲେ। ମତବିନିମୟ ଅଧିବେଶନରେ ଶ୍ରୀ ତ୍ରିପାଠୀ ଏବଂ ଶ୍ରୀ ଅରୁଣ କୁମାର ଅଂଶଗ୍ରହଣକାରୀଙ୍କ ବହୁ ଦ୍ଵନ୍ଦ୍ଵ ସ୍ପଷ୍ଟ କରିଥିଲେ। ସେମାନେ ଆହୁରି ମଧ୍ୟ ଜୋର ଦେଇଥିଲେ ଯେ ପ୍ରତ୍ୟେକ ଦିଗରେ ସ୍ୱଚ୍ଛତା ନିଶ୍ଚିତ କରିବାକୁ ସେଲ ଏବଂ ଆରଏସପି ଦୃଢ ପ୍ରଣାଳୀ ଏବଂ ପ୍ରକ୍ରିୟା ସହିତ, ଆଇଏସଓ ୩୭୦୦୧:୨୦୧୬ ପ୍ରମାଣପତ୍ର ହାସଲ କରିବା ସୁବିଧାଜନକ ହେବ। ତାଙ୍କର ବକ୍ତବ୍ୟରେ ଶ୍ରୀ ଭୌମିକ କହିଥିଲେ ଯେ ଭାରତର ପ୍ରଥମ ରାଷ୍ଟ୍ରାୟତ ସମନ୍ଵିତ ଇସ୍ପାତ କାରଖାନା ହୋଇଥିବା ପରିପ୍ରେକ୍ଷୀରେ ଆରଏସପିର ଏକ ସମୃଦ୍ଧ ଐତିହ୍ୟ, ସୁଦୃଢ ବ୍ୟବସ୍ଥା ଏବଂ ନିଜସ୍ୱ ବିକଶିତ ନୈତିକ ବ୍ୟବସାୟ ଅଭ୍ୟାସ ରହିଛି। ଉତ୍କୋଚ ବିରୋଧୀ ପରିଚାଳନା ବ୍ୟବସ୍ଥା ଗ୍ରହଣ କରିବା ଆରଏସପିର ଭାବମୂର୍ତ୍ତିକୁ ଆହୁରି ଉନ୍ନତ କରିବ, ହିତାଧିକାରୀଙ୍କ ଆତ୍ମବିଶ୍ୱାସକୁ ସୁଦୃଢ କରିବ ଏବଂ ଗ୍ରାହକ ଓ ଯୋଗାଣକାରୀଙ୍କ ସହ ସମ୍ପର୍କକୁ ଦୃଢ କରିବ। ଅନ୍ୟମାନଙ୍କ ତୁଳନାରେ ପ୍ରତିଯୋଗିତାମୂଳକ ଅନୁକୂଳତା ଲାଭ ପାଇଁ ଯଥାଶୀଘ୍ର ଏହି ପ୍ରମାଣପତ୍ର ହାସଲ କରିବାକୁ ଭାରପ୍ରାପ୍ତ ନିର୍ଦ୍ଦେଶକ ଆରଏସପି ସାମୂହିକଙ୍କୁ ଆହ୍ଵାନ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଭିଜିଲାନ୍ସ ବିଭାଗର ଡେପୁଟି ମ୍ୟାନେଜର, ମୁକେଶ କୁମାର ସିଂ ସଂଯୋଜନା କରିଥିବା ବେଳେ ବିଭାଗୀୟ ମହାପ୍ରବନ୍ଧକ ସୁମିତ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।