ସଙ୍ଗୀତ ତରଙ୍ଗ ମ୍ୟୁଜିକ କ୍ଲବର ବାର୍ଷିକୋତ୍ସବରେ ମନଛୁଆଁ ସଙ୍ଗୀତ ପରିବେଷଣ

1 min read
Spread the love

ରାଉରକେଲା ଇସ୍ପାତ ସହରର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ‘ସଙ୍ଗୀତ ତରଙ୍ଗ ମ୍ୟୁଜିକ କ୍ଲବ’ର ବାର୍ଷିକ ଉତ୍ସବ ସିଭିକ ସେଣ୍ଟରଠାରେ ପାଳିତ ହୋଇଯାଇଛି। ଏଥିସହିତ ପ୍ରତିଭା ଅନ୍ଵେଷଣ ଇସ୍ପାତ ସହରର ‘ଭେଲଭେଟ କଣ୍ଠସ୍ଵର’ ଗ୍ରାଣ୍ଡ ଫାଇନାଲ ମଧ୍ୟ ଆୟୋଜିତ ହୋଇଥିଲା। ଉତ୍ସବରେ ରାଉରକେଲା ଇସ୍ପାତ କାରଖାନାର ନିର୍ବାହୀ ନିର୍ଦ୍ଦେଶକ ପ୍ରମୋଦ କୁମାର ଶତପଥୀ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବାବେଳେ ରାଉରକେଲା ଶିଳ୍ପ ଓ ବଣିକ ସଂଘର ସଭାପତି ସୁବ୍ରତ ପଟ୍ଟନାୟକ ଓ ସାଧାରଣ ସମ୍ପାଦକ ସୁନୀଲ କାୟଲ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ‘ଭେଲଭେଟ କଣ୍ଠସ୍ଵର’ ଗ୍ରାଣ୍ଡ ଫାଇନାଲର ବିଚାରକ ରୂପେ ଓଡିଆ ସିନେ ଜଗତର ପ୍ରଯୋଜକ ଆତିଶ କୁମାର ରାଉତ ଏବଂ ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକ ଅବିନାଶ ମିଶ୍ର ଯୋଗଦେଇଥିଲେ। ନିଜର ବକ୍ତବ୍ୟରେ ଶ୍ରୀ ଶତପଥୀ ‘ସଙ୍ଗୀତ ତରଙ୍ଗ ମ୍ୟୁଜିକ କ୍ଲବ’ର ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଇସ୍ପାତ ସହରର ସାଂସ୍କୃତିକ ନବଜାଗରଣରେ ଯୋଗଦାନ ଜାରି ରଖିବା ପାଇଁ ଅନୁପ୍ରେରିତ କରିଥିଲେ। ଅନ୍ୟ ଅତିଥିମାନେ ମଧ୍ୟ ସଙ୍ଗୀତ ତରଙ୍ଗ ମ୍ୟୁଜିକ କ୍ଲବର ପ୍ରୟାସର ଉଚ୍ଚ ପ୍ରଶଂସା କରିଥିଲେ ।ଏହି ପ୍ରତିଭା ଅନ୍ଵେଷଣ ଇସ୍ପାତ ସହରର ‘ଭେଲଭେଟ କଣ୍ଠସ୍ଵର’ ଗ୍ରାଣ୍ଡ ଫାଇନାଲରେ ଡ଼ିଏଭି ପବ୍ଲିକ ସ୍କୁଲ ବାସନ୍ତୀ କଲୋନୀର ବିଭାସ ରଞ୍ଜନ ରାଉତରାୟ ବିଜୟୀ ହୋଇଥିବା ବେଳେ ଦିଲ୍ଲୀ ପବ୍ଲିକ ସ୍କୁଲର ପ୍ରାର୍ଥନା ବିଶ୍ଵାଳ ଓ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଚ୍ଛେଣ୍ଡର ଶ୍ରଦ୍ଧାଶ୍ରୀ ପାତ୍ର ପ୍ରଥମ ଓ ଦ୍ଵିତୀୟ ରନର୍ସ ଅପ ହୋଇଥିଲେ।

ଭାରତର ବିବିଧତା ମଧ୍ୟରେ ଏକତାକୁ ଦର୍ଶାଉଥିବା ନବେ ଦଶକର ଦୂରଦର୍ଶନର ଅତି ଲୋକପ୍ରିୟ ସଙ୍ଗୀତ ସ୍ତବକ ‘ମିଲେ ସୁର ମେରା ତୁମ୍ହାରା, କେ ସୁର ବନେ ହମାରା’ର ଭାବମୟ ପରିବେଷଣ ସହିତ ସଙ୍ଗୀତ ସନ୍ଧ୍ୟାର ଶୁଭାରମ୍ଭ ହୋଇଥିଲା। ପରେପରେ ସଙ୍ଗୀତ ସନ୍ଧ୍ୟାରେ ଅନେକ ମନଛୁଆଁ ନୂଆ ଓ ପୁରୁଣା ସଙ୍ଗୀତ ପରିବେଷିତ ହୋଇଥିଲା।ଏଥିରେ ତପନ ନାୟକଙ୍କ କଣ୍ଠରେ ପରଦା ହୈ ପରଦା, ବାସବଦତ୍ତାଙ୍କ ‘ସଲୋନା ସା ସଜନ ହୈ’, ବିମଳ ଓ ଲିନାଙ୍କ ଦ୍ବୈତ କଣ୍ଠରେ ତୋଫା ତୋଫା, ସୁଧାଂଶୁ ପ୍ରଧାନ ଓ ପୁଷ୍ପାଞ୍ଜଳିଙ୍କ ଦ୍ଵୈତ କଣ୍ଠରେ ‘ଏଇ ଝୁମା ଝୁମା ଗୋଲାପି ବେଳାରେ’, ଏହି ଭଳି କଳାକାରଙ୍କ ସମସ୍ତ ସଙ୍ଗୀତ ଦର୍ଶକଙ୍କ ମନମୋହି ନେଇଥିଲା। ବାସବଦତ୍ତା ମହାନ୍ତି , ପିଙ୍କି ମହାନ୍ତି , ଇତି ପଟ୍ଟନାୟକ, ସୋନାଲୀ ତ୍ରିପାଠୀ, ଲିନା ସେନାପତି, ସୁଧାଂଶୁ ଶେଖର ପ୍ରଧାନ, ପୁଷ୍ପାଞ୍ଜଳି ପାଣିଗ୍ରାହୀ, ପ୍ରାଞ୍ଜଳି, ରିନା, ବନୋଜ, ସତ୍ୟବ୍ରତ ମହାନ୍ତି, ତପନ ନାୟକ, ସନ୍ତୋଷ ଦାସ, ପ୍ରଦୀପ ମହାନ୍ତ, ବିକାଶ ପାତ୍ର, ଅଶ୍ଵିନୀ ସିଂହ, ବିଭୂଦତ୍ତ ରଥ, ବିମଳ ସାହୁ, ଅଜୟ ଖଟୁଆ, ଅଶୋକ ପଟେଲ, ଶଶାଙ୍କ ପଟ୍ଟନାୟକ, ଦେବଜିତ ରାଭାଙ୍କ ସମେତ ଡକ୍ଟର ପି କେ ସାହୁ, ଅର୍ଚ୍ଚନା ଶତପଥୀ ମନଛୁଆଁ ସଙ୍ଗୀତ ପରିବେଷଣ କରିଥିଲେ। ଡକ୍ଟର ଜୟନ୍ତ ଆଚାର୍ଯ୍ୟ ଓ ବଲ୍‌ଜିତ ସିଂହ ହୃଦୟସ୍ପର୍ଶୀ ଯୁଗଳବନ୍ଦୀ ବାଦ୍ୟ ସଙ୍ଗୀତ ପରିବେଷଣ କରିଥିଲେ ଯାହା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦକ ସନ୍ତୋଷ ଦାସ ସଙ୍ଗୀତ ତରଙ୍ଗ ସାଂସ୍କୃତିକ ନ୍ୟାସର କାର୍ଯ୍ୟଧାରା ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଅନୁଷ୍ଠାନର କଳାକାରମାନଙ୍କ ଦ୍ଵାରା ସଙ୍ଗୀତ ମାଧ୍ୟମରେ ସମାଜରେ ଏକ ଗଠନମୂଳକ ପରିବର୍ତ୍ତନ ଆଣିବା ପାଇଁ ପ୍ରଚେଷ୍ଟା ସମ୍ପର୍କରେ ସେ ଆଲୋକପାତ କରିଥିଲେ । ଅନୁଷ୍ଠାନର ସଭାପତି ତପନ କୁମାର ନାୟକ ଓ ଉପସଭାପତି ଶଶାଙ୍କ ପଟ୍ଟନାୟକ ତଥା ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଫିରୋଜ ଏବଂ ଶୁଭଶ୍ରୀଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ହୋଇଥିଲା୤

Leave a Reply

Your email address will not be published. Required fields are marked *

error: Content is protected !!