ଆନ୍ତର୍ଜାତିକ କିନ୍ନର ଦୃଶ୍ୟମାନତା ଦିବସ ଉପଲକ୍ଷେ ସୁନ୍ଦରଗଡ଼ କିନ୍ନର ସଂଘର କାର୍ଯ୍ୟକ୍ରମ
1 min read
ସମାଜରେ ତୃତୀୟଲିଙ୍ଗୀ ବା କିନ୍ନରମାନଙ୍କ ଉପସ୍ଥିତି ଓ ସେମାନଙ୍କ ସଫଳତାକୁ ସ୍ବୀକୃତି ଦେବା ଲାଗି ମାର୍ଚ୍ଚ ୩୧ ତାରିଖ ଦିନ ସମଗ୍ର ବିଶ୍ବରେ ‘ଆନ୍ତର୍ଜାତିକ କିନ୍ନର ଦୃଶ୍ୟମାନତା ଦିବସ’ ପାଳନ କରାଯାଉଛି। ଆମେରିକାର ପ୍ରମୁଖ କିନ୍ନର କର୍ମୀ ରାଚେଲ କ୍ରାଣ୍ଡାଲଙ୍କ ଉଦ୍ୟମ କ୍ରମେ ୨୦୦୯ ମସିହାରୁ ଏହି ଦିନକୁ କିନ୍ନରଙ୍କ ଉଦ୍ଦେଶ୍ୟରେ ସମର୍ପି ଦିଆଯାଇଛି। ଏପରି ଦିବସ ପାଳନ ଦ୍ବାରା ସମାଜର ସବୁବର୍ଗର ଲୋକ ଆମ ଭିତରେ ରହିଥିବା କିନ୍ନରମାନଙ୍କୁ ସମ୍ମାନ ପ୍ରଦାନ ପୂର୍ବକ ସେମାନେ ସାମନା କରୁଥିବା ସାମାଜିକ ସଂଘର୍ଷ ସମ୍ପର୍କରେ ସଚେତନ ହୋଇପାରିବେ। ସମାଜରେ ସଂସ୍କାର ଆଣି କିନ୍ନର ସମ୍ପ୍ରଦାୟକୁ କିପରି ସଶକ୍ତ କରାଯାଇପାରିବ ସେ ବାବଦରେ ମଧ୍ୟ ସମସ୍ତେ ବିଚାର କରିବା ପାଇଁ ଏହା ଉତ୍ପ୍ରେରିତ କରୁଛି। ସମଗ୍ର ପୃଥିବୀରେ କିନ୍ନରମାନେ ନାନା ସାମାଜିକ ଭେଦଭାବର ଶିକାର ହୋଇ ଆସୁଛନ୍ତି। କାର୍ଯ୍ୟସ୍ଥଳ ହେଉ, ଶିକ୍ଷାନୁଷ୍ଠାନ ବା ନିଜ ପରିବାର ହେଉ, ସେମାନଙ୍କୁ ଅନ୍ୟମାନେ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ସମାଜରେ ଭିନ୍ନ ହୋଇ ଜନ୍ମହେବାର ଅଭିଶାପ ଭାବେ ସେମାନଙ୍କୁ ଭୀଷଣ ଅସମାନତା ଓ ନିର୍ଯାତନା ଭୋଗିବାକୁ ପଡୁଛି। ତେଣୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ କିନ୍ନରମାନେ ଏପରି ଭେଦଭାବର ଅବିଶ୍ବସନୀୟ ବୋଝ ବୋହି ଚାଲିଥିବା ବେଳେ ସେ ସଂପର୍କରେ ଜନସତେତନା ସୃଷ୍ଟି କରି ସେମାନଙ୍କ ମନରେ ଆଶାର କିରଣ ଆଣିବା ହିଁ ହେଉଛି ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ସେମାନଙ୍କୁ ନ୍ୟାଯ୍ୟ ଅଧିକାର ପ୍ରଦାନ ନିମନ୍ତେ ଅଧିକ ଆଇନଗତ ପ୍ରାବଧାନ ଆଣିପାରିଲେ ସେମାନେ ସମାଜରେ ସ୍ବାଭିମାନର ସହିତ ବଞ୍ଚିପାରିବେ ବୋଲି ସୁନ୍ଦରଗଡ଼ କିନ୍ନର ସଂଘର ସଭାପତି ଜୋୟା ତ୍ରିପାଠୀ କହିଛନ୍ତି। ସଂଘ ପକ୍ଷରୁ ରାଉରକେଲା ସହରର ଆମ୍ବେଦକର ଛକରେ ଏହି ଅବସରରେ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ସାମାଜିକ ସଙ୍ଗଠନ ସାଥୀ ଓ କିନ୍ନର ମା ଟ୍ରଷ୍ଟ ମିଳିତଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ସାମାଜିକ ନ୍ୟାୟ ବିଭାଗ ସହଯୋଗରେ ହୋଇଥିଲା। ଏହି ଅବସରରେ ପାନପୋଷ ଆଇଟିଡିଏ ସମ୍ମିଳନୀ କକ୍ଷରେ ଏକ ସଭାର ଆୟୋଜନ କରାଯାଇଥିଳା। ଏଥିରେ ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଯୋଗଦେଇ କିନ୍ନରମାନଙ୍କର ସମସ୍ୟା ଓ ଏହାର ସମାଧାନ ସହିତ କିନ୍ନରମାନଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।