ଇସ୍ପାତ ସହର ରାଉରକେଲାରେ ବଢ଼ୁଛି ପାରଦ : ସମାନଭାବେ ବଢ଼ୁଛି ମତଦାତାଙ୍କ ଉତ୍କଣ୍ଠା ଏବଂ ପ୍ରାର୍ଥୀଙ୍କ ଚିନ୍ତା

1 min read
Spread the love

ଆସନ୍ତା ୨୦ ତାରିଖରେ ସୁନ୍ଦରଗଡ଼ ଲୋକସଭା ଆସନ ସମେତ ଏହା ଅଧିନରେ ଥିବା ୭ଟି ବିଧାନସଭା କ୍ଷେତ୍ର ପାଇଁ ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ଅସନ୍ତା ୨୬ ଅପ୍ରେଲ୍‌ରେ। ଏହାରି ମଧ୍ୟରେ ପ୍ରମୁଖ ତିନୋଟି ଦଳ ପକ୍ଷରୁ ଅର୍ଥାତ୍‌ ବିଜେଡ଼ି , ବିଜେପି ଏବଂ କଂଗ୍ରେସ ପକ୍ଷରୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ସରିଛି ଏବଂ ସେମାନେ ପ୍ରଚାର ମଧ୍ୟ ଆରମ୍ଭ କରିସାରିଛନ୍ତି। ଅନ୍ୟପକ୍ଷରେ ସୁନ୍ଦରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ରଘୁନାଥପାଲ୍ଲୀ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଥିଲାବେଳେ ବିଜେପି ପକ୍ଷରୁ ରାଉରକେଲା ପ୍ରାର୍ଥୀ ଘୋଷଣା ହୋଇନାହିଁ। ଚଳିତ ମାସ ୮ ତାରିଖରେ ପୂର୍ବତନ ମନ୍ତ୍ରୀ ୭୧ ବର୍ଷୀୟ ଦିଲ୍ଲୀପ ରାୟଙ୍କ ଦ୍ୱାରା ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ହୋଇଥିବା ମାମଲାର ରାୟପରେ ସେ ନିର୍ବାଚନ ଲଢ଼ିବା ପାଇଁ ଯୋଗ୍ୟ ହୋଇଥିଲେ। ଏହାପରେ ସେ ୧୦ ତାରିଖ ଅପରାହ୍ଣରେ ରାଉରକେଲା ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଓ ସ୍ୱାଗତ କରାଯାଇଥିଲା। ଏହାପରେ ଆଶା କରାଯାଉଥିଲା ବିଜେପି ପକ୍ଷରୁ ତାଙ୍କୁ ରାଉରକେଲାରୁ ପ୍ରାର୍ଥୀ ନେଇ ଘୋଷଣା ହେବ, କିନ୍ତୁ କୌଣସି ଅଦୃଶ୍ୟ କାରଣରୁ ଏହା ଶନିବାର ସନ୍ଧ୍ୟା ସୁଦ୍ଧା ହୋଇନାହିଁ।

ଅନ୍ୟପକ୍ଷରେ ବିଜେଡି ପକ୍ଷରୁ ବର୍ତ୍ତମାନର ବିଧାୟକ ତଥା ମନ୍ତ୍ରୀ ୬୫ ବର୍ଷୀୟ ସାରଦା ପ୍ରସାଦ ନାୟକ ପୁଣି ଥରେ ପ୍ରାର୍ଥୀ ହୋଇଥିଲାବେଳେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ୬୫ବର୍ଷୀୟ ବିରେନ୍ଦ୍ର ନାଥ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିବା ପରେ କଂଗ୍ରେସ ଦଳର ସ୍ଥାନୀୟ ଜିଲ୍ଲା ସଭାପତିଙ୍କ ସମେତ ଅନେକ ନେତା ଏହାର ବିରୋଧ କରି ପ୍ରାର୍ଥୀତ୍ୱ ସମ୍ପର୍କରେ ପୁନଃବିଚାର ନିମନ୍ତେ ଦଳୀୟ ନେତୃତ୍ୱଙ୍କୁ ଅନୁରୋଧ ପତ୍ର ପଠାଇଛନ୍ତି। ଏକଦା ଦଳର ସ୍ଥାନୀୟ ଜିଲ୍ଲା ସଭାପତି ଥିବା ଶ୍ରୀ ପଟ୍ଟନାୟକ ପରବର୍ତ୍ତୀ ସମୟରେ ବିଜେଡିରେ ଥିବା ନେଇ ଚର୍ଚ୍ଚା ହୋଇଥିଲା। କିନ୍ତୁ ତାଙ୍କ ମତ ଅନୁସାରେ ସେ କୋଣସି ସମୟରେ ବିଧିବଦ୍ଧ ବିଜେଡିରେ ଯୋଗ ଦେଇନଥିଲେ। ଏହି କ୍ରମରେ କଂଗ୍ରେସ ନେତୃବୃନ୍ଦଙ୍କ ସହିତ ଯୋଗାଯୋଗ ପରେ ତାଙ୍କ ପ୍ରାର୍ଥୀତ୍ୱ ଘୋଷଣା ହୋଇଥିଲା। ଶ୍ରୀ ପଟ୍ଟନାୟକ ଦଳର ସମସ୍ତଙ୍କୁ ନେଇ ସାଙ୍ଗରେ ଯିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଦଳର କିଛି ନେତା ଓ କର୍ମୀ ତାଙ୍କୁ ବିରୋଧ କରୁଥିବାର ସୂଚନା ମିଳିଛି। ୧୯୯୫ ମସିହାରେ କଂଗ୍ରେସର ଶେଷ ବିଧାୟକ ପ୍ରଭାତ ମହାପାତ୍ରଙ୍କ ପରେ କଂଗ୍ରେସ ଦଳ ରାଉରକେଲା ଆସନରେ ବାରମ୍ବାର ପରାଜିତ ହୋଇଛି।

ସେହିଭଳି ଅପ୍ରତ୍ୟାଶିତ ଘଟଣା କ୍ରମରେ ସାରା ରାଜ୍ୟରେ ବିଜେଡିର ଆଖିଦୃଶିଆ ବିଜୟ ହୋଇଥିଲାବେଳେ ୨୦୧୪ ମସିହାରେ ବିଜେପିରୁ ପ୍ରାର୍ଥୀ ହୋଇ ବିଜେଡିର ସାରଦା ନାୟକଙ୍କୁ ୧୦ହଜାରରୁ ଅଧିକ ଭୋଟରେ ହରାଇଥିବା ଦିଲ୍ଲୀପ ରାୟ ବିଜୟ ଲାଭ କରିଥିଲେ। କିନ୍ତୁ ୨୦୧୯ ନିର୍ବାଚନ ଠିକ୍‌ ପୂର୍ବରୁ ଆଗ ମାଟି ପଛେ ପାର୍ଟିର ବାର୍ତ୍ତା ଦେଇ ସେ ଦଳ ଛାଡ଼ିଥିଲେ। ଏହାପରେ ପ୍ରାୟତଃ ବିଜେପି ସହିତ ଜଡ଼ିତ ନଥିବା ଶ୍ରୀ ରାୟ ୧୦ ତାରିଖରେ ରାଉରକେଲାରେ ପହଞ୍ଚିବା ପରେ ସେ ଏବେ ମଧ୍ୟ ବିଜେପିରେ ଅଛନ୍ତି ବୋଲି କହିବା ସହ ତାଙ୍କ ପ୍ରାର୍ଥୀତ୍ୱ ସମ୍ପର୍କରେ ଦଳ ନିଷ୍ପତ୍ତି ନେବ ବୋଲି କହିଥିଲେ। ୧୧ ତାରିଖରେ ତାଙ୍କ ମାଲିକାନାରେ ଥିବା ହୋଟେଲ୍‌ରେ ବିଜେପିର ବରିଷ୍ଠ ନେତାମାନଙ୍କ ନିର୍ବାଚନ ସମ୍ପର୍କୀତ ବୈଠକରେ ଦଳର ଅନେକ ନେତା ଶ୍ରୀ ରାୟଙ୍କୁ ରାଉରକେଲାରେ ପ୍ରାର୍ଥୀ କରିବା ପ୍ରସଙ୍ଗରେ କେନ୍ଦ୍ରୀୟ ପ୍ରଭାରୀଙ୍କ ଉପସ୍ଥିତିରେ ବିରୋଧ କରିଥିବା ସୂଚନା ମିଳିଛି। ଏହାକୁ ନେଇ ଶ୍ରୀ ରାୟ,  ତାଙ୍କ ସମ୍ପର୍ଥକ ଓ ଅନୁଗତଙ୍କ ଚିନ୍ତା ବଢ଼ିଚାଲିଛି। ଯଦି ତାଙ୍କୁ ଦଳ ଏଠାରେ ପ୍ରାର୍ଥୀ କରେ ତେବେ ଅନେକ ବର୍ଷ ଧରି ଦଳ ସହିତ ଜଡ଼ିତ ଥାଇ ଦଳ ପାଇଁ କାର୍ଯ୍ୟ କରୁଥିବା ବହୁ ସଂଖ୍ୟକ ନେତା ଓ କର୍ମୀ ତାଙ୍କୁ ସମର୍ଥନ କରିବେ ନାହିଁ ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷରେ ୨୦୦୪, ୨୦୦୯ ଓ ୨୦୧୯ରେ ବିଧାୟକ ହେବା ସହ ଏକାଧିକ ବିଭାଗର ମନ୍ତ୍ରୀ ଥିବା ସାରଦା ନାୟକଙ୍କ ପ୍ରତି ବିରୋଧ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ତାଙ୍କର ପ୍ରାର୍ଥୀତ୍ୱ ସମ୍ପର୍କରେ ଘୋଷଣା ହେବା ପୂର୍ବରୁ ଓ ପରେ ତାଙ୍କ ସହିତ ଅନେକ ଦିନ ଧରି ଜଡ଼ିତ ଥିବା ବହୁ ସଂଖ୍ୟକ ନେତା ଓ  କର୍ମୀ ତାଙ୍କୁ ବିରୋଧ କରିବା ସହ ତାଙ୍କ ହାରିବା ପାଇଁ କାର୍ଯ୍ୟ କରିବେ ବୋଲି ଆଲୋଚନା ଆରମ୍ଭ ହୋଇଛି। ଶନିବାର ଦିନ ରାଉରକେଲାର ତାପମାତ୍ରାରେ ଆଖିଦୃଶିଆ ବୃଦ୍ଧି ସହିତ ସମତାଳରେ ସମସ୍ତ ପ୍ରମୁଖ ଦଳର ନେତାଙ୍କ ଚିନ୍ତା ବୃଦ୍ଧି ପାଇବାରେ ଲାଗିଛି। ଏହା ସହିତ ସହରର ବିଭିନ୍ନ ବର୍ଗର ମତଦାତାଙ୍କ ମଧ୍ୟରେ ମଧ୍ୟ ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି ବିଜେପିର ସାମ୍ଭାବ୍ୟ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ନେଇ। ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା ପରେ ସ୍ମାର୍ଟ ସିଟି ସହିତ ଇସ୍ପାତ ସହରର ରାଜନୀତି ବେଶ୍‌ ରୋଚକ ହେବା ସହ ସରଗରମ ହେବ ବୋଲି ସୂଚନା ମିଳିଛି।

ଅପେକ୍ଷା କରନ୍ତୁ ଖୁବ୍‌ ଶୀଘ୍ର ରଘୁନାଥପାଲ୍ଲୀ ଆସନକୁ ନେଇ ଆଲୋଚନା ସମ୍ପର୍କରେ

Leave a Reply

Your email address will not be published. Required fields are marked *

error: Content is protected !!