ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଉରକେଲାର ୬୪ତମ ପ୍ରତିଷ୍ଠା ଦିବସ ପାଳନ

1 min read
Spread the love

ପଶ୍ଚିମ ଓଡ଼ିଶାର ଅନ୍ୟତମ ପୂରାତନ ଏବଂ ସୁନ୍ଦରଗଡ଼ ଜିଲ୍ଲାର ପରିଚିତ ଓ ପ୍ରତିଷ୍ଠିତ ମହାବିଦ୍ୟାଳୟଭାବେ ପରିଚିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ୬୪ତମ ପ୍ରତିଷ୍ଠା ଦିବସ ମହାବିଦ୍ୟାଳୟ ପରିସରରେ ପାଳନ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ବିଜୟ କୁମାର ବେହେରାଙ୍କ ପୌରହିତ୍ୟରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଉରକେଲା ବିଧାୟକ ତଥା ମହାବିଦ୍ୟାଳୟର ପୂରାତନ ଛାତ୍ର ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି, ସମ୍ବଲପୁର ବିଶ୍ୱବିଦ୍ୟାଳୟର ମହାବିଦ୍ୟାଳୟ ଉନ୍ନୟନ ପରିଷଦ-ସିଡିସିର ନିର୍ଦ୍ଦେଶିକା ତଥା ବରିଷ୍ଠ ଶିକ୍ଷାବୀତ୍‌ ପ୍ରଫେସର ଡ. ସଂଯୁକ୍ତା ଦାସ ଏବଂ ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ପ୍ରଫେସର ଡ. ସମର ମୁଦାଲି ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ।

ମୁଖ୍ୟ ଅତିଥି ଶ୍ରୀ ନୟକ ତାଙ୍କ ବକ୍ତବ୍ୟରେ ସମସ୍ତ ଛାତ୍ରଛାତ୍ରୀ ସର୍ବଦା ନିଜର ପିତା ଓ ମାତାଙ୍କୁ ନଭୁଲି ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ଆହ୍ୱାନ ଦେଇଥିଲେ। ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶ ଦିଗରେ ପୂରାତନ ଛାତ୍ର ସଂସଦର ସହଯୋଗ ପାଇଁ କାମନା କରିବା ସହ କ୍ରୀଡ଼ା ଭିତ୍ତିଭୂମି ବିକାଶ ନିମନ୍ତେ ସରକାରୀସ୍ତରରେ ମଞ୍ଜୁର ହୋଇଥିବା ୪୪.୮୩ ଲକ୍ଷ ଟଙ୍କା ବ୍ୟୟ ବ୍ୟବସ୍ଥା ଶୀଘ୍ର ହେବ ବୋଲି ସୂଚନା ଦେଇଥିଲେ। ଏହି ଶିକ୍ଷାନୁଷ୍ଠାନକୁ ଶ୍ରେଷ୍ଠତାର ଶୀର୍ଷରେ ପହଞ୍ଚାଇବା ପାଇଁ ସମସ୍ତଙ୍କ ଉଦ୍ୟମ ଓ ସହଯୋଗ ପାଇଁ ଶ୍ରୀ ନାୟକ ଆହ୍ୱାନ ଦେଇଥିଲେ। ପ୍ରଫେସର ଡ. ଦାସ ଛାତ୍ରଛାତ୍ରୀମାନଙ୍କୁ ମୋବାଇଲ ଫୋନ୍‌ର ଅପବ୍ୟବହାର ନକରି ଏହାର ସଦ୍‌ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ। ଏହା ସହିତ ଆମ ଦେଶର ବର୍ଦ୍ଧିତ ଜନସଂଖ୍ୟା ଆମ ପାଇଁ ସମସ୍ୟା ନହୋଇ କିପରି ସମ୍ପତ୍ତି ହୋଇପାରିବ ସେ ନେଇ ଯୁବକ ଓ ଛାତ୍ରଛାତ୍ରୀମାନେ ସମସ୍ତ ଉଦ୍ୟମ କରିବା ପାଇଁ ପ୍ରଫେସର ଦାସ ଆହ୍ୱାନ ଦେଇଥିଲେ। ପ୍ରଫେସର ଡ. ମୁଦାଲି ତାଙ୍କ ବକ୍ତବ୍ୟରେ ଛୋଟ ଛୋଟ କାହାଣୀ ଓ କଥା ମାଧ୍ୟମରେ ମାନବୀୟ ମୁଳ୍ୟବୋଧର ଅଧପତନ ହୋଇଥିବା ସୂଚନା ଦେଇଥିଲେ। ପୂରାଣ ଓ ବେଦର କଥା ଉଦାହରଣ ଦେଇ ଛାତ୍ରଛାତ୍ରୀମାନେ ଆମ ଦେଶର ମହାନ ସଂସ୍କୃତି ଓ ପରମ୍ପରା ଓ ମୂଲ୍ୟବୋଧକୁ ପାଥେୟ କରି ଆଗକୁ ବଢ଼ିବା ପାଇଁ ପରାମର୍ଶ ଦେଇଥିଲେ।

ପ୍ରଫେସର ଡ. ବେହେରା ସ୍ୱାଗତ ଅଭିଭାଷଣ ଦେଇଥିଲାବେଳେ ଛାତ୍ରସଂସଦର ଉପଦେଷ୍ଟା ଅଧ୍ୟାପକ ଆଲୋକ କୁମାର ପଟେଲ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପିକା ମମତା ବାକ୍ସଲାଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମର ଶେଷରେ ଯୁକ୍ତ ଦୁଇ ସାଂସ୍କୃତିକ ପରିଷଦର ଉପଦେଷ୍ଟା ଅଧ୍ୟାପକ ଅଜୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପୂର୍ବରୁ ରାଗିଙ୍ଗ ନିରୋଧ ପ୍ରସଙ୍ଗକୁ ନେଇ ଆୟୋଜିତ ହିନ୍ଦୀ, ଓଡ଼ିଆ ଓ ଇଂରାଜୀ ବର୍ଗର ନିବନ୍ଧ ଲିଖନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ସହିତ ବିଗତ ଶିକ୍ଷା ବର୍ଷରେ ଯୁକ୍ତ ଦୁଇ ବର୍ଗର ତିନିଜଣ, ସ୍ନାତକ ବର୍ଗର ବିଭିନ୍ନ ପାଠ୍ୟକ୍ରମ ପାଇଁ ୨୦ଜଣ ଓ ସ୍ନାତକୋତ୍ତର ବର୍ଗର ବିଭିନ୍ନ ପାଠ୍ୟକ୍ରମ ପାଇଁ ୨୧ଜଣଙ୍କୁ ଶ୍ରେଷ୍ଠ ଛାତ୍ରଛାତ୍ରୀଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ପୁରାତନ ଛାତ୍ରସଂସଦର ସଭାପତି ବିଭୁତି ପୁହାଣ, ସମ୍ପାଦକ ରୋସନ ସାହୁ ଏବଂ କୋଷାଧ୍ୟକ୍ଷ ତଥା କୁଆଁରମୁଣ୍ଡା ସରକାରୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ ଖେସ୍‌ଙ୍କ ସମେତ, ଡି ଅଭିକ କୁମାର, ଦେବାଶିଷ ମହାନ୍ତି, ଆସିଶ ରଞ୍ଜନ ମାଳିଙ୍କ ସମେତ ଅନ୍ୟ ସଦସ୍ୟ ଓ ସଦସ୍ୟାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ଦ୍ୱାରା ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା। ଅଧ୍ୟାପିକା ରାମେଶ୍ୱରୀ ଭୋଇ, ଅନିତା ଜୈନ ଓ ଡ. ସ୍ମୃତିସ୍ନିଗ୍ଧା ମିଶ୍ର ପ୍ରମୁଖଙ୍କ ସଞ୍ଚାଳନ ଓ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏଥିରେ ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ କର୍ମଚାରୀମାନେ ସକ୍ରୀୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!