ବଣାଇ ବନଖଣ୍ଡରେ ବନ ସୁରକ୍ଷା ସମିତିର ପ୍ରଶଂସନୀୟ କାର୍ଯ୍ୟ
1 min read
ଅବକ୍ଷୟମୁଖି ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ସରକାରୀସ୍ତରରେ ସାରା ରାଜ୍ୟରେ ଥିବା ବିଭିନ୍ନ ବନଖଣ୍ଡରେ ୧୬୧୨୮ରୁ ଊର୍ଦ୍ଧ୍ବ ବନସୁରକ୍ଷା ସମିତି ଗଠନ କରାଯାଇଛି। ଏହି ସମିତିର ସହଯୋଗରେ ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର କରିବା ସହିତ ଲୋକଙ୍କ ଜୀବନ ଜୀବିକାର ଉନ୍ନତି ପାଇଁ ସେମାନଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରାଯାଇ ସ୍ବାବଲମ୍ବୀ କରାଯାଇ ପାରୁଛି। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ବଣାଇ ବନଖଣ୍ଡ ଅଧିନସ୍ଥ ୭ଟି ରେଞ୍ଜରେ ୩୪୩ ଗୋଟି ବନ ସଂରକ୍ଷଣ ସମିତି ଗଠନ କରି ଆୟ ସୃଷ୍ଟିକାରୀ କାର୍ଯ୍ୟକଳାପ ମାଧ୍ୟମରେ ଲୋକ ମାନଙ୍କ ଜୀବନ ଧାରଣରେ ଉନ୍ନତି ଅଣାଯାଇ ପାରିଛି। ବନ ସଂରକ୍ଷଣ ସମିତି ମାଧ୍ୟମରେ ବାର୍ଷିକ ବୃକ୍ଷରୋପଣ, ପରିବେଶ ସଚେତନତା, ଉଜୁଡା ଜଙ୍ଗଲର ପୁନରୁଦ୍ଧାର, ସବୁଜ ବନାନୀର ସୁରକ୍ଷା ଇତ୍ୟାଦି କାର୍ଯ୍ୟକ୍ରମ ବିଭିନ୍ନ ସରକାରୀ ପ୍ରକଳ୍ପ ମାଧ୍ୟମରେ ଜାରି ରହିଛି। ଏହି ବନ ସଂରକ୍ଷଣ ସମିତି ମାନଙ୍କୁ କେତେକ ସ୍ଥାନରେ ଉଜୁଡା ଜଙ୍ଗଲର ଅଂଶ ନ୍ୟସ୍ତ କରି କ୍ଷେତ୍ର ପରିଚାଳନା କରିବାକୁ ଦିଆଯାଇଛି। ସରକାରଙ୍କ ନିୟମ ଅନୁସାରେ ନ୍ୟସ୍ତ ହୋଇଥିବା ଜଙ୍ଗଲରେ ବନ ଉନ୍ନୟନ ନିଗମ ଦ୍ବାରା କୌଣାସି କାମ କରାଗଲେ ସେହି ଆର୍ଥିକ ବର୍ଷରେ ଲାଭାଂଶର ୫୦% ପ୍ରତିଶତ ଉକ୍ତ ବନ ସଂରକ୍ଷଣ ସମିତିକୁ ପ୍ରଦାନ କରାଯାଇଥାଏ। ସେହି ଅର୍ଥକୁ ସମିତି ନିଜ ଅଞ୍ଚଳର ବିକାଶ ପାଇଁ ଉପଯୋଗ କରି ଲୋକମାନଙ୍କୁ ସ୍ବାବଲମ୍ବୀ ହେବାରେ ସାହାଯ୍ୟ କରିଥାଏ। ୨୦୧୯-୨୦ ଆର୍ଥିକ ବର୍ଷରେ ଜର୍ଡା ରେଞ୍ଜର ବୁଦେଲବାହାଲ ବନ ସଂରକ୍ଷଣ ସମିତିକୁ ତାଙ୍କର ଲାଭାଂଶ ବାବଦରେ ୫ ଲକ୍ଷ ୮୫ ହଜାର ୫୨୫ ଟଙ୍କା ପ୍ରଦାନ କରାଯାଇଥିବାବେଳେ ସମିତି ସେହି ଅଞ୍ଚଳର ବିକାଶ ପାଇଁ ଏକ ଗଭୀର ନଳକୂପ ଖନନ କରି ଜଳସେଚନ ମାଧ୍ୟମରେ ପତିତ ଜମିରେ ବିଭିନ୍ନ କୃଷିକାର୍ଯ୍ୟ କରିବା ସହ ଫଳଗଛ ରୋପଣ କରି ଆଗାମୀ ଦିନରେ ବେଶ ଦୁଇ ପଇସା ରୋଜଗାର କରି ଲାଭବାନ ହୋଇଥିଲେ। ଚଳିତ ଆର୍ଥିକ ବର୍ଷରେ ମଧ୍ୟ ଜର୍ଡା ରେଞ୍ଜର ଜାଲେଇ, କଂସର, କହୁଚୁଆଁ, ସୋଲ ରେଞ୍ଜର ବଡ କୁଞ୍ଜର, ତାମଡା ରେଞ୍ଜର ସିଲିକଟା ବନ ସଂରକ୍ଷଣ ସମିତିକୁ କୁପ କାମର ୫୦% ଲାଭାଂଶ ପ୍ରଦାନ କରାଯାଇଛି। ଏହି ଅର୍ଥକୁ ଉଜୁଡା ଜଙ୍ଗଲର ପୁନରୁଦ୍ଧାର ଏବଂ ସେହି ଅଞ୍ଚଳର ବିକାଶ କାର୍ଯ୍ୟରେ ବିନିଯୋଗ କରିବା ପାଇଁ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ରେଞ୍ଜ ଅଧିକାରୀ ଓ ବଣାଇ ବନଖଣ୍ଡର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ବନ ସଂରକ୍ଷଣ ସମିତିର ସାଧାରଣ ବୈଠକରେ ଲୋକଙ୍କୁ ଅବଗତ କରାଇଥିଲେ।