କାନାଡ଼ାର କାଲଗାରି ସହରରେ ଉତ୍କଳ ଦିବସ ପାଳନ
1 min read
କାନାଡ଼ାର କାଲଗାରୀ ସହରରେ ଓଡ଼ିଆ ସାମାଜିକ ଏବଂ ସାଂସ୍କୃତିକ ସଂଘ (ଓସ୍କା) ତରଫରୁ ଉତ୍କଳ ଦିବସ ପାଳିତ ହେଇଯାଇଛି। ଓସ୍କାର ସଭାପତି ଜ୍ୟୋତ୍ସ୍ନାରାଣୀ ଦେବୀଙ୍କ ସ୍ୱାଗତ ସଂଭାଷଣ ପରେ ଜଗନ୍ନାଥଙ୍କ ପ୍ରତିମା ଆଗରେ ପ୍ରଦୀପ ପ୍ରଜ୍ୱଳନ କରି ପ୍ରାର୍ଥନା କରାଯାଇଥିଲା। ମୁଖ୍ୟଅତିଥି ଭାବେ ଦିଲୀପ ଦାସ ମହାପାତ୍ର ଓ ମୁଖ୍ୟ ବକ୍ତା ରୂପେ ଡ. ସୂର୍ଯ୍ୟ ଆଚାର୍ଯ୍ୟ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଡ. ଆଚାର୍ଯ୍ୟ ଉତ୍କଳ ଦିବସର ତାତ୍ପର୍ଯ୍ୟ ତଥା ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଓଡ଼ିଶା ସହିତ ସାମିଲ ହେବାର ସଂଗ୍ରାମ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଦାସ ମହାପାତ୍ର ଓସ୍କାର ବାର୍ଷିକ ସ୍ମରଣିକା ‘କରବର୍ଣ୍ଣା’ ର ଦ୍ଵିତୀୟ ସଂଖ୍ୟାକୁ ଉନ୍ମୋଚିତ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଓସ୍କାର ସଦସ୍ୟମାନେ ଓଡ଼ିଆ ସଂଗୀତ ପରିବେଷଣ କରିଥିଲେ। ଲିପୁନ, ସୁପ୍ରଭା, ଶ୍ରାବଣୀ, ନିଶା, ଅପରାଜିତା, ଗୌରୀ ଶଙ୍କର ଓ ଅନନ୍ତ ପ୍ରମୁଖ ନୃତ୍ୟ ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ। ଓସ୍କା ପରିବାରର ଶିଶୁ କଳାକାରମାନଙ୍କ ନୃତ୍ୟ, ସଂଗୀତ, ବ୍ୟଙ୍ଗ, ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏହା ସହିତ ଭାଗବତ, ସୁମିତ୍ର, ଗୌରୀ, ଐଶ୍ବର୍ଯ୍ୟା, ସମୀର, ରୁବି ପ୍ରମୁଖ କଳାକାରମାନଙ୍କ ଦ୍ୱାରା ଅଭିନୀତ ବ୍ୟଙ୍ଗ ନାଟକ ‘ଗାର୍ଲଫ୍ରେଣ୍ଡର ବାହାଘର’ ଦର୍ଶକମାନଙ୍କର ମନୋରଞ୍ଜନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ଓସ୍କାର ସାଧାରଣ ସମ୍ପାଦକ ଶୁଭଦର୍ଶିନୀ ଦାସ ଏବଂ ମୁଖ୍ୟ ଅତିଥି ଶିଶୁ କଳାକାରମାନଙ୍କୁ ପୁରସ୍କୃତ କରିଥିଲେ। ଓସ୍କାର ଉପସଭାପତି ଭାରତ ଭୂଷଣ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ମଞ୍ଚ ପରିଚାଳନା କରିଥିଲେ ଭାଗବତ ପଟ୍ଟନାୟକ ଏବଂ ସ୍ନିଗ୍ଧା ପ୍ରିୟଦର୍ଶିନୀ। ଓସ୍କାର କୋଷାଧ୍ୟକ୍ଷ ଦେବବ୍ରତ ରାଉତ, ଅନନ୍ତ ପଟେଲ, ସୁମିତ୍ର କୁମାର ପଟେଲ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।