ବଲଣ୍ଡା ପଞ୍ଚାୟତରେ ଥିବା କେଡିଆ କାର୍ବନର ପ୍ରଦୂଷଣକୁ ନେଇ କଂଗ୍ରେସ ନେତାଙ୍କ ଦାବିପତ୍ର
1 min read
ସୁନ୍ଦରଗଡ ଜିଲ୍ଲା ଲାଠିକଟା ବ୍ଲକ୍ ଅନ୍ତର୍ଗତ ବଲଣ୍ଡା ପଞ୍ଚାୟତରେ ଅବସ୍ଥିତ କେଡିଆ କାରଖାନା ଏକ ବ୍ୟାପକ ପ୍ରଦ୍ୟୁଷଣ ସୃଷ୍ଟିକାରୀ କାରଖାନା ଭାବେ ପରିଚିତ। ବଲଣ୍ଡା ପଞ୍ଚାୟତର ଆମ୍ୱଟୋଲା ଓ ଚୁତିଆଟୋଲା ଗ୍ରାମର ଭୂତଳ ଜଳକୁ କେଡିଆ କାର୍ବନର ବର୍ଜ୍ୟ ଜଳ ପ୍ରଦ୍ୟୁଷିତ କରୁଥିବା ବେଳେ କାରଖାନାରୁ ନିର୍ଗତ ବିଷାକ୍ତ ଗ୍ୟାସ୍ ଯୋଗୁଁ ଉକ୍ତ ଅଞ୍ଚଳର ବାୟୁ ମଧ୍ୟ ଅତ୍ୟନ୍ତ ଦୁର୍ଗନ୍ଧଯୁକ୍ତ ଏବଂ ସାଧାରଣ ଲୋକଙ୍କ ପାଇଁ ଅସହ୍ୟ ପରିସ୍ଥିତି ସୃଷ୍ଟି କରୁଛି ବୋଲି ବାରମ୍ବାର ଅଭିଯୋଗ ହେଉଛି। ଏହି କାରଖାନାର ପ୍ରଦୂଷଣ ବାବଦରେ ବିଭିନ୍ନ ସମୟରେ ଗ୍ରାମବାସୀମାନେ ପ୍ରଦ୍ୟୂଷଣ ନିୟନ୍ତ୍ରଣ ବୋର୍ଡ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ, ଏପରିକି ଗ୍ରୀନ୍ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି। ବିଭିନ୍ନ ସମୟରେ ପ୍ରଦ୍ୟୂଷଣ ନିୟନ୍ତ୍ରଣ ବୋର୍ଡ ଗ୍ରାମବାସୀଙ୍କ ଅଭିଯୋଗ ଉପରେ ଆବଶ୍ୟକୀୟ ତଦନ୍ତ କରି କାରଖାନାକୁ ଏକାଧିକାର ବନ୍ଦ ମଧ୍ୟ କରିଛନ୍ତି। ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ସର୍ତ୍ତାବଳୀରେ ରାଜି ହୋଇ କାରଖାନା କର୍ତ୍ତୃପକ୍ଷ କାରଖାନା ଚଳାଇବାର ଅନୁମତି ପାଇବା ପରେ ପୁନଶ୍ଚ ପ୍ରଦୂଷଷଣ ସୃଷ୍ଟି କରିଥାନ୍ତି। ସମ୍ପ୍ରତି କାରଖାନା ତରଫରୁ ବାୟୁ ଓ ଜଳ ପ୍ରଦ୍ୟୂଷଣ ପୂର୍ବପରି ଜାରି ରହିଥିବା ବେଳେ ଇତିମଧ୍ୟରେ ପ୍ରଦ୍ୟୂଷଣ ନିୟନ୍ତ୍ରଣ ବୋର୍ଡର କାରଖନା ଚଳାଇବା ଅନୁମତି ପତ୍ରର ମିଆଦ ଗତ ମାସ ୩୧ ତାରିଖରୁ ଶେଷ ହୋଇଯାଇଛି।

ବର୍ତ୍ତମାନ କାରଖାନା ଚଳାଇବା ପାଇଁ କର୍ତ୍ତୃପକ୍ଷଙ୍କ ନିକଟରେ ପ୍ରଦ୍ୟୂଷଣ ନିୟନ୍ତ୍ରଣ ବୋର୍ଡର ଅନୁମତି ପତ୍ର ନଥିଲେ ହେଁ ଗତ ୧୨ ଦିନ ହେଲା କାରଖାନା ରୀତିମତ ଚାଲିବା ସହ ବ୍ୟାପକ ପ୍ରଦ୍ୟୂଷଣ ସୃଷ୍ଟି କରିବାରେ ଲାଗିଛି। ଏହି କ୍ରମରେ ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ସଭ୍ୟ ବିରେନ ସେନାପତିଙ୍କ ନେତୃତ୍ୱରେ ସେହି ଅଞ୍ଚଳର କେତେକ ପ୍ରତିନିଧି ସ୍ତରୀୟ ବ୍ୟକ୍ତି ବିଶେଷ ରାଉରକେଲା ସ୍ଥିତ ଆଞ୍ଚଳିକ ପ୍ରଦ୍ୟୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀଙ୍କୁ ସାକ୍ଷାତ୍ କରି ଏହି ଘଟଣାର ତୀବ୍ର ବିରୋଧ କରିଥିଲେ। ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡର ବିନା ଅନୁମତିରେ ଗତ ୧୨ ଦିନ ହେଲା ଏହି କାରଖାନା କିପରି ଚାଲିଛି ବୋଲି ଶ୍ରୀ ସେନାପତି ପ୍ରଶ୍ନ କରିବା ସହ ଅବିଳମ୍ୱେ କାରଖାନାକୁ ସିଲ୍ କରିବା ପାଇଁ ଆଞ୍ଚଳିକ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି। ଏହା ସତ୍ତ୍ୱେ ଯଦି ଆଞ୍ଚଳିକ ଅଧିକାରୀ କାରଖାନା କର୍ତ୍ତୃପକ୍ଷ ତଥା ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ କର୍ତ୍ତୃପକ୍ଷଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରନ୍ତି ତେବେ ଉଭୟଙ୍କ ବିରୁଦ୍ଧରେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିନିଧି ଦଳ ଏହି ଅବସରରେ ଚେତାବନୀ ଦେଇଛନ୍ତି। ଆଞ୍ଚଳିକ ଅଧିକାରୀ ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ପଠାଇ ଘଟଣାର ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି ଏହି ଅବସରରେ ପ୍ରତିନିଧି ମଣ୍ଡଳୀକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପ୍ରତିନିଧି ଦଳରେ ଶ୍ରୀ ସେନାପତିଙ୍କ ସମେତ କୈଳାସ ସାହୁ, ନନ୍ଦ କିଷାନ, ପ୍ରମୋଦ ଲାକ୍ରା, ଗୋବିନ୍ଦ କୁଜୁର, ଭାସ୍କର ଖିଲ୍ଲାର, ବିଜୟ ସାହୁ, ସୁଧୀର ନାଥ, ସୁବଳ ବାସୁରୀ, ଆବିଦ୍ ହୁସେନ, ବିଶ୍ୱଜିତ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।