ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଦେଶୀ ପାନୀୟ ‘ପଇଡ଼’ର ସମ୍ଭାର

1 min read
Spread the love

ସମ୍ପ୍ରତି ଇସ୍ପାତ ସହର ରାଉରକେଲାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ରୁ ଅଧିକ ହୋଇସାରିଛି। ଏଥିପାଇଁ ବିଭିନ୍ନ ପାନୀୟର ବିକ୍ରୟ ବୃଦ୍ଧି ପାଇଛି। ଏହି ପାନୀୟ ମଧ୍ୟରେ ରହିଛି ବିଭିନ୍ନ ପ୍ରକାରର ମୃଦୁ ପାନୀୟ ସହିତ ଦହି, ସରବତ, ଲସି ସହିତ ସମ୍ପୂର୍ଣ୍ଣ ଦେଶୀ ଓ ସ୍ୱାସ୍ଥ୍ୟକର ପାନୀୟ-ପଇଡ଼ ପାଣି। ସହରର ଆମ୍ବାଗନ ଛକ, ସ୍ପେଶ୍‌ ଛକ, ଛେଣ୍ଡ୍‌ ଛକ, ଟ୍ରାଫିକ ଗେଟ୍‌ ଛକ  ଆଦି ସମେତ ବିଭିନ୍ନ ସ୍ଥାନରେ ପଇଡ଼ର ସମ୍ଭାର ଦେଖିବାକୁ ମିଳିଛି। ଜଣେ ବ୍ୟବସାୟୀଙ୍କ ସୂଚନା ମୁତାବକ ରାଉରକେଲା ସହର ଓ ଆଖପାଖ ଅଞ୍ଚଳରେ ଦୈନିକ ପ୍ରାୟ ଦୁଇରୁ ତିନିଟି ବଡ଼ ଟ୍ରକ୍‌ ପଇଡ଼ ବିକ୍ରୟ ପାଇଁ ଆସୁଛି।

ଏହି ପଇଡ଼ ସବୁ ଓଡ଼ିଶାର ବିଭିନ୍ନ ଉପକୂଳ ଜିଲ୍ଲା ସମେତ କେରଳ ଓ କୋଲ୍‌କାତାରୁ ଆସୁଛି। କରୋନା ଜନିତ ସମସ୍ୟା ପରେ ପଇଡ଼ର ଚାହିଦା ବୃଦ୍ଧି ପାଇଛି। କିନ୍ତୁ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଆବଶ୍ୟକତା ମୁତାବକ ପଇଡ଼ ସହରରେ ଉପଲବ୍ଧ ହେଉନାହିଁ ବୋଲି ଜଣାପଡ଼ିଛି। ଏହା ଫଳରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଗୋଟା ପିଛା ପଇଡର ବିକ୍ରୟ ମୂଲ୍ୟ କିଛି ମାତ୍ରାରେ ବଢ଼ିଛି। ଗୋଟିଏ ପଟେ ଚାହିଦା ବୃଦ୍ଧି ଅନ୍ୟପଟେ ଆବଶ୍ୟକତାଠାରୁ କମ୍‌ ସାମଗ୍ରୀ ଉପଲବ୍ଧ ଯୋଗୁଁ ଦାମ୍‌ ବୃଦ୍ଧି ହୋଇଥିବା କହିଛନ୍ତି ଜଣେ ବ୍ୟବସାୟୀ। ସମ୍ପ୍ରତି ଗୋଟିଏ ପଇଡ଼ ପିଛା ୪୦ ଟଙ୍କାରୁ ୬୦ ଟଙ୍କା ବିକ୍ରୟ ହେଉଥିଲେ ମଧ୍ୟ ଏହାର ଚାହିଦା ଅନ୍ୟ କମ୍‌ ମୂଲ୍ୟର ପାନୀୟ ତୁଳନାରେ ଭଲ ରହିଛି। ସେହି ଅନୁପାତରେ ପଇଡ଼ ବିକ୍ରୟ କରୁଥିବା ବ୍ୟବସାୟୀମାନେ ଭଲ ଲାଭ ପାଉଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!