ରୋଚକ ହେଉଛି ରାଉରକେଲା ରାଜନୀତି : ଦଳବଦଳ ନେତା ହୋଇପାରନ୍ତି ବିଜୟୀ ପ୍ରାର୍ଥୀଙ୍କ ପାଇଁ ମୁଖ୍ୟ କାର୍ପଟଦାର
1 min read
ଆସନ୍ତା ୨୦ ତାରିଖରେ ହେବାକୁ ଯାଉଛି ସୁନ୍ଦରଗଡ଼ ଲୋକସଭା ଆସନ ସହିତ ଏହା ଅଧିନରେ ଥିବା ୭ଟି ବିଧାନସଭା ଆସନ ପାଇଁ ନିର୍ବାଚନ। ଜିଲ୍ଲାର ମୋଟ ସାତଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ସବୁଠାରୁ ଚର୍ଚ୍ଚାରେ ରହିଛି ରାଉରକେଲା ନିର୍ବାଚନ ମଣ୍ଡଳୀ। କାରଣ ଏହି ନିର୍ବାଚନ ମଣ୍ଡଳୀରେ ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ। ତାଙ୍କ ସହିତ ନିର୍ବାଚନ ମଇଦାନରେ ଅଛନ୍ତି ତିନିଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସାରଦା ପ୍ରସାଦ ନାୟକ। ଯଦିଓ ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଭେଟେରାନ ବିରେନ୍ଦ୍ର ନାଥ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ହୋଇଛନ୍ତି, କିନ୍ତୁ ମୁଖ୍ୟ ପ୍ରତିଦ୍ୱନ୍ଦିତା ସାରଦା ଓ ଦିଲ୍ଲୀପଙ୍କ ମଧ୍ୟରେ ହେବ ବୋଲି ଆଲୋଚନା ହେଉଛି। ରାଉରକେଲା ନିର୍ବାଚନ ମଣ୍ଡଳୀ ପାଇଁ ମୋଟ ୧୧ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଅନ୍ୟପକ୍ଷରେ ତୃତୀୟ ଥର ପାଇଁ ବିଧାୟକ ପ୍ରାର୍ଥୀଭାବେ ସ୍ୱାଧୀନଭାବେ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ଅନେକ ବର୍ଷ ଧରି ବିଜେପି ଦଳରେ ରହି ୨୦୧୯ ମସିହାରେ ଦଳୀୟ ପ୍ରାର୍ଥୀ ହୋଇଥିବା ନିହାର ରାୟ।
ଶାସକ ଦଳରେ ୨୦୦୪ ମସିହାରୁ ଲଗାତାର ଦୁଇଥର ଏବଂ ୨୦୧୪ ମସିହାରେ ଦିଲ୍ଲୀପ ରାୟଙ୍କଠାରୁ ହାରି ୨୦୧୯ ମସିହାରେ ତୃତୀୟ ଥର ପାଇଁ ବିଧାୟକ ସହିତ କିଛି ଦିନ ପାଇଁ ମନ୍ତ୍ରୀ ହୋଇଥିବା ସାରଦା ଚତୁର୍ଥ ଥର ପାଇଁ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି। ନବୀନଙ୍କ ଲୋକପ୍ରିୟତା, ଶାସକ ଦଳର ଲୋକାଭିମୁଖୀ କାର୍ଯ୍ୟ ସହିତ ଦଳର ଷ୍ଟାର ପ୍ରଚାରକ କାର୍ତ୍ତିକେୟନ ପାଣ୍ଡିୟାନଙ୍କ ପ୍ରଚାରକୁ ପ୍ରମୁଖ ଅସ୍ତ୍ର କରିଛନ୍ତି ସାରଦା। ରାଉରକେଲାରେ ହକି ବିଶ୍ୱ କପ୍ ଆୟୋଜନ ସହିତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ଦେଖାଇ ସାରଦା ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରୁଛନ୍ତି। ସେହିହଳି ଦିଲ୍ଲୀପ ରାୟ ୨୦୧୪-୨୦୧୯ ମସିହା ମଧ୍ୟରେ ତାଙ୍କ ବିଧାୟକ ହେବା ସମୟରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ପଦ୍ମ ଚିହ୍ନ ବା ବିଜେପି ଦଳକୁ ଭୋଟ ଦେବା ପାଇଁ ନିବେଦନ କରୁଛନ୍ତି। କଂଗ୍ରେସ ପ୍ରାର୍ଥୀ ବିରେନ୍ଦ୍ର ନାଥ ପଟ୍ଟନାୟକ କଂଗ୍ରେସର ଦଳର ପାରମ୍ପରିକ ଭୋଟକୁ ଆୟୁଧ କରିବା ସହ ଉଭୟେ ବିଜେପି ଓ ବିଜେଡିକୁ ବିରୋଧ କରି ନିର୍ବାଚନରେ ଭୋଟ ମାଗୁଛନ୍ତି।
ଅନ୍ୟପକ୍ଷରେ ଚଳିତ ନିର୍ବାଚନରେ କେତେକ ରୋଚକ ଘଟଣା ଦେଖିବାକୁ ମିଳିଛି। ଏଗୁଡ଼ିକ ମଧ୍ୟରେ ରହିଛି କଂଗ୍ରେସ ଦଳର ବରିଷ୍ଠ ନେତା ବିରେନ ସେନାପତିଙ୍କ ସମେତ ଅନେକ ଆଗଧାଡ଼ିର କର୍ମୀମାନେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଜେଡିରେ ଯୋଗଦେବା। ଏହାପରେ ବିଜେଡି ଦଳର ଶକ୍ତି ବୃଦ୍ଧି ପାଇଥିବା ଆଲୋଚନା ହେଉଛି। ସେହିଭଳି ଗତ ପ୍ରାୟ ୧୦ ବର୍ଷ ଧରି ବିଜେପି ଦଳରେ ସକ୍ରିୟଭାବେ କାର୍ଯ୍ୟ କରୁଥିବା ନିହାର ରାୟଙ୍କର ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ସ୍ୱାଧୀନଭାବେ ନିର୍ବାଚନରେ ଅବତୀର୍ଣ୍ଣ ହେବା ବିଜେପି ପ୍ରାର୍ଥୀ ଦିଲ୍ଲୀପଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଦିଲ୍ଲୀପ ରାୟଙ୍କ ଦଳୀୟ ପ୍ରାର୍ଥୀ ଘୋଷଣା ପରେ ଲଗାତାର କିଛି ଦିନ ଧରି ବିଜେଡି ଦଳର ଅନେକ ଆଗଧାଡ଼ିର ନେତା ଓ କର୍ମୀ ତାଙ୍କ ପ୍ରାର୍ଥୀତ୍ୱ ସମର୍ଥନ କରି ବିଜେପି ଦଳରେ ଯୋଗଦେବା ମଧ୍ୟ ଅନ୍ୟ ଏକ ଉଲ୍ଲେଖନୀୟ ଘଟଣା। କିନ୍ତୁ ସ୍ଥାନୀୟ ବିଜେପି ଦଳର ଅନେକ ମୂଳ କର୍ମୀ ଓ କର୍ମକର୍ତ୍ତା ଭିତିରିଆ ନିହାରଙ୍କ ସପକ୍ଷରେ ରହିଥିବା ସୂଚନା ଦିଲ୍ଲୀପଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ସେହିଭଳି କଂଗ୍ରେସ ପ୍ରାର୍ଥୀଭାବେ ବିରେନ୍ଦ୍ର ପଟ୍ଟନାୟଙ୍କ ଘୋଷଣା ପରେ ଅନେକ କଂଗ୍ରେସ କର୍ମୀ ତାଙ୍କୁ ପ୍ରକାଶ୍ୟରେ ବିରୋଧ କରି ନିର୍ବାଚନ ପ୍ରଚାରରେ ଯୋଗ ନଦେବା ମଧ୍ୟ ଅନ୍ୟ ଏକ ଆଲୋଚନାର ବିଷୟ ହୋଇଛି।
ମୋଟାମୋଟିଭାବେ ଗୁରୁବାର ସୁଦ୍ଧା ଦିଲ୍ଲୀପ ରାୟ ଓ ତାଙ୍କ ସମର୍ଥକ ନିର୍ବାଚନ ପ୍ରଚାରରେ ଆଗରେ ଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଭିନ୍ନ ଭିନ୍ନ କାରଣକୁ ନେଇ ବିଜେଡି ବା ଶାସକ ଦଳର ନିର୍ବାଚନୀ ପ୍ରଚାର ବିଜେପି ତୁଳନାରେ ପଛରେ ପଡ଼ିଯାଇଥିବା ଦେଖିବାକୁ ମିଳିଛି। ଆବଶ୍ୟକ ଅର୍ଥ ଓ ଲୋକବଳ ନଥିବାରୁ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ବିଜେଡି ଓ ବିଜେପିଠାରୁ ପଛରେ ରହିଯାଇଥିବା ଦେଖିବାକୁ ମିଳିଛି। ସେହିଭଳି ଚଳିତ ନିର୍ବାଚନରେ ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରଚାର ସହିତ ପରସ୍ପର ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ମଧ୍ୟ ମତଦାତାଙ୍କ ମତଦାନକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ଚଳିତ ମାସ ୧୮ ତାରିଖ ପ୍ରଚାରର ଶେଷ ଦିନ ଥିବାରୁ ଆଉ ଅଳ୍ପ ଦିନ ମଧ୍ୟରେ କାହାର ପ୍ରଚାର ଓ ପ୍ରସାର କେତେ ଅଧିକ ହେବ, ତାହା ନିର୍ବାଚନ ଫଳଫଳକୁ ପ୍ରଭାବିତ କରିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।