ଆମ୍ବେଦକରଙ୍କ ୧୩୨ତମ ଜନ୍ମବାର୍ଷିକୀ ଅବସରରେ ଏନ. ଆଇ. ଟି. ରାଉରକେଲା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ
1 min read
ଭାରତରତ୍ନ ବାବାସାହେବ ଡ଼. ଆମ୍ବେଦକରଙ୍କ ୧୩୨ତମ ଜନ୍ମବାର୍ଷିକୀ ଅବସରରେ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ, ରାଉରକେଲାରେ ଆୟୋଜିତ ହୋଇଯାଇଛି ଏକ ଜନ୍ମବାର୍ଷିକୀ କାର୍ଯ୍ୟକ୍ରମ। ଏଥିରେ ଅନୁଷ୍ଠାନର ଜନସମାଜ ଏକତ୍ରିତ ହୋଇ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ରାଷ୍ଟ୍ର ଗଠନରେ ତାଙ୍କ ଭୂମିକା ବିଷୟରେ ସ୍ମୃତିଚାରଣ କରିଥିଲେ। ସ୍ଥାନୀୟ ସାମାଜିକ କେନ୍ଦ୍ରରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପ୍ରଫେସର ହୃଷୀକେଶ ନାୟକଙ୍କ ସ୍ଵାଗତବାର୍ତ୍ତାରୁ । ସେ ବାବାସାହେବଙ୍କ ଜୀବନ ଏବଂ ଶିକ୍ଷା ଉପରେ ଏକ ବିସ୍ତୃତ ବିବରଣୀ ଦେଇଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କେ ଉମାହେଶ୍ୱର ରାଓ ଭାରତୀୟ ସମ୍ବିଧାନର ପିତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ଏହି କାର୍ଯ୍ୟକ୍ରମର ଉଦଘାଟନ କରିବା ସହ ବାବାସାହେବଙ୍କ ଉକ୍ତିକୁ ମନେ ପକାଇ ଶର ଶେଷ ବ୍ୟକ୍ତି ବିକଶିତ କିମ୍ବା ସଶକ୍ତ ନ ହେବା ପର୍ଯ୍ୟନ୍ତ ଭାରତ ବିକଶିତ ନୁହେଁ ବୋଲି ବିବେଚନା କରାଯିବ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ମ୍ୟୁନିସିପାଲ କଲେଜ, ରାଉରକେଲାର ପ୍ରଫେସର ସନାତନ ପ୍ରଧାନ ଯୋଗଦେଇ ଜୀବନରେ କଠିନ ପରିସ୍ଥିତିର କିପରି ସାମନା କରାଯାଏ, ଆମ୍ବେଦକର ତାହାର ଜ୍ଵଳନ୍ତ ଉଦାହରଣ ବୋଲି କହିଥିଲେ ଅନୁଷ୍ଠାନର କୁଳସଚିବ ପ୍ରଫେସର ରୋହନ ଧିମାନ ସମାବେଶକୁ ସମ୍ବୋଧିତ କରି ବାବାସାହେବଙ୍କ ବାର୍ତ୍ତାକୁ ଅନୁସରଣ କରି ନିଜକୁ ସମାଜର ସେବକ ହେବାକୁ ପ୍ରସ୍ତୁତ କରିବାକୁ ବୋଲି ଆହ୍ବାନ ଦେଇଥିଲେ। ଜି-୨୦ ଜଣ ଭାଗୀଦାରୀ ଅଭିଯାନର ନୋଡାଲ ଅଫିସର, ପ୍ରଫେସର ସ୍ନେହାଷିଶ ଚକ୍ରବର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମର ଦ୍ଵିତୀୟ ଅଧିବେଶନରେ ଜି-୨୦ ଜନ ଭାଗୀଦାରୀ ଅଭିଯାନର ଏକ ଅଂଶ ଭାବରେ ଅନୁଷ୍ଠାନରେ କାର୍ଯ୍ୟରତ ଶ୍ରମିକ ଓ ସେମାନଙ୍କ ପରିବାରଙ୍କ ପାଇଁ ଏକ ମାଗଣା ସ୍ଵାସ୍ଥ୍ୟ ଯାଞ୍ଚ ଶିବିର ଆୟୋଜିତ ହୋଇଥିଲା। ଜଗଦା ସ୍ଥିତ ସମାଜ ମଙ୍ଗଳ ସମିତି ହସ୍ପିଟାଲ ଏବଂ ଏନଆଇଟି ରାଉରକେଲା ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତରମାନେ ଏହି ଶିବିରରେ ଉପସ୍ଥିତ ରହି ପ୍ରାୟ ୫୦ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଅନୁଷ୍ଠାନର ଏନ୍ଏସ୍ଏସ୍ ବିଭାଗର ପ୍ରଭାରୀ ପ୍ରଫେସର ସନ୍ତୋଷ କୁମାର ସାହୁ ଏନ.ଏସ.ଏସ ର ସ୍ଵେଚ୍ଛାସେବୀମାନେ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।