ରାଉରକେଲା ମୁଖ୍ୟ ରାସ୍ତାରେ ପ୍ରାୟ ୧୦ଘଣ୍ଟା ଧରି ବିଦ୍ୟୁତ କାଟକୁ ନେଇ ଅସନ୍ତୋଷ
1 min read
ଗୋଟିଏ ପଟେ ରାଜ୍ୟ ସରକାର କହୁଛନ୍ତି ଓଡ଼ିଶା ଏକ ବିଦ୍ୟୁତ ବଳକା ରାଜ୍ୟ। ତେଣୁ ଗ୍ରୀଷ୍ଣ ଋତୁରେ ବିଦ୍ୟୁତ କାଟ ହେବ ନାହିଁ। ଅନ୍ୟପକ୍ଷରେ ଟାଟା ପାୱାର ପଶ୍ଚିମ ଓଡ଼ିଶା ଲିମିଟେଡ ପକ୍ଷରୁ ରାଉରକେଲା ସହରର ମୁଖ୍ୟରାସ୍ତାରେ ପ୍ରାୟ ୧୦ଘଣ୍ଟା ଧରି ବିଦ୍ୟୁତ କାଟ ହୋଇଛି। ସୋମବାର ଦିନ ମୁଖ୍ୟ ରାସ୍ତାର ବିଭିନ୍ନ ସ୍ଥାନରେ ଟ୍ରାନସଫରମର ଓ ଅନ୍ୟାନ୍ୟ ମରାମତି କାର୍ଯ୍ୟ ନିମନ୍ତେ ବିଦ୍ୟୁତ କାଟ ହୋଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

ଏଠାରେ ପ୍ରଶ୍ନଉଠୁଛି ପ୍ରବଳ ଗରମ ଓ ଖରା ସମୟରେ ଦୀର୍ଘ ସମୟ ଧରି ବିଦ୍ୟୁତ କାଟ ନକରି ଖରା ପୂର୍ବରୁ କ’ଣ ମରାମତି ହେବା ସମ୍ଭବ ହୋଇ ନଥାନ୍ତା? ଅନ୍ୟପକ୍ଷରେ ଏହି ମରାମତି ଦ୍ୱାରା ଗ୍ରାହକମାନେ ବିଦ୍ୟୁତ ସେବା ପାଇବାରେ ଅଧିକ ସୁବିଧା ହେବ ବୋଲି ବିଦ୍ୟୁତ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରାୟ ଦୁଇବର୍ଷ ପୂର୍ବେ ଭଲ ବିଦ୍ୟୁତ ସେବା ଯୋଗାଇବାକୁ ବିଦ୍ୟୁତ ବିତରଣ ପାଇଁ ଟାଟା ପାୱାରକୁ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଗତ ଦୁଇବର୍ଷ ମଧ୍ୟରେ ସ୍ମାର୍ଟ ସିଟି ରାଉରକେଲାରେ ବିଦ୍ୟୁତ ବିତରଣ ବ୍ୟବସ୍ଥା କିପରି ଚାଲିଛି ତାହା ସହରବାସୀଙ୍କୁ ଭଲଭାବେ ଜଣା। ଅନେକ ସମୟରେ ଘଣ୍ଟା ଘଣ୍ଟା ଧରି ଘୋଷିତ ବିଦ୍ୟୁତ କାଟ ସହିତ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ସହରବାସୀ ସମସ୍ୟାରେ ଥିବା ଦେଖିବାକୁ ମିଳିଛି।