ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ରାଉରକେଲାରୁ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଏସ୍‌ଆଇଭି / ଏଡ୍‌ସ ରୋଗ ସମ୍ପର୍କୀତ ସଚେତନତା ଅଭିଯାନ

1 min read
Spread the love

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ ଙ୍କ ଦ୍ୱାରା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାରୁ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ଏସ୍‌ଆଇଭି / ଏଡ୍‌ସ ରୋଗ ସମ୍ପର୍କୀତ ସଚେତନତା ଅଭିଯାନ। କେନ୍ଦ୍ର ସରକାରଙ୍କ ଯୋଜନା ଅନ୍ତର୍ଗତ ଅନ୍ତର୍ଜାତୀୟ ଯୁବ ଦିବସ ଉପଲକ୍ଷେ ଆରମ୍ଭ ହୋଇଥିବା ଏହି ଅଭିଯାନ ଆସନ୍ତା ୨ମାସ ପର୍ଯ୍ୟନ୍ତ ସାରା ରାଜ୍ୟରେ ଚାଲିବ। ବିଶେଷ କରି ଯୁବ ବର୍ଗଙ୍କୁ  ଏସ୍‌ଆଇଭି / ଏଡ୍‌ସ ଭଳି ମହାମାରୀ ରୋଗ ସମ୍ପର୍କରେ ସଚେତନ କରାଇବା ଏବଂ ସେମାନଙ୍କ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସଚେତନତା ବାର୍ତ୍ତା ଦେବା ହେଉଛି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଡ ମହାଲିଙ୍ଗ କହିଛନ୍ତି। ଓଡ଼ିଶା ରାଜ୍ୟ ଏଡ୍‌ସ ରୋଗ ନିୟନ୍ତ୍ରଣ ସମିତି ଆନୁକୁଲ୍ୟରେ କେନ୍ଦ୍ର ସରକାରଙ୍କ ସହଯୋଗରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମିତିର ପ୍ରକଳ୍ପ ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ ସ୍ୱାଇଁ ଅଧ୍ୟକ୍ଷତା କରି ସମିତି ପକ୍ଷରୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତି, ସୁନ୍ଦରଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ପାତ୍ର, ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଏବଂ ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଡାକ୍ତର ଅରବିନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ଅଧ୍ୟକ୍ଷ ପ୍ରଫେସର ଡ ବିଜୟ  କୁମାର ବେହେରା ଏହି ଅବସରରେ ଉପସ୍ଥିତ ରହି ଯୁବକମାନଙ୍କୁ ଦେଶର ଭବିଷ୍ୟତ ବୋଲି କହିଥିଲେ। ଏହି ଅବସରରେ ରାଉରକେଲା ସହର ଓ ଆଖପାଖ ଅଞ୍ଚଳର ୨୦ଟି ମହାବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ବିଧାୟକ ଶ୍ରୀ ନାୟକଙ୍କ ଦ୍ୱାରା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରାବାସ ଓ ଛାତ୍ରୀନିବାସ ବୃଦ୍ଧି ନିମନ୍ତେ ଦିଆଯାଇଥିବା ପ୍ରସ୍ତାବିତ କାର୍ଯ୍ୟ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଡ ମହାଲିଙ୍ଗ ଏହି ଅବସରରେ ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ମହାବିଦ୍ୟାଳୟର ପୂରାତନ ଛାତ୍ର ସଂସଦର କର୍ମକର୍ତ୍ତାଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମ ପୂର୍ବରୁ ଜିଲ୍ଲା ପ୍ରଶାସନ ସହଯୋଗରେ ରାଉରକେଲା ସରକାରୀ ଡାକ୍ତରଖାନା ବା ଆର୍‌ଜିଏଚ୍‌ ନିକଟରୁ ରେଡ ରିବନ କ୍ଲବ୍‌ର ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ସହରର କିଛି ଅଞ୍ଚଳ ପରିକ୍ରମା କରି ରାଜ୍ୟସ୍ତରୀୟ ଏସ୍‌ଆଇଭି / ଏଡ୍‌ସ ରୋଗ ସମ୍ପର୍କୀତ ସଚେତନତା ବାର୍ତ୍ତା ଦେଇଥିଲେ। ଆସନ୍ତା ଦୁଇମାସ ଧରି କେନ୍ଦ୍ର ସରକାରଙ୍କ ସହଯୋଗରେ ସାରା ରାଜ୍ୟରେ ନାଟକ, ଖେଳ, କୁଇଜ ଆଦି ପ୍ରତିଯୋଗିତା ସହିତ ପ୍ରଚାରପତ୍ର ଆଦି ମାଧ୍ୟମରେ ରାଜ୍ୟସ୍ତରୀୟ ଏସ୍‌ଆଇଭି / ଏଡ୍‌ସ ରୋଗ ସମ୍ପର୍କୀତ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଏହି ଅବସରରେ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!