ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ “ସ୍ୱଚ୍ଛତା ସ୍ୱାଭିମାନ” ପୁରଷ୍କାର ପ୍ରଦାନ
1 min read
ରାଉରକେଲାଇସ୍ପାତ କାରଖାନା ପକ୍ଷରୁ କାରଖାନାର ଟାଉନ ଇଞ୍ଜିନିୟରିଂ ହଲ ରେ “ସ୍ୱଚ୍ଛତା ସ୍ୱାଭିମାନ” ପୁରଷ୍କାର ପ୍ରଦାନ ସମାରୋହ ଆୟୋଜିତ ହୋଇଥିଲା। ଏହି ଅବସରରେ ପ୍ଲାଣ୍ଟରେ କାମ କରୁଥିବା କର୍ମଚାରୀଙ୍କ ସହିତ ଏନଜିଓ ର ସଦସ୍ୟ ମାନଙ୍କୁ ନିରନ୍ତର ଭାବେ ଷ୍ଟିଲ ଟାଉନସିପ ଓ ଏହା ପରିସରରେ ଥିବା ବସ୍ତି ମାନଙ୍କୁ ସଫା ରଖିବାପାଇଁ ପୁରଷ୍କୃତ କରାଯାଇଥିଲା। ସହର ପ୍ରଶାସନ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ପି କେ ସ୍ଵାଇଁ ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସହର ବାସିନ୍ଦାଙ୍କୁ ସ୍ୱଚ୍ଛତା ଉପରେ ସଚେତନ ଓ ଏଥିରେ ଅଂଶଗ୍ରହଣ କରି ସହର ମଧ୍ୟରେ ରହିଥିବା ସେକ୍ଟର ଅଞ୍ଚଳ, ମାର୍କେଟ ପରିସର, ରାସ୍ତା ଘାଟ, ସହରର ବିଭିନ୍ନ ଗଳି ଓ ବସ୍ତି ଅଞ୍ଚଳ ଗୁଡ଼ିକୁ ସଫା ରଖିବାପାଇଁ ସେଲ ଆରଏସପି ପକ୍ଷରୁ “ସ୍ୱଚ୍ଛତା ସ୍ୱାଭିମାନ” ପୁରସ୍କାର ପ୍ରଦାନ କରାଯାଉଛି। ଏହି ଅବସରରେ ଆରଏସପିର ଏସଏମଏସ -୨ ରେ କାର୍ଯ୍ୟରତ ବସନ୍ତ କୁମାର ସାମଲଙ୍କ ନେତୃତ୍ବରେ ପରିଚାଳିତ ଦଳକୁ ବର୍ଷର ଚମ୍ପିୟାନ ଘୋଷଣା କରା ଯାଇଥିଲା ଏବଂ ପଚାଶ ହଜାର ଟଙ୍କାର ଅର୍ଥରାଶି ସହିତ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ୨୦୨୨-୨୩ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟୋମାସ ଅର୍ଥାତ୍ ଜାନୁୟାରୀ ରୁ ମାର୍ଚ୍ଚ ନିମନ୍ତେ ଦିଲ୍ଲୀପ କୁମାର ବାରିକଙ୍କ ନେତୃତ୍ଵରେ ପରିଚାଳିତ ଏନଜିଓ “ହୋପ ଅଫ ଲାଇଫ”କୁ ବିଜେତା ଘୋଷିତ କରାଯାଇଥିଲା।
ଏହି ପୁରସ୍କାର ପ୍ରଦାନ ଉତ୍ସବରେ ସମ୍ମାନୀୟ ଅତିଥିମାନେ ଦଳ ଦ୍ୱୟଙ୍କର କାର୍ଯ୍ୟକୁ ପ୍ରଂଶସା କରିବା ସହିତ ଏହି କାର୍ଯ୍ୟରେ କିପରି ଅଧିକ ରୁ ଅଧିକ ଲୋକ ଯୋଡ଼ି ହୋଇପାରିବେ ତାହା ଉପରେ ଆଲୋଚନା କରିଥିଲେ। ସେମାନେ ଏହି କାର୍ଯ୍ୟଧାରାକୁ ଜାରି ରଖିବା ନିମନ୍ତେ ଦଳଗୁଡିକୁ ଉତ୍ସାହିତ କରିବା ସଙ୍ଗେସଙ୍ଗେ ନିଜେ ମଧ୍ୟ ଏହି ଅଭିଯାନରେ ସାମିଲ ହେବା ନିମନ୍ତେ ଇଚ୍ଛା ବ୍ୟକ୍ତ କରିଥିଲେ। କାରଖାନାର ଅନନ୍ୟ ପ୍ରୟାସ “ସ୍ୱଚ୍ଛତା ସ୍ୱାଭିମାନ”ରେ ସମସ୍ତେ ଯୋଗଦେବା ନିମନ୍ତେ ଅତିଥି ମାନେ ଆହ୍ଵାନ ଦେଇଥିଲେ।