ପ୍ରଚଣ୍ଡ ରୌଦ୍ର ତାପ ଯୋଗୁଁ ସ୍ମାର୍ଟ ସିଟିରେ ଜନଜୀବନ ଅସ୍ତବ୍ୟସ୍ତ : ଜମୁଛି ଲସି ଓ ଅନ୍ୟାନ୍ୟ ଥଣ୍ଡା ପାନୀୟ ବେପାର
1 min read
ସାରା ରାଜ୍ୟରେ ବୃଦ୍ଧି ପାଇଛି ଦିନର ତାପମାତ୍ରା। ଏହି କ୍ରମରେ ସ୍ମାର୍ଟ ସିଟି ରାଉରକେଲା ସହରର ଜନଜୀବନ ମଧ୍ୟ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ସକାଳ ୬ଟାରୁ ଖରା ତାପ ସନ୍ଧ୍ୟା ପ୍ରାୟ ୫ଟା ପର୍ଯ୍ୟନ୍ତ ଜାରି ରହୁଛି। ଏହାଫଳରେ ସାଧାରଣ ଜନଜୀବନ ବ୍ୟାପକଭାବେ ପ୍ରଭାବିତ ହୋଇଛି। ବିଶେଷ କରି ଦିନ ୧୧ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଅନେକ ସହରବାସୀ ବାହାରକୁ ବାହାରିବାକୁ ସାହସ କରୁନାହାଁନ୍ତି।

ଅନ୍ୟପକ୍ଷରେ ପ୍ରତିବର୍ଷ ଅପ୍ରେଲ ୧ ତାରିଖ ସୁଦ୍ଧା ସହରର ବିଭିନ୍ନ ସ୍ଥାନରେ ଖୋଲୁଥିବା ଜଳଛତ୍ର ଏ ପର୍ଯ୍ୟନ୍ତ ଖୋଲି ନଥିବା ଦେଖିବାକୁ ମିଳିଛି। ସେହିଭଳି ସହରର ବିଭିନ୍ନ ସ୍ଥାନରେ ମହାନଗର ନିଗମ ପକ୍ଷରୁ ସ୍ଥାପିତ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ କାମ କରୁ ନଥିବା ଅଭିଯୋଗ ହୋଇଛି। ଉଦାହରଣଭାବେ ମୁଖ୍ୟା ରାସ୍ତାର ପୁରୁଣା ଟାକ୍ସି ଷ୍ଟାଣ୍ଡ୍କୁ ନିଆଯାଇପାରେ। ଏଠାରେ ଗତ କିଛିମାସ ପୂର୍ବେ ଆରମ୍ଭ ହୋଇଥିବା ପାନୀୟ ଜଳ ବ୍ୟବସ୍ଥା ମାତ୍ର ୫/୬ଦିନ ପରେ ବନ୍ଦ ହୋଇଯାଇଥିବା ଜଣାପଡ଼ିଛି। ସେହିଭଳି ସହରର ରିଙ୍ଗ୍ରୋଡ୍ ସମେତ ଅନ୍ୟ ପ୍ରମୁଖ ରାସ୍ତାମାନଙ୍କରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ହେଉଥିବା ଜଳଛତ୍ର ଅଦ୍ୟାବଧି ଆରମ୍ଭ ହୋଇନାହିଁ। ଏଭଳି ସ୍ଥିତିରେ ସହରରେ ଥାଣ୍ଡାପାନୀୟ ବେପାର ଜମିବାରେ ଲାଗିଛି। ତରଭୁଜ, ଖରଭୁଜ ସହିତ ଲସି ଓ ଅନ୍ୟାନ୍ୟ ପାନୀୟ ବେପାର ସହରର ଆମ୍ବାଗାନ ସମେତ ମୁଖ୍ୟ ରାସ୍ତାର ବିଭିନ୍ନ ସ୍ଥାନରେ ବୃଦ୍ଧି ପାଉଛି। ମହା ବିଷୁବ ସଂକ୍ରାନ୍ତି ପରେ ଖରାର ମାତ୍ରା ବୃଦ୍ଧି ପାଇବାର ଆଶଙ୍କା ରହିଛି। ତେଣୁ ଏବେଠାରୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।