ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଦ୍ୱିଦିବସୀୟ ଆନ୍ତର୍ଜାତୀୟ ସମ୍ମିଳନୀ ଉଦ୍‌ଘାଟିତ

1 min read
Spread the love

‘ଓଡ଼ିଆ ପ୍ରୟୋଗବାଦୀ ନାଟ୍ୟଧାରା ଓ ନାଟ୍ୟକାର ମନୋରଞ୍ଜନ’ ଶୀର୍ଷକ ଆନ୍ତର୍ଜାତୀୟ ସମ୍ମିଳନୀ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ବଙ୍ଗଳାଦେଶ ନାଟ୍ୟ କଳା ସଂସ୍ଥା(ବିଟା) ଏବଂ ନେପାଳର ସରୱନମର ମିଳିତ ସହଯୋଗରେ ‘ଓଡ଼ିଆ ପ୍ରୟୋଗବାଦୀ ନାଟ୍ୟଧାରା ଓ ନାଟ୍ୟକାର ମନୋରଞ୍ଜନ’ ଶୀର୍ଷକ ଦ୍ୱିଦିବସୀୟ ଆନ୍ତର୍ଜାତୀୟ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଆ ପ୍ରୟୋଗବାଦୀ ନାଟ୍ୟଧାରାର ପଥ ପ୍ରଦର୍ଶକ ତଥା ବିଶିଷ୍ଟ ନାଟ୍ୟକାର ମନୋରଞ୍ଜନ ଦାସଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ମହାବିଦ୍ୟାଳୟ ପରିସରରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ନୃତ୍ୟଶିଳ୍ପୀ ତଥା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ଗୁରୁ ସିକତା ଦାସ ଯୋଗଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ବିଜୟ କୁମାର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥିଭାବେ ବରିଷ୍ଠ ଶିକ୍ଷାବୀତ୍‌ ତଥା ନାଟ୍ୟ ବ୍ୟକ୍ତିତ୍ୱ ପ୍ରଫେସର ଡ. ସମର ମୁଦାଲି ଯୋଗଦେଇଥିଲେ। ଗୁରୁ ଶ୍ରୀମତୀ ଦାସ ଏହି ଅବସରରେ ନିଜର ପିତା ତଥା ବିଶିଷ୍ଟ ନାଟ୍ୟକାର ପଦ୍ମଶ୍ରୀ ମନୋରଞ୍ଜନ ଦାଶଙ୍କ ଜନ୍ମଶତବାର୍ଷିକୀ ଉପଲକ୍ଷେ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆୟୋଜକଙ୍କୁ ସାଧୁବାଦ ଜଣାଇଥିଲେ। ଏହା ସହିତ ନିଜର ପିତାଙ୍କ ସାରସ୍ୱତ କୃତି ଏବଂ ପିତାଙ୍କ ସହିତ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ। ମନୋରଞ୍ଜନଙ୍କ ନାଟକକୁ ନନ୍ଦିକା କେଶରୀକୁ ନୃତ୍ୟ ମାଧ୍ୟମରେ ପରିବେଷଣ କରିବାର ଅନୁଭୁତି ସମ୍ପର୍କରେ ଶ୍ରୀମତୀ ଦାସ କହିବା ସହିତ ମନୋରଞ୍ଜନଙ୍କ ନାଟ୍ୟ ଧାରା ସମ୍ପର୍କରେ ଆଲୋଚନା କରିଥିଲେ।

ଅବମୂଲ୍ୟବୋଧରୁ ମୂଲ୍ୟବୋଧର ଯାତ୍ରା ହେଉଛି ମନୋରଞ୍ଜନଙ୍କ ନାଟକର ବିଶେଷତ୍ୱ

କାର୍ଯ୍ୟକ୍ରମରେ ଭିତ୍ତିନିବନ୍ଧ ଉପାସ୍ଥାପନ କରି ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ୱ ତଥା ନାଟ୍ୟ ଚେତନାର ପ୍ରତିଷ୍ଠାତା ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ – ନାଟକ ଏପରି ଏକ ମାଧ୍ୟମ ଯାହା ଅକ୍ଷର ଦ୍ୱାରା ଲିଖିତ କଥାକୁ ଦୃଶ୍ୟ ଓ ଶ୍ରାବ୍ୟ ମାଧ୍ୟମରେ ଚମତ୍କାର ଭାବେ ଉପସ୍ଥାପିତ କରିଥାଏ ବୋଲି କହିଥିଲେ। ମନୋରଞ୍ଜନଙ୍କ ନାଟକ ଏକାଧାରରେ ଲୋକଧର୍ମୀ, ପରୀକ୍ଷାଧର୍ମୀ ଓ ପ୍ରୟୋଗଧର୍ମୀ ଏବଂ ଏଭଳି ଓଡ଼ିଆ ନାଟ୍ୟକାର ବିଭିନ୍ନ ଭାରତୀୟ ଭାଷାରେ ବିରଳ ବୋଲି ଶ୍ରୀ ପଟ୍ଟନାୟକ ମତ ରଖିଥିଲେ। ପ୍ରଫେସର ଡ. ବେହେରା ସ୍ୱାଗତ ଅଭିଭାଷଣ ରଖିଥିଲାବେଳେ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଡ. ସୁଷମା ମୋଦି କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ଦେଇଥିଲେ।

ପ୍ରଫେସର ଡ. ସମର ମୁଦାଲି ତାଙ୍କ ବକ୍ତବ୍ୟରେ ବଙ୍ଗଳା ଭାଷାରେ ପ୍ରୟୋଗବାଦୀ ନାଟ୍ୟ ଧାରାର ପ୍ରବର୍ତ୍ତକ ବାଦଲ ସିକଦାରଙ୍କଠାରୁ ଓଡ଼ିଆର ପ୍ରୟୋଗବାଦୀ ନାଟ୍ୟ ଧାରାର ପ୍ରବର୍ତ୍ତକ ମନୋରଞ୍ଜନ ଦାସଙ୍କ ସମେତ ବିଭିନ୍ନ ନାଟ୍ୟକାରଙ୍କ ସମ୍ପର୍କରେ ଏକ ତୁଳନାତ୍ମକ ଆଲୋଚନା କରିଥିଲେ। ଏହା ସହିତ ମନୋରଞ୍ଜନଙ୍କ ନାଟକକୁ ମୋଟ ୪ଟି ପର୍ଯ୍ୟାୟଭୁକ୍ତ କରି ସେଗୁଡ଼ିକ ସମ୍ପର୍କରେ ତତ୍ତ୍ୱ ଓ ତଥ୍ୟଭିତ୍ତିକ ଆଲୋଚନା କରିଥିଲେ। ଏହି ଅବସରରେ ସମ୍ମିଳନୀ ଆଲୋଚନାର ଶୀର୍ଷକ ବିଷୟ ସମ୍ପର୍କୀତ ଲେଖାକୁ ନେଇ ପ୍ରକାଶିତ ସ୍ମରଣିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।

କାହାଣୀ ବିହୀନ ନାଟକ ସହିତ ବକ୍ତବ୍ୟ ଓ ଚରିତ୍ରର ଭାବନାକୁ ନେଇ ପ୍ରୟୋଗବାଦୀ ନାଟକ ଋଦ୍ଧିମନ୍ତ

ପ୍ରଥମ ଦିନରେ ସମ୍ମିଳନୀର ଦୁଇଟି ଅଧିବେଶନରେ ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ବିଶିଷ୍ଟ ଓଡ଼ିଆ ଡାକ୍ତର ବସନ୍ତ କୁମାର ମହାପାତ୍ର, ବଙ୍ଗଳାଦେଶର ବିଶିଷ୍ଟ ନାଟ୍ୟ ଓ ସାମାଜିକ କର୍ମୀ ଶିଶିର ଦତ୍ତ ଆଭାଷୀ ମାଧ୍ୟମରେ ନାଟକର ବିଭିନ୍ନ ପ୍ରୟୋଗ, ଗୁରୁତ୍ୱ ଏବଂ ବିଶେଷତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଏହା ସହିତ ବିଶିଷ୍ଟ ଗବେଷକ ତଥା ପ୍ରାଧ୍ୟାପକ ଜ୍ଞାନୀ ଦେବାଶିଷ ମିଶ୍ର, ଅଧ୍ୟାପକ ରମେଶ ମଲ୍ଲିକ, ବରିଷ୍ଠ ଶିକ୍ଷାବୀତ୍‌ ଡ. ନାରାୟଣ ସାହୁ, ଝାଡ଼ଖଣ୍ଡର କୋହ୍ଲଣ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ. ବାଳକୃଷ୍ଣ ବେହେରାଙ୍କ ସମେତ ପ୍ରଫେସର ସମର ମୁଦାଲି ବିଷୟ ବିଶେଷଜ୍ଞଭାବେ ଯୋଗଦେଇ ଶୀର୍ଷକ ବିଷୟ ଏବଂ ଓଡ଼ିଆ ନାଟକର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ।

ଏଥିରେ ରାଉରକେଲା ସମେତ ରାଜ୍ୟ ଏବଂ ରାଜ୍ୟ ବାହାରର ବିଭିନ୍ନ ସ୍ଥାନରୁ ଆସିଥିବା ମୋଟ ୧୦ଜଣ ଅଧ୍ୟାପକ ଓ ଗବେଷକମାନେ ସ୍ୱରଚିତ ପ୍ରବନ୍ଧ ପାଠ କରିଥିଲେ। ଏହି ପ୍ରବନ୍ଧଗୁଡ଼ିକରେ ମନୋରଞ୍ଜନ ଦାସଙ୍କ ନାଟକର ବିଭିନ୍ନ ଦିଗ ସମେତ ବିଭିନ୍ନ ଧାରା ସମ୍ପର୍କରେ ବିଶ୍ଳେଷଣ କରାଯାଇଥିଲା।

ମଣିଷର ଅନ୍ତସ୍ୱର ଏବଂ ଅବଚେତନ ମନର ଭାବନା ହେଉଛି ମନୋରଞ୍ଜନଙ୍କ ନାଟକର ବିଷେଶତ୍ୱ

ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସମେତ ଦୁଇଟିଯାକ ଅଧିବେଶନକୁ ଓଡ଼ିଆ ବିଭାଗର ଅଧ୍ୟାପିକା ରଜନୀ କିସାନ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଓଡ଼ିଆ ବିଭାଗର ଅଧ୍ୟାପକ ଓ ଅଧ୍ୟାପକମାନଙ୍କ ସମେତ ବିଭାଗୀୟ ଛାତ୍ରଛାତ୍ରୀମାନେ ସକ୍ରୀୟ ସହଯୋଗ କରିଥିଲେ। ଏଥିରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ସମେତ ବିଭିନ୍ନ ସ୍ଥାନରୁ ଆସିଥିବା ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଏବଂ ଅଧ୍ୟାପିକାମାନେ ଯୋଗଦେଇଥିଲେ। ଆଉ ଏକ ଅଧିବେଶନ ସହିତ ଏହି ସମ୍ମିଳନୀର ଉଦ୍‌ଯାପନୀ ଶନିବାର ସମ୍ପନ୍ନ ହେବ। 

Leave a Reply

Your email address will not be published. Required fields are marked *

error: Content is protected !!