ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଶିକ୍ଷାର୍ଥୀମାନଙ୍କ ପାଇଁ ‘କୃତ୍ରିମ ବୁଦ୍ଧିମତା ଏବଂ ନୂତନ ପିଢ଼ି ପାଇଁ ସୁଯୋଗ’ ବିଷୟ ୱେବିନାର

1 min read
Spread the love

ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଭବିଷ୍ୟତରେ ନୂତନ ଉଦ୍ଭାବନର ପ୍ରେରଣା ଯୋଗାଇବା ପାଇଁ ଏନ୍.ଆଇ.ଟି.,ରାଉରକେଲା ପକ୍ଷରୁ ‘କୃତ୍ରିମ ବୁଦ୍ଧିମତା ବା Artificial Intelligence  ଏବଂ ନୂତନ ପିଢ଼ି ପାଇଁ ସୁଯୋଗ’  ବିଷୟ ଉପରେ ଏକ ୱେବିନାର ଆୟୋଜିତ ହୋଇଯାଇଛି | ଏଥିରେ  ଆଇ.ଆଇ.ଏମ୍. ବାଙ୍ଗାଲୋର ଏବଂ ଆଇ.ଏସ.ବି. ହାଇଦ୍ରାବାଦର ମନୋରଂଜନ ପ୍ରଧାନ ମୁଖ୍ୟ ବକ୍ତା ରୁପରେ ଯୋଗ ଦେଇ ଏ. ଆଇ. ପ୍ରଯୁକ୍ତିବିଦ୍ୟା ଉପରେ ଅଂଶଗ୍ରହଣକାରୀମାନଙ୍କୁ ବିସ୍ତୃତ ଜ୍ଞାନ ପ୍ରଦାନ କରିଥିଲେ।  ଏହି ଜି -୨୦  ଜନ ଭାଗୀଦାରୀ କାର୍ଯ୍ୟକ୍ରମରେ ଜବାହର ନବୋଦୟ ବିଦ୍ୟାଳୟ, ବରଗଡ, କେନ୍ଦ୍ରୀୟ ବିଦ୍ୟାଳୟ ଝାରସୁଗୁଡ଼ା, ରାଉରକେଲା ଏବଂ ବନ୍ଧମୁଣ୍ଡା ଏବଂ ଏନ.ଆଇ.ଟି. ରାଉରକେଲା ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିଭିନ୍ନ କ୍ଷେତ୍ର ଯଥା ସ୍ଵାସ୍ଥ୍ୟ, ଶିକ୍ଷା, କୃଷି, ଯାନବାହାନ ଇତ୍ୟାଦିରେ ଏ.ଆଇ. ର ପ୍ରୟୋଗ ବିଷୟରେ ଏହି ଅବସରରେ ଆଲୋଚନା ହୋଇଥିଲା। ଜି-୨୦ ଜନ ଭାଗୀଦାରୀ କାର୍ଯ୍ୟକ୍ରମ, ଏନ୍.ଆଇ.ଟି.,ରାଉରକେଲାର ନୋଡାଲ ଅଧିକାରୀ ପ୍ରଫେସର ସ୍ନେହାଷିଶ ଚକ୍ରବର୍ତ୍ତୀଙ୍କ ସହ  ଏହି ୱେବିନାରରେ ପ୍ରଫେସର ସନ୍ତୋଷ କୁମାର ଦାସ, ପ୍ରଫେସର ସୁପ୍ରତିମ ଗୁପ୍ତା, ପ୍ରଫେସର ମନ୍ମଥ ନାରାୟଣ ସାହୁ ତଥା ବହୁ ଅଧ୍ୟାପକ ଓ   ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ଓଡ଼ିଶାର ଭୁବନେଶ୍ୱରରେ “କାର୍ଯ୍ୟର ଭବିଷ୍ୟତ” ବିଷୟବସ୍ତୁକୁ କେନ୍ଦ୍ର କରି ଅନୁଷ୍ଠିତ ହେବ।  ଆନ୍ତର୍ଜାତୀୟ ସହଭାଗିତାକୁ ମଜଭୁତ କରିବା ତଥା ‘କାର୍ଯ୍ୟର ଭବିଷ୍ୟତ’ ବିଷୟ ଉପରେ ଆଲୋଚନା କରିବା ଏହି ବୈଠକର ମୁଖ୍ୟ ଲକ୍ଷ୍ୟ, ଯାହା ସହିତ କୃତ୍ରିମ ବୁଦ୍ଧି, ସ୍ଵଚାଳନ, ମେସିନ୍ ଲର୍ନିଂ ଇତ୍ୟାଦି ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ବିଷୟବସ୍ତୁ ଜଡ଼ିତ। ଏନ.ଆଇ.ଟି ରାଉରକେଲାକୁ ଏହି ବୈଠକରେ କୃତ୍ରିମ ବୁଦ୍ଧିମତା ସମ୍ବନ୍ଧୀୟ ବିଷୟବସ୍ତୁ ଯେପରିକି ମେସିନ୍ ଲର୍ନିଂ ଏବଂ ବିଗ୍ ଡାଟା ଆନାଲିଟିକ୍ସ ବିଷୟରେ ପ୍ରଚାର କରିବାକୁ ଦାୟିତ୍ଵ  ପ୍ରଦାନ  କରାଯାଇଛି |  ତୃତୀୟ ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ବୈଠକ ପୂର୍ବରୁ, ଏନ୍.ଆଇ.ଟି., ରାଉରକେଲା ବିଭିନ୍ନ ଜନ ଭାଗୀଦାରୀ ଅଧିବେଶନ ଏବଂ ୱେବିନାର୍ ଆୟୋଜନ କରୁଛି ଯାହା ଦ୍ଵାରା ପ୍ରଯୁକ୍ତିବିଦ୍ୟାର ପ୍ରାଥମିକ ଜ୍ଞାନ ସର୍ବାଧିକ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବ, ଯାହା ଦ୍ଵାରା ସେମାନେ ଏହାକୁ ସକାରାତ୍ମକ ଏବଂ ଉତ୍କୃଷ୍ଟ ଉପାୟରେ ବ୍ୟବହାର କରିପାରିବେ।

Leave a Reply

Your email address will not be published. Required fields are marked *

error: Content is protected !!