ରାଉରକେଲା ଇସ୍ପାତ କାରଖାନାରେ ଜାତୀୟ ଅଗ୍ନିଶମ ଦିବସ ପାଳିତ
1 min read
ରାଉରକେଲା ଇସ୍ପାତ କାରଖାନା ସମଗ୍ର ଦେଶ ସହିତ ଅପ୍ରେଲ ୧୪ ତାରିଖରେ ଜାତୀୟ ଅଗ୍ନିଶମ ସେବା ଦିବସ ପାଳନରେ ସାମିଲ ହୋଇଥିଲା ଏହା ସହିତ ଆରଏସପିରେ ଅଗ୍ନିଶମ ସେବା ସପ୍ତାହ ପାଳନ ମଧ୍ୟ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଆରଏସପି ଅଗ୍ନିଶମ ସେବା ବିଭାଗର ସେଣ୍ଟ୍ରାଲ ଫାୟାର ଷ୍ଟେସନଠାରେ ଆୟୋଜିତ ଉତ୍ସବରେ ଆରଏସପିର ଭାରପ୍ରାପ୍ତ ନିର୍ଦ୍ଦେଶକ, ଅତନୁ ଭୌମିକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଏଥିରେ ଅଗ୍ନିଶମ ସେବା ବିଭାଗର ମହା ପ୍ରବନ୍ଧକ ଜୀବନ ବଲ୍ଲଭ ପଟ୍ଟନାୟକଙ୍କ ସମେତ ବହୁ ମୁଖ୍ୟ ମହାପ୍ରବନ୍ଧକ, ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଶ୍ରୀ ଭୌମିକ ଅଗ୍ନିଶମ ପତାକା ଉତ୍ତୋଳନ କରିବା ସହିତ ଗାର୍ଡ ଅଫ ଅନର ପରିଦର୍ଶନ କରିଥିଲେ। ୧୯୪୪ ମସିହାରେ ତତ୍କାଳୀନ ବମ୍ବେ ଡକୟାର୍ଡରେ ଭୟାବହ ଅଗ୍ନି କବଳରୁ ବହୁ ଧନଜୀବନ ବଞ୍ଚାଇବାକୁ ଯାଇ ପ୍ରାଣବଳୀ ଦେଇଥିବା ୬୬ ଜଣ ନିର୍ଭୀକ ଅଗ୍ନି ନିର୍ବାପନକାରୀଙ୍କୁ ସମ୍ମାନ ଜଣାଇ ଶ୍ରୀ ଭୌମିକ ଓ ଅନ୍ୟମାନେ ସେମାନଙ୍କ ସ୍ମୃତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ଏହି ଅବସରରେ ଡ଼ିଆଇସି ଅଗ୍ନି ପ୍ରତିରୋଧ ଉପରେ ଏକ ପୁସ୍ତିକା ଉନ୍ମୋଚନ କରିଥିଲେ। ପରେପରେ ଡ଼ିଆଇସି ଅଗ୍ନିସୁରକ୍ଷା ବାହନକୁ ନେଇ ଏକ ସଚେତନତା ଯାତ୍ରାର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅଗ୍ନିଶମ ସେବା ବିଭାଗୀୟ ବାହନ ଶିଳ୍ପ ସହରାଞ୍ଚଳ ଗସ୍ତ କରି ଅଗ୍ନି ସୁରକ୍ଷା ସମ୍ବନ୍ଧୀୟ ବାର୍ତ୍ତା ପ୍ରସାରିତ କରିବ। ପ୍ରାରମ୍ଭରେ ସମବେତ କର୍ମଚାରୀଙ୍କୁ ଓଡିଆ, ହିନ୍ଦୀ ଓ ଇଂରାଜୀରେ ଅଗ୍ନିଶମ ସେବା ଦିବସର ଶପଥପାଠ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଅଗ୍ନିଶମ ସେବା ଆରମ୍ଭ ଦିନଠାରୁ ଅଗ୍ନିଶମ ସପ୍ତାହ ପାଳନ କରାଯାଉଛି। ଅଗ୍ନିଶମ ବିଭାଗ ଦ୍ଵାରା ସପ୍ତାହବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଏବଂ ଅଗ୍ନି ପ୍ରତିରୋଧ ଜନିତ କୌଶଳ ପ୍ରଦର୍ଶନ କରାଯିବ। ଅଗ୍ନିଶମ ବିଭାଗର ଏଜିଏମ, ଶ୍ରୀ ଏମ ଆଇ ସୋଙ୍କୁସାରେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ନିଜର ଅଭିଭାଷଣରେ ଶ୍ରୀ ଭୌମିକ କହିଥିଲେ ଯେ ଚଳିତ ବର୍ଷ ଏହି ଦିବସ ପାଳନର ସନ୍ଦର୍ଭ ‘ଜାତୀୟ ଭିତ୍ତିଭୂମିର ଅଭିବୃଦ୍ଧି ପାଇଁ ଅଗ୍ନି ସୁରକ୍ଷା ସଚେତନତା’ ଉପରେ ଗୁରୁତ୍ଵାରୋପ କରିଥିଲେ। ଜାତୀୟ ସମ୍ପତ୍ତି ଓ ଭିତ୍ତିଭୂମିର ସୁରକ୍ଷାରେ ଅଗ୍ନିଶମ ସେବା ବିଭାଗର ମହତ୍ତ୍ୱପୂର୍ଣ୍ଣ ଭୂମିକା ବିଷୟରେ ସେ ଆଲୋକପାତ କରିଥିଲେ। ଅଦୃଶ୍ୟ ପରିସ୍ଥିତିର ସାମ୍ନା କରିବା ପାଇଁ ସମ୍ଭାବ୍ୟ ବିପଦର ଆକଳନ ଓ ସଦାସର୍ବଦା ସତର୍କ ରହିବା ଉପରେ ସେ ଗୁରୁତ୍ଵାରୋପ କରିଥିଲେ। ସେ ମଧ୍ୟ ସମସ୍ତଙ୍କୁ ସଂପୂର୍ଣ୍ଣ ଅଗ୍ନି ସୁରକ୍ଷିତ କାରଖାନା, ସମାଜ ଓ ରାଷ୍ଟ୍ର ସୁନିଶ୍ଚିତ କରିବା ନିମନ୍ତେ ଆହ୍ଵାନ ଦେଇଥିଲେ।