ରାଉରକେଲା ଇସ୍ପାତ କାରଖାନାର ଗ୍ରୀଷ୍ମକାଳୀନ କ୍ରୀଡା ପ୍ରଶିକ୍ଷଣ ଶିବିର ଉଦଘାଟିତ

1 min read
Spread the love

ରାଉରକେଲା ଇସ୍ପାତ କାରଖାନାର କ୍ରୀଡା ବିଭାଗ ଆନୁକୁଲ୍ୟରେ ବିଶ୍ୱ ଖେଳକୁଦ ଦିବସ ଉପଲକ୍ଷେ ଆୟୋଜିତ ୩୭ତମ ଗ୍ରୀଷ୍ମକାଳୀନ କ୍ରୀଡା ପ୍ରଶିକ୍ଷଣ ମଇ ୭ ତାରିଖରେ ସେକ୍ଟର ୬ ସ୍ଥିତ ଇସ୍ପାତ ଷ୍ଟାଡିୟମ ଠାରେ ଉଦଘାଟିତ ହୋଇଯାଇଛି। ଆରଏସପିର ସହର ପ୍ରଶାସନ ଓ ସିଏସଆର ବିଭାଗର ସିଜିଏମ, ପ୍ରତାପ କୁମାର ସ୍ୱାଇଁ ଉଦଘାଟନୀ ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ  କ୍ରୀଡା ପତାକା ଉତ୍ତୋଳନ ପୂର୍ବକ ଶିବିରର ଉଦଘାଟନ କରିଥିଲେ। ଏହି ଅବସରରେ ସହର ଇଞ୍ଜିନିୟରିଂ ବିଭାଗର ଭାରପ୍ରାପ୍ତ ମହାପ୍ରବନ୍ଧକ ବି କେ ଯୋଜୋ, ହସ୍ପିଟାଲ ପ୍ରଶାସନ, କ୍ରୀଡା ଓ ବିମାନବନ୍ଦରର ମହାପ୍ରବନ୍ଧକ ଆର କେ ବର୍ମା ତଥା ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ସୂଚନା ମୁତାବକ ଏହି ଶିବିରରେ ପ୍ରାୟ ୧୫୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି ।

ଶ୍ରୀ ସ୍ଵାଇଁ ନିଜର ବକ୍ତବ୍ୟରେ କହିଥିଲେ ଯେ ଗ୍ରୀଷ୍ମ ପ୍ରଶିକ୍ଷଣ ଶିବିର ହେଉଛି ଏକ ବହୁ ପ୍ରତୀକ୍ଷିତ ବାର୍ଷିକ କାର୍ଯ୍ୟକ୍ରମ ଯାହା ନିଜନିଜ ଆଗ୍ରହ କ୍ଷେତ୍ରରେ ଶିଶୁ ଏବଂ ଯୁବକମାନଙ୍କ କ୍ରୀଡା ଦକ୍ଷତାକୁ ନିୟୋଜିତ କରିବା ଏବଂ ଉନ୍ନତି କରିବା ପାଇଁ ଲକ୍ଷ୍ୟ ରଖିଛି। ଅଂଶଗ୍ରହଣ ସହିତ ନିଜର ପ୍ରତିଭାର ବିକାଶ ପାଇଁ ବାର୍ଷିକ କ୍ରୀଡା କାର୍ଯ୍ୟକ୍ରମର ସର୍ବୋତ୍ତମ ଉପଯୋଗ କରିବାକୁ ସେ ଅଂଶଗ୍ରହଣକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ପ୍ରାରମ୍ଭରେ ଶ୍ରୀ ବର୍ମା ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। କ୍ରୀଡା ବିଭାଗର ସହକାରୀ ପ୍ରବନ୍ଧକ ରଘୁନନ୍ଦନ ପାଢୀ ଧନ୍ୟବାଦ ଜ୍ଞାପନ କରିଥିଲେ। ସିଆରଏମ ବିଭାଗର ସିନିୟର ଟେକନିସିଆନ ଅନୀଲ ମଲ୍ଲିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ଛାତ୍ରଛାତ୍ରୀମାନେ ଆଥଲେଟିକ, ବ୍ୟାଡମିଣ୍ଟନ, ବାସ୍କେଟବଲ, ବକସିଙ୍ଗ, ଚେସ, କ୍ରିକେଟ, ସାଇକ୍ଲିଙ୍ଗ, ଫୁଟବଲ, ହକି, କବାଡି, ଟେବୁଲ ଟେନିସ, ଭଲିବଲ, ଭାରୋତ୍ତୋଳନ  ଏବଂ ଯୋଗ ଆଦି ୧୪ ଟି କ୍ରୀଡାବର୍ଗରେ ତାଲିମ ଗ୍ରହଣ କରିବେ। ବିଭିନ୍ନ କ୍ରୀଡାବର୍ଗରେ ଅଭିଜ୍ଞ ପ୍ରଶିକ୍ଷକମାନେ ସେମାନଙ୍କୁ କ୍ରୀଡା ପ୍ରଶିକ୍ଷଣ ପ୍ରଦାନ କରିବେ। ଏହି ସମସ୍ତ ପ୍ରଶିକ୍ଷଣ ଇସ୍ପାତ ଷ୍ଟାଡିୟମ, ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ, ବାସ୍କେଟ ବଲ କମ୍ପ୍ଲେକ୍ସ, ଇସ୍ପାତ ଇଣ୍ଡୋର ଷ୍ଟାଡିୟମ ଏବଂ ଇସ୍ପାତ ଷ୍ଟାଡିୟମର ଚେସ ହଲରେ ଅନୁଷ୍ଠିତ ହେଉଛି।

ସୀମିତ ଅଂଶଗ୍ରହଣକାରୀଙ୍କୁ ନେଇ ୧୯୮୬ ମସିହାରେ ଆରମ୍ଭ ହୋଇଥିବା ଏହି ଗ୍ରୀଷ୍ମକାଳୀନ କ୍ରୀଡା ଶିବିର ସମ୍ପ୍ରତି ବିଶେଷ ରୂପେ ବୃଦ୍ଧି ପାଇଛି। ଏହା ଅତୀତରେ ବହୁ ଜାତୀୟ ଓ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କ୍ରୀଡାବିତ ସୃଷ୍ଟି କରିବା ସହିତ ସମ୍ପ୍ରତି ବହୁ ପ୍ରତିଭା ସମ୍ପନ୍ନ କ୍ରୀଡା ତାରକାଙ୍କୁ ଲୋକଲୋଚନକୁ ଆଣିବାରେ ପ୍ରୟାସ ଜାରିରଖିଛି। 

Leave a Reply

Your email address will not be published. Required fields are marked *

error: Content is protected !!