ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରେ ହାତୀ ଶାବକର ମୃତ୍ୟୁ

1 min read
Spread the love

ସାରାରାଜ୍ୟରେ ହାତୀ ମୃତ୍ୟୁ ଏବେ ଚର୍ଚ୍ଚାର ବିଷୟ ହୋଇଥିଲେ ସୁଦ୍ଧା  ଏପରି ଅଘଟଣ ଥମୁନାହିଁ। ନିକଟରେ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାର ମେଣ୍ଢାମାରୁଣି ଓ ଅଡ଼ାଘାଟ ପାରମସାହି ଜଙ୍ଗଲ ମଧ୍ୟରେ ୨ଟି ହାତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ସୋମବାର ପୁଣି କୋଇଡ଼ା ବନାଞ୍ଚଳ ଅଧୀନସ୍ଥ କୁସୁମୁଣ୍ଡି ମୁଣ୍ଡାବସ୍ତି ନିକଟରେ ଗୋଟିଏ ହାତୀଶାବକର ମୃତଦେହ ଉଦ୍ଧାର କରାଯାଇଛି। ଶାବକଟିର ବୟସ ପ୍ରାୟ ୫ ବର୍ଷ ହେବ ବୋଲି କୁହାଯାଉଛି। ସୂଚନା ଅନୁସାରେ ଗତ ରାତି ପ୍ରାୟ ୧୧ଟା ସମୟରେ ଏକ ୭ଟିକିଆ ହାତୀପଲ କୁସୁମୁଣ୍ଡି, କଚ୍ଚାଟୋଲା, ପୁଣ୍ଡିପୋଖରୀ ଅଞ୍ଚଳରେ ପଶିଥିଲେ। ସେହି ଦଳରେ ଶିଶୁହାତୀଟି ତା’ ମା’ ସହ ଥିଲା। ଲୋକେ ବାଣଫୁଟାଇ ଓ ଚିତ୍କାରକରି ଘଉଡାଇବାରୁ ହାତୀପଲ ଜଙ୍ଗଲ ନଦୀ ପଟକୁ ପଳାଇଥିଲେ। ଭୋର୍‌ରୁ ସାହାଣୀମୁଣ୍ଡା ଓ ସ୍ଥାନୀୟଲୋକେ ଶୌଚ ପାଇଁ ଗଲାବେଳେ ହାତୀଶିଶୁକୁ ପଡ଼ିଯାଇଥିବା ଦେଖି ବନବିଭାଗକୁ ସୂଚନା ଦେଇଥିଲେ। ସୂଚନାପାଇ କୋଇଡ଼ା ବନାଞ୍ଚଳ ଅଧିକାରୀ କାଜଲ ନାୟକ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ମୃତ ଶାବକ ନିକଟରେ ସେ ପର୍ଯ୍ୟନ୍ତ ତା’ ମା’ ଜଗିରହିଥିଲା।

ବହୁ ସମୟ ପରେ ମା’ ହାତୀ ନିକଟସ୍ଥ ଜଙ୍ଗଲ ଭିତରକୁ ଯିବାରୁ ବନବିଭାଗ ଓ ପୁଲିସ ମୃତ ହାତୀଶାବକ ନିକଟରେ ପହଞ୍ଚିଥିଲା। ବଣାଇ ବନଖଣ୍ଡ ଅଧିକାରୀଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ପରେ ମୃତ ଶାବକର ଶବକୁ ମାଟିରେ ପୋତି ଦିଆଯାଇଥିଲା। ଏହି ସମୟରେ ମା’ ହାତୀଟି ବାରମ୍ବାର ଜଙ୍ଗଲରୁ ବାହାରି କିଛି ଦୂରରେ ଠିଆହୋଇ ଘଟଣାସ୍ଥଳକୁ ଅନେଇ ପୁଣି ଜଙ୍ଗଲକୁ ପଳାଉଥିବାର ଦେଖିବାକୁ ମିଳିଥିଲା। ସୂଚନା ମୁତାବକ ମୃତ ଶାବକଟି ତା’ର ମା’ ଓ ହାତୀପଲ ସହ ବେଶ୍‌ କିଛିମାସ ହେଲା କୋଇଡ଼ା ବନାଞ୍ଚଳରେ ଦେଖିବାକୁ ମିଳୁଥିବା ସ୍ଥାନୀୟ ଲୋଏକ୍ କହିଛନ୍ତି। ଗତ ମାସ ୧୬ ତାରିଖରେ ନିଜ ଦଳ ସହ ଯାଉଥିବାବେଳେ ଏହି କୌଣସି କାରଣରୁ ଶିଶୁ ହାତୀଟି ଅସୁସ୍ଥ ହୋଇ ପଡ଼ିଯାଇଥିଲା। କୋଇଡ଼ା ବନବିଭାଗ ପକ୍ଷରୁ କେନ୍ଦୁଝର ଜିଲ୍ଲା ଓ ସ୍ଥାନୀୟ ଅଞ୍ଚଳର ପଶୁଡାକ୍ତରଙ୍କ ଦ୍ଵାରା ତା’ର ଚିକିତ୍ସା କରାଯାଇଥିଲା। ଚିକିତ୍ସା ପରେ ପରିଦିନ ଶିଶୁଟି ଉଠିବା ସହ ଚଲାବୁଲା କରି ମା’ ହାତୀ ଓ ଦଳ ସହ ଚାଲି ଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!