ଶ୍ରୀକ୍ଷେତ୍ରର ଗୋସାଣୀ ଯାତ୍ରା: ଏକ ଆଲୋଚନା

1 min read
Spread the love

ଦଶହରା ସମୟରେ ଦୁର୍ଗାପୂଜାକୁ ପୁରୀରେ ଗୋଷାଣି ଯାତ୍ରା ଭାବେ ପାଳନ କରାଯାଏ । ପୁରୀରେ ଥିବା ଅନେକ ସ୍ଥାନରେ ମାଦୁର୍ଗାଙ୍କର ମୃଣ୍ମୟୀ ମୂର୍ତ୍ତିପୂଜା ପାଆନ୍ତି। ମହିଷାସୁରର ପତ୍ତନ ପରେ ଦୁର୍ଗାଙ୍କ ସହଚରୀ ଯୋଗିନୀମାନେ ବିଭିନ୍ନ ପୀଠରେ ଅବସ୍ଥାନ କଲେ । ଏହିମାନଙ୍କ ରୂପକୁ ଗୋସାଣୀ କୁହାଯାଏ ।ଗୋସାଣୀମାନଙ୍କ ମୃଣ୍ମୟୀ ମୂର୍ତ୍ତି ଦୁର୍ଗାମୂର୍ତ୍ତିଙ୍କଠାରୁ ଭିନ୍ନ। ସପ୍ତମୀଠାରୁ ମହାନବମୀ ପର୍ଯ୍ୟନ୍ତ ମାଆ ଦୁର୍ଗାଙ୍କର ପୂଜା ହେଉଥିବା ବେଳେ ଏହି ଯୋଗିନୀମାନଙ୍କର ପୂଜା ସପ୍ତମୀ ଏକାଦଶୀ ପର୍ଯ୍ୟନ୍ତ ହୁଏ। ଶ୍ରୀକ୍ଷେତ୍ରରେ ଗୋସାଣୀମାନଙ୍କ ଭିନ୍ନ ଭିନ୍ନ ଯଥା କାକୁଡ଼ିଖାଇ, ବାରହାଟି, ଜହ୍ନିଖାଇ, ଶୂନ୍ୟଗୋସାଣୀ, କଣ୍ଟାକାଢି, ପଣାପ୍ରିୟା , ଭୋଗଜାଗା , ଚକ୍ରକୋଟି ଇତ୍ୟାଦିd|

. ମା କାକୁଡ଼ିଖାଇ

ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଉପାସନା ସହ ଦେବୀ ବିମଳାଙ୍କ ଉପସନା ସର୍ବଜନବିଦିତ। ଶାରଦୀୟ ପୂଜା ସମୟରେ ଦେବୀ ବିମଳାଙ୍କ ପ୍ରତିନିଧି ରୂପେ ଗଢ଼ାହୋଇ ପୂଜା ହୁଅନ୍ତି କାକୁଡ଼ିଖାଇ ଠାକୁରାଣୀ। କାକୁଡ଼ିଖାଇ ଠାକୁରାଣୀ ଙ୍କ ମନ୍ଦିର ଶ୍ରୀମନ୍ଦିରର ଦକ୍ଷିଣ ପୂର୍ବ କୋଣ ମେଘନାଦ ପାଚେରୀର ସମ୍ମୁଖ ଭାଗରେ ଥିବା ବଣିଆପଟି ନିକଟରେ । ଏ ଅଞ୍ଚଳରେ , ଏମାର ମଠ କାନ୍ଥକୁ ଲାଗି ଗୋଟିଏ ଦୁର୍ଗା ମନ୍ଦିର ରହିଛି ଓ ସେ ମନ୍ଦିରର ଦେବୀ କାକୁଡ଼ି ଖାଇ ନାମରେ ପରିଚିତ । ଅନେକ ତାଙ୍କୁ ବିମଳେଇ ମଧ୍ୟ କୁହନ୍ତି। ସେ ଶ୍ରୀମନ୍ଦିରରେ ବିରାଜିତା ମା ବିମଳା ଙ୍କ ପ୍ରତିନିଧି ରୂପେ ମଧ୍ୟ ଗୃହୀତ। ଶାରଦୀୟ ଦୁର୍ଗାପୂଜା ସମୟରେ ଏଠାରେ ହେଉଥିବା ମୃଣ୍ମୟ ବିଗ୍ରହ ଅତି ସୁନ୍ଦର । ଦେବୀ ଦୁର୍ଗା ମହିଷାସୁର ସଂହାର କରୁଥିବା କାକୁଡିଖାଇ ମେଢ଼ରେ ରୂପାୟତ , ମହିଷାସୁର ପଶୁ ଓ ଅସୁର ର ସମ୍ରିଶ୍ରନ ଏବଂ ଏହାର ପରିସ୍ପୁଟନ ପାଇଁ ଦେବୀ କାଟି ଦେଇଥିବା ମହିଷାସୁର ମୁଣ୍ଡଟି ତଳେ ପଡିଥାଏ ଓ ଗଣ୍ଡି ମଧ୍ୟରୁ ଢାଲ , ତରବାରୀ ଧରିଥିବା ଦୈତ୍ୟ ପ୍ରକାଶ ପାଇଥାଏ। ଦେବୀଙ୍କ ମୁଖଭଙ୍ଗୀ ତଥାପି ରୁଦ୍ର ଏବଂ ତାଙ୍କ ତ୍ରିଶୂଳ ଦାନବର ବକ୍ଷ ଭେଦ ପାଇଁ ସଞ୍ଚାଳିତ ଥାଏ। ଦେବୀଙ୍କ ଉଭୟ ପାର୍ଶ୍ୱରେ ଲକ୍ଷ୍ମୀ , ସରସ୍ୱତୀ , ଗଣେଶ ଓ କାର୍ତ୍ତିକେୟ ବିଦ୍ୟମାନ ।


ପୁରୀର ସୋଲ ଓ ଜରୀର ଅଭୁଷଣ ସହ ସୁନା ଓ ରୂପା ଅଭୁଷଣ ଗୁଡିକ ତାଙ୍କୁ ଅଧିକ ସୁନ୍ଦର କରିଥାଏ। ଶ୍ରୀମନ୍ଦିରରେ ଯେପରି ବିମଳାଙ୍କ ପାଖେ ଅଷ୍ଟମୀ ତିଥିରେ ଗୁପ୍ତ ନୀତି ହୋଇଥାଏ ସେଇପରି କାକୁଡ଼ିଖାଇଙ୍କ ନିକଟରେ ମଧ୍ୟ ଗୁପ୍ତ ନୀତି ହୋଇଥାଏ। ଦେବୀ ବିମଳାଙ୍କ ପରି କାକୁଡ଼ିଖାଇଙ୍କର ମଧ୍ୟ ଶ୍ରୀ ମନ୍ଦିର ସହ ଅନ୍ୟ ସମ୍ପର୍କ ଅଛି ଯଥା ଦେବୀଙ୍କ ପାଇଁ ଶ୍ରୀମନ୍ଦିର ରୁ ପତନୀ ଆସିଥାଏ ଏବଂ ଜଣେ ସେବାୟତ ହିଁ କାକୁଡ଼ିଖାଇଙ୍କ ସେବା ପୂଜା କରିଥାନ୍ତି। ଦେବୀ ଷୋଡଶ ଉପଚାର ରେ ପୂଜିତ ହୋଇଥାନ୍ତି। ପୁରୀର ଅନ୍ୟ ଗୋସାଣୀ ଏକାଦଶୀ ରେ ବିସର୍ଜନ ହେଉଥିବା ବେଳେ କାକୁଡ଼ିଖାଇ ଦଶମୀ ତିଥି ରାତିରେ ମୂଷା ନଈରେ ବିସର୍ଜନ ହୋଇଥାନ୍ତି । ପୂର୍ବେ ବିସର୍ଜନ ପୂର୍ବରୁ କାକୁଡିଖାଇ ବାରବାଟୀ ଗୋସାଣୀ ଙ୍କ ନିକଟକୁ ଯିବା ପରମ୍ପରା ଥିଲା ଦେବୀଙ୍କୁ କାକୁଡ଼ିଖାଇ ନାମରେ ଅଭିହିତ କରିବାର କାରଣ ଯେ ଏକଦା ଭୋଗରେ ଅର୍ପିତ ହେଉଥିବା ଏକ କାକୁଡ଼ି ସେ ଖାଇଦେଇଥିଲେ ଓ କାକୁଡ଼ିର ଅବଶିଷ୍ଟାଂଶ ତାଙ୍କ ଓଠରେ ଲାଗିଥିବା ଦେଖାଯାଇଥିଲା।

. ବାରହାଟି ଗୋସାଣୀ :

୩୦ ଫୁଟ୍ ଉଚ୍ଚତାର ମଣ୍ଡପ । ଏଇ ମଣ୍ଡପରେ ଅଧିଷ୍ଠିତ ହୁଏ ବାରବାଟୀ ଗୋସାଣୀଙ୍କ ମେଢ଼ ଯାହା ଉଚ୍ଚତାରେ ୨୨ ଫୁଟ୍ ରୁ ଅଧିକ । ଉକ୍ତ ଜାଗାର ନାମକୁ ଆଧାର କରି ହିଁ ଦେବୀଙ୍କୁ ବାରବାଟୀ ଗୋସାଣୀ ନାମରେ ନାମିତ କରା ହୋଇଛି । ଦେବୀ ଏଇ ଭାସ୍କର୍ଯ୍ୟରେ ବପୁମତି , ଯୁଦ୍ଧକୁଶଳା ଏବଂ ବିଜୟିନୀ ରୂପେ ରୂପାୟିତା ହୋଇଛନ୍ତି । ରୂପା ତାରକସି ଫୁଲ ଖଚିତ କଳାଶାଢ଼ୀ ପରିହିତା ଦେବୀଙ୍କର ଏକ ଦୁର୍ବୀନିତ ପାଦ ରହେ ମହିଷାସୁରର କାନ୍ଧରେ ଏବଂ ସେହି ଦୀପ୍ତିମୟୀ ଦଶଭୂଜା ଛିଡ଼ା ହୁଅନ୍ତି ଅନ୍ୟ ପାଦଟି ସିଂହ ଉପରେ ରଖି । ଆଠ ହାତରେ ଦେବୀ ଧରି ଥାଆନ୍ତି ଆୟୁଧ ତ୍ରିଶୂଳ , ଖଡ୍ଗ , ଚକ୍ର ,ଶଂଖ ,ଗଦା ଧନୁ ଓ ବଜ୍ର । ସୋଲ ଓ ଜରୀ ନିର୍ମିତ ଉତ୍କଳୀୟ ଆଭୂଷଣମାନଙ୍କ ଦ୍ବାରା ସେ ବିଭୁଷିତା ହୁଅନ୍ତି । କୁଶଳୀ ସୋଲ କାରୁରାର୍ଯ୍ୟର ଏକ କିରୀଟ ଦେବୀଙ୍କ ମସ୍ତକ ମଣ୍ଡନ କରିଥାଏ । ମଇଁଷୀ ମୁଣ୍ଡ ବିଶିଷ୍ଚ ମହିଷାସୁର ମଧ୍ୟ ଏ ମେଢ଼ରେ ବେଶ୍ ବୃହତ୍ ଆକାରର। ଗୋସାଣୀଙ୍କ ପାଦ ତଳେ ସେ କାବୁ ହୋଇ ରହିଥିବା ରୂପାୟିତ ହୁଏ । ଆଁ କରିଥିବା ତାର ପାଟି ପଦାକୁ ବାହାରି ଆସିଥିବା ଜିଭ ପ୍ରଭୃତି ସୁଚାଇ ଦିଏ ସେ ଏତେ ବେଳକୁ ହୀନବଳ….ପରାସ୍ତ । ଦେବୀ ଓ ମହିଷାସୁରକୁ ପଟ୍ଟଚିତ୍ରରେ ବ୍ୟବହୃତ ରଙ୍ଗ (ହିଙ୍ଗୁଳ ,ହରତାଳ ,ଶଂଖ ପ୍ରଭୃତି ) ଦ୍ବାରା ରଙ୍ଗୀନ କରାଯାଏ । ଦେବୀଙ୍କୁ ଆଶ୍ବିନ ଶୁକ୍ଳ ସପ୍ତମୀ ,ଅଷ୍ଟମୀ ଏବଂ ନବମୀ ତିନି ଦିନ ଧରି ପୂଜା କରାଯାଏ । ଶ୍ରୀନଅରରୁ ଝଡ଼େଇନେଦା ତାଡ଼ ବାରବାଟୀ ଠାକୁରାଣୀଙ୍କ ପାଖକୁ ଆସିବାର ପରମ୍ପରା ରହିଛି ।

. ଜହ୍ନିଖାଇ ଗୋସାଣୀ

ଦୁର୍ଗାପୂଜା ବେଳେ ଦୋଳମଣ୍ଡପ ସାହିରେ ନିର୍ମିତ ହୁଏ ଜହ୍ନିଖାଇ ବା ଜହ୍ନି ମୁଣ୍ଡିଆ ଗୋସାଣୀ । ଜହ୍ନିଖାଇ ମେଢ଼ ଆକାରରେ ବିପୁଳକାୟ ; ଏବଂ ମୂର୍ତ୍ତି ଗଠନ ଦୃଷ୍ଟିରୁ ମଧ୍ୟ ବୈଶିଷ୍ଟ୍ୟପୂର୍ଣ୍ଣ । ଦେବୀ ଯେଉଁ ଦୈତ୍ୟକୁ ବଧ କରୁଥିବା ଦେଖାଯାଏ ତାକୁ ତାଡକାସୁର ବୋଲି କୁହାଯାଏ। ଦେବୀ ଦଶଭୁଜା , ସୋଲ ଓ ଜରି, ରୋୖପ୍ୟର ବହୁ ଅଳଙ୍କାରରେ ବିଭୂଷିତା ହୁଅନ୍ତି । ଆୟତ ନାୟନା , ତ୍ରିନେତ୍ରୀ , ତାଙ୍କ ଚିବୁକ , ଓଷ୍ଠ , ନାସା ନାରୀ ମୂର୍ତ୍ତି ଶୈଳୀରେ ଗଠିତ। ତାଙ୍କର ବଳିଷ୍ଠ ଡାହାଣ ପାଦ ଅସୁର ର କାନ୍ଧ ଉପରେ ରହେ ସତେ ଯେମିତି କି ଏକ ସହଜ , ଅନାୟସ ବିଜୟରେ ଦେବୀ ଉତ୍ଫୁଳିତ । ମୁଖବ୍ୟାଦାନ କରି ଉପର ପାଟିର ଦାନ୍ତ ପ୍ରଦର୍ଶନ କରିଥିବା ଅସୁର ହାତରେ ଖଣ୍ଡା ଉତ୍ତୋଳନ କରିଥାଏ। ଘଞ୍ଚ ଭୃଲତା ତଳେ ତାର ଦୁଇ ବଡ଼ ଆଖିର ଚାହାଣୀ ଓ ମୁଖଭଙ୍ଗୀ ଭୀତି ଉଦ୍ରେକକାରୀ। ମୁହଁର ରଙ୍ଗ , ନିଶ ଓ ମୁଣ୍ଡବାଳ ଦୈତ୍ୟକୁ ଅଧିକ ଭୟାବହ କରେ । ଜହ୍ନିଖାଇ ଠାକୁରାଣୀ ନିକଟକୁ ଜଗନ୍ନାଥଙ୍କ ଆଜ୍ଞାମାଳ ଆସିଥାଏ। ମା ହେଉଛନ୍ତି ପରମ ବୈଷ୍ଣବୀ ଓ ବନ ଦୁର୍ଗା ମନ୍ତ୍ର ରେ ପୂଜିତା । ଏଠାରେ ଆମିଷ ଭୋଗ ଅର୍ପଣ ହୁଏନାହିଁ। ବଳି ରୂପେ ଜହ୍ନି ଛେଦନ ହେତୁ ଦେବୀଙ୍କ ନାମ ଜହ୍ନିଖାଇ।

. ଶୂନ୍ୟ ଗୋସାଣୀ

ମୂର୍ତ୍ତିକଳା ଶୈଳୀ ଦୃଷ୍ଟିରୁ ମାଟି ମଣ୍ଡପ ସାହିର ଶୂନ୍ୟ ଗୋସାଣୀ ଅନ୍ୟତମ । ଶୂନ୍ୟ ଗୋସାଣୀ ମେଢ଼ କଳା କୁଞ୍ଜ ଭଳି ନିର୍ମିତ । ଦେବୀଙ୍କୁ ଶୂନ୍ୟ ଗୋସାଣୀ ନାମରେ ନାମିତ କରାଯିବାର କାରଣ , ସେ ଶୂନ୍ୟ ରେ ଉଡିବା ଭଳି ଅବସ୍ଥାରେ ଦୈତ୍ୟ (ଆଦିତ୍ୟ) ସଂହାର କରୁଥିବା ଦର୍ଶା ଯାଇଥାଏ ମହିଷାସୁର କେବଳ ଭୂମିରେ ନୁହେଁ ବରଂ ଆକାଶରେ ମଧ୍ୟ ଦେବୀଙ୍କ ସହ ଯୁଦ୍ଧ କରିଥିଲା । ଅଷ୍ଟ ଭୁଜ ବିଶିଷ୍ଟ ଦେବୀଙ୍କର ମୂର୍ତ୍ତି ପ୍ରଭାର ପ୍ରାୟ ମଝି ଭାଗରେ ଥାଏ। ମେଢ଼ର ନିମ୍ନ ଭାଗରେ ଚଣ୍ଡୀ , ଚାମୁଣ୍ଡା ଆଦି ପ୍ରଦର୍ଶିତ ହୋଇଥାଏ। ମାଟିମଣ୍ଡପ ସାହି ହରଚଣ୍ଡୀ ଠାକୁରାଣୀ ଙ୍କ ମନ୍ଦିର ସମୀପରେ ଶୂନ୍ୟ ଗୋସାଣୀ ଙ୍କ ମଣ୍ଡପ ରହିଛି । ସପ୍ତମୀ , ଅଷ୍ଟମୀ , ନବମୀ ଦିନ ଦେବୀଙ୍କୁ ଆରାଧନା କରାଯାଏ। ମନ୍ଦିର ପାର୍ଶ୍ୱରେ ଥିବା ଏକ ରୋଷଶାଳା ରେ ଦେବୀଙ୍କ ନିମନ୍ତେ ଭୋଗ ରନ୍ଧାଯାଏ। । ଭୋଗରେ ପୋଡା ମାଛ ଅନ୍ତର୍ଭୁକ୍ତ ; ଏହା ଦେବୀଙ୍କ ପାଖେ ଥିବା ଚଣ୍ଡୀ ଓ ଚାମୁଣ୍ଡା ଙ୍କ ନିମନ୍ତେ ଅର୍ପଣ ହୋଇଥାଏ।

. କଣ୍ଟାକାଢି ଗୋସାଣୀ

ଦକ୍ଷିଣପାର୍ଶ୍ବରେ ଦଣ୍ଡାୟମାନ ଥିବା ମହାଦେବଙ୍କ ଉପସ୍ଥିତିରେ ଦୁର୍ଗାଙ୍କ ଦକ୍ଷିଣ ପାଦରୁ ସ୍ବୟଂ ବିଷ୍ଣୁ କଣ୍ଟକ ଉତ୍ପାଟନ କରୁଥିବା ଦୃଶ୍ଯ ସମ୍ବଳିତ ଏକ ବିଗ୍ରହ ପ୍ରକଳ୍ପ: ମଣିକର୍ଣ୍ଣିକା ସାହିର ବିଶିଷ୍ଟ ବ୍ଯକ୍ତିମାନଙ୍କ ଦ୍ବାରା ଦଶହରା ଅବସରରେ ପ୍ରତିବର୍ଷ ନିର୍ମାଣ କରାଯାଇ ପୂଜା କରାଯାଇଥାଏ। ପାଦରେ କଣ୍ଟା ଗଳିଯାଇଥିବାରୁ ଦୁର୍ଗା ନିଶ୍ଚିତ ରୂପେ ବନଭ୍ରମଣରେ ଯାଇଥିବା ପରିକଳ୍ପନାକୁ ଆଧାର କରି ନିର୍ମିତ ଏହି ଦେବୀଙ୍କୁ ବନଦୁର୍ଗା ନାମରେ ଅଭିହିତ କରିବା ଯଥାର୍ଥ। ଏଠାରେ ଦେବଦେବ ମହାଦେବଙ୍କ ଅସହାୟତା ସହିତ ବିଷ୍ଣୁଙ୍କର ସେବା ପରାୟଣତା ଊର୍ଦ୍ଧ୍ବରେ ଶକ୍ତିଙ୍କର ପ୍ରାଧାନ୍ଯ ହିଁ ବିଜ୍ଞାପିତ ହେବା ସହିତ ଶୈବଶାକ୍ତବୈଷ୍ଣବ ସଂସ୍କୃତିର ତ୍ରିବେଣୀ ସଙ୍ଗମ ସଂଘଟିତ ହୋଇଅଛି। ଏହି କଣ୍ଟାକାଢି ଗୋସାଣୀଙ୍କ ଗଠନ ଶୈଳୀ ଓ ସାଜସଜ୍ଜା ପରିପାଟୀ ବେଶ୍ ଚମତ୍କାର।

. ପଣାପ୍ରିୟା ଗୋସାଣୀ

ବାସେଳୀ ସାହିରେ କଣାପୁରିଆ ( ପୁରୁଷୋତ୍ତମ, ପୂର୍ଣ୍ଣ ଚନ୍ଦ୍ର,ପୁରନ୍ଦର) ନାମକ କୌଣସି ଏକ ଆଖି ବିଶିଷ୍ଟ କାରିଗର ଏହି ପାଷାଣ ମୂର୍ତ୍ତି ନିର୍ମାଣ ତଥା ପ୍ରତିଷ୍ଠା କରିଥିଲେ। ସାହିପିଲାଙ୍କ ଚାନ୍ଦା ଭେଦାରେ ଦଶହରା ସମୟରେ ଏଠାରେ ନିର୍ମିତ ମୃଣ୍ମୟୀ ଗୋସାଣୀଙ୍କ ନାମ ଅପଭ୍ରଂଶ ହୋଇ କଣାପୁରିଆରୁ ପଣାପ୍ରିୟା(୧୧) ହୋଇଅଛି। ଏହି ପଣାପ୍ରିୟା ଗୋସାଣୀଙ୍କ ନାମାନୁସାରେ ଦେବୀ ପୂଜା ପାଉଥିବା ଲୋକନାଥ ରୋଡ ସଂଲଗ୍ନ ଗଳିଟି ମଧ୍ଯ ପଣାପ୍ରିୟା ଗଳି ନାମରେ ନାମିତ ହୋଇଅଛି। ଅଷ୍ଟଭୂଜ ବିଶିଷ୍ଟା ହରଚଣ୍ଡୀ ଦୁର୍ଗାରୂପେ ନିର୍ମିତ ଏହି ପଣାପ୍ରିୟା ଠାକୁରାଣୀ ମୋଡାମହିଷର କାନକୁ ଧରିଥାନ୍ତି ଏବଂ ଦେବୀବାହନ ସିଂହ ମଧ୍ଯ ମହିଷାସୁରର ବାମ ଆଣ୍ଠୁରେ ଦଶନାଘାତ କରିଥାଏ। ମାଟି କାର୍ଯରେ ଉନ୍ନତ ଏହି ଗୋସାଣୀ ବିଗ୍ରହ ନିର୍ମାଣ ସରିବା ପରେ ଘଟ ବସିବା ନିମିତ୍ତ ମଙ୍ଗଳାଘାଟରୁ ଜଳତୋଳା ହୋଇଆସେ। ଦୁର୍ଗା ମନ୍ତ୍ରରେ ଉପାସିତ ଏହି ପଣାପ୍ରିୟାଙ୍କୁ ସଙ୍କୁଡି ଭୋଗ ଲାଗି ହୋଇଥାଏ। ଏକାଦଶୀ ଦିନ ଶ୍ରୀମନ୍ଦିରରୁ ଖଣ୍ଡୁଆ ଓ ରାଜନବରରୁ ଶାଢୀ ଆସି ଲାଗି ହେବା ପରେ ଜହ୍ନିବଳି ଦିଆଯାଇ ଦେବୀଙ୍କୁ ବିସର୍ଜନ ଦିଆଯାଏ।

.ଭୋଗଜାଗା ଗୋସାଣୀ

ରାମଚନ୍ଦ୍ର ଦେବଙ୍କ ରାଜତ୍ବ ସମୟରେ ମାଟିମଣ୍ଡପ ସାହିରେ ଏକ ମଣ୍ଡପ ନିର୍ମାଣ କରାଯାଇଥିଲା, ଯେଉଁ ମଣ୍ଡପରେ ସମ୍ପ୍ରତି ଶ୍ରୀମନ୍ଦିରର ବିଭିନ୍ନ ପର୍ବପର୍ବାଣିରେ ସମ୍ପୃକ୍ତ ଅର୍ଚ୍ଚା ପ୍ରତିମାମାନଙ୍କୁ ପଙ୍କ୍ତି ଭୋଗ ସମର୍ପଣ କରାଯାଇ ଆସୁଅଛି। ଉକ୍ତ ଭୋଗମଣ୍ଡପ ପାର୍ଶ୍ବରେ ଭୋଗବତୀ ହରଚଣ୍ଡୀ ବିଦ୍ଯମାନ ଅଛନ୍ତି। ସେବାଶୃଙ୍ଖଳା ତଥା ଆଭ୍ଯନ୍ତରୀଣ ନିରାପତ୍ତା ନିମିତ୍ତ ଏଠାରେ ଯେଉଁ ଜାଗା ପ୍ରତିଷ୍ଠା କରାଯାଇଥିଲା, ତାହା ଭୋଗଜାଗା ନାମରେ ପରିଚିତ । ପ୍ରୋକ୍ତ ଭୋଗମଣ୍ଡପ ପାର୍ଶ୍ବରେ ଭୋଗବତୀ ହରଚଣ୍ଡୀ ବିଦ୍ଯମାନ ଅଛନ୍ତି। ସେବାଶୃଙ୍ଖଳା ତଥା ଆଭ୍ଯନ୍ତରୀଣ ନିରାପତ୍ତା ନିମିତ୍ତ ଏଠାରେ ଯେଉଁ ଜାଗା ପ୍ରତିଷ୍ଠା କରାଯାଇଥିଲା, ତାହା ଭୋଗଜାଗା ନାମରେ ପରିଚିତ। ପ୍ରୋକ୍ତ ଭୋଗମଣ୍ଡପରେ ଦଶହରା ସମୟରେ ସାହିଭାଇ ତଥା ଜାଗା ସାଙ୍ଗମାନଙ୍କ ଚାନ୍ଦାରେ ନିର୍ମିତ ମୃଣ୍ମୟୀ ହରଚଣ୍ଡୀଙ୍କୁ ଭୋଗଜାଗା ଗୋସାଣୀ କୁହାଯାଏ । ଦଶଫୁଟ ଉଚ୍ଚତା ବିଶିଷ୍ଠ ଅଷ୍ଟଭୂଜା ଏହି ଦେବୀଙ୍କର ବାମପାଦ ମୋଡା ମହିଷର କାନ୍ଧ ଉପରେ ଓ ଅନ୍ଯ ପାଦଟି ସିଂହୋପରି ଅବସ୍ଥାପିତ। ଏହି ଭୋଗଜାଗା ଠାକୁରାଣୀଙ୍କୁ ଉଭୟ ପାର୍ଶ୍ବରେ ଛାୟାମାୟା ବିଗ୍ରହ ମଧ୍ଯ ପରିଶୋଭିତ। ଭୋଗଜାଗା ଗୋସାଣୀ ଦକ୍ଷିଣ ଗୋଡରେ ଶ୍ରୀଜଗନ୍ନାଥଙ୍କର ତମ୍ବାର ବାହୁଟି ପରିଧାନ କରିଥାନ୍ତି। ମୂଷାନଈରୁ ଜଳତୋଳା ହୋଇ ଘଟ ବସାଯାଇ ଠାକୁରାଣୀଙ୍କୁ ବନଦୁର୍ଗା ମନ୍ତ୍ରରେ ପୂଜା କରାଯାଏ। ପ୍ରକାଶଥାଉକି ଶ୍ରୀକ୍ଷେତ୍ରର ଗୋସାଣୀ ଉପାସନା ପରମ୍ପରାରେ ଏହି ଭୋଗଜାଗା ହରଚଣ୍ଡୀ ହେଉଛନ୍ତି ତୃତୀୟ ଗୋସାଣୀ। ଏହି ଭୋଗବତୀ ଗୋସାଣୀ ସ୍ବୀୟ ବୀରତ୍ବପୂର୍ଣ୍ଣ ଠାଣି ତଥା ପ୍ରଶଂସନୀୟ ଗଠନଶୈଳୀ ଓ ଉନ୍ନତମାନର ସାଜସଜ୍ଜାପାଇଁ ପ୍ରଥମ ସ୍ଥାନୀୟ ଅଟନ୍ତି। ଆଶ୍ବିନ ଶୁକ୍ଳ ଏକାଦଶୀ ଦିନ ଶ୍ରୀମନ୍ଦିରରୁ ପ୍ରସାଦ ଆସି ଭୋଗଜାଗା ହରଚଣ୍ଡୀ ଭୋଗବତୀ ଗୋସାଣୀଙ୍କୁ ସମର୍ପଣ କରାଯିବା ପରେ ପାଣିକଖାରୁ ବଳିଦେଇ ଠାକୁରାଣୀଙ୍କୁ ବିସର୍ଜନ କରାଯାଇଥାଏ।

.ଚକ୍ରକୋଟି ଗୋସାଣୀ

ହରଚଣ୍ଡୀ ସାହିରେ ଚକ୍ରକୋଟ ଜାଗା ଅବସ୍ଥିତ। ଏକଦା ପ୍ରୋକ୍ତ ଚକ୍ରକୋଟ ଜାଗାର ଖୁଣ୍ଟିଆ ସଂଜ୍ଞ୍ୟକ ଜନୈକ ସେବକଙ୍କୁ କୁଚବିହାରର ରାଣୀ ତାଙ୍କ ରାଜ୍ଯରୁ ଆଣିଥିବା ପାଷାଣ ନିର୍ମିତ ଏକ ଦେବୀ ବିଗ୍ରହଙ୍କୁ ଉପହାର ସ୍ବରୂପ ଦେବା ଫଳରେ ଖୁଣ୍ଟିଆ ଠାକୁରାଣୀଙ୍କୁ ଏକ ଉପବନରେ ପ୍ରତିଷ୍ଠା ପୂର୍ବକ ଉପାସନା କରିବାରୁ ଜାଗାର ନାମାନୁସାରେ ଦେବୀଙ୍କ ନାମ ଚକ୍ରକୋଟ ଠାକୁରାଣୀ ହେଲା। ଦଶହରା ସମୟରେ ଜାଗା ସାଙ୍ଗମାନେ ଠାକୁରାଣୀଙ୍କ ନାମାନୁସାରେ ଯେଉଁ ମୃଣ୍ମୟ ଦେବୀମୂର୍ତ୍ତି ନିର୍ମାଣ କରି ପୂଜା କଲେ, ସେ ଚକ୍ରକୋଟ ଗୋସାଣୀ ନାମରେ ବିଦିତ ହେଲେ ଏବଂ ଏହି ଗୋସାଣୀ ପୂଜାର ସମସ୍ତ ବ୍ଯୟ ସ୍ବୟଂ ରାଣୀ ବହନ କରୁଥିଲେ। ମାତ୍ର ସମ୍ପ୍ରତି ତାହା ଲୋପପାଇ ଜାଗା ସାଙ୍ଗମାନଙ୍କ ଅନୁଦାନରେ ବଳଭଦ୍ର ଖୁଣ୍ଟିଆଙ୍କ ତତ୍ବାବଧାନରେ ଏଠାରେ ପ୍ରତିବର୍ଷ ଗୋସାଣୀ ସ୍ଥାପନ କରାଯାଉଛି। ଅଷ୍ଟଭୂଜା ଏହି ଚକ୍ରକୋଟ ଗୋସାଣୀଙ୍କର ଏକପାଦ ମୋଡା ମହିଷ ଉପରେ ଓ ଅନ୍ଯ ପାଦଟି ସିଂହ ଉପରେ ଅବସ୍ଥାପିତ ।ସବୁବର୍ଷ ଏହି ଗୋସାଣୀଙ୍କ ଉଚ୍ଚତା ନିର୍ଦ୍ଦିଷ୍ଟ/ସମାନ ନଥାଏ। ଅର୍ଥ ବ୍ଯବସ୍ଥା ଅନୁସାରେ ଏହାଙ୍କ ଆକାର ହ୍ରାସ ବୃଦ୍ଧି ଘଟିଥାଏ। ମହାସପ୍ତମୀ ଦିନ ମୂଷାନଈରୁ ଜଳତୋଳା ହୋଇ କଳସ ବସିବା ପରେ ଗୋସାଣୀ ବନଦୁର୍ଗା ମନ୍ତ୍ରରେ ପୂଜା କରାଯାଇ ଦଶମୀ ଓ ଏକାଦଶୀ ବିଶ୍ରାମ ଦୁଇଦିନରେ ଦେବୀଙ୍କୁ ଶୀତଳ ଭୋଗ ଲାଗି କରାଯାଏ। ଏକାଦଶୀ ଦିନ ଶ୍ରୀମନ୍ଦିରରୁ ଆନୀତ ଖଣ୍ଡୁଆ, ପ୍ରସାଦ ସହିତ ପଣାଭୋଗ ହୋଇ ଠାକୁରାଣୀଙ୍କୁ ବିସର୍ଜନ କରାଯାଇଥାଏ।କଟକୀଶୈଳୀର ଏହି ଗୋସାଣୀଙ୍କର କଲିକତୀ ମୁହଁ ଯୋଗୁଁ ଏ ଦେବୀ ବିଗ୍ରହ ବେଶ୍ ଆକର୍ଷଣୀୟ ଅଟନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!