ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦ୍‌ଯାପିତ

1 min read
Spread the love

ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶାବଳୀ ମୁତାବକ ବିଶ୍ବ ଓଡ଼ିଆ ସମ୍ମିଳନୀର ଆୟୋଜନ ଏବଂ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ଉପଲକ୍ଷେ ଚଳିତ ମାସ ୧୦ ତାରିଖରୁ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଚାଲିଥିବା ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ଏହି ଅବସରରେ ପ୍ରଥମ ପର୍ଯ୍ୟାୟରେ ‘ଜଗନ୍ନାଥ ସଂସ୍କୃତିର ସ୍ଥିତି ଓ ଗତି’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ ବିଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଷୟ ବିଶାରଦଭାବେ ଯୋଗଦେଇଥିଲେ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ତଥା ପ୍ରାଧ୍ୟାପକ ଡ ରୁଦ୍ରାଣୀ ମହାନ୍ତି ଯୋଗଦେଇଥିଲେ। ଏହା ସହିତ ସମ୍ମାନୀତ ବକ୍ତାଭାବେ ଯୋଗଦେଇଥିଲେ କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ସଂସ୍କୃତ ବିଭାଗର ପ୍ରାଧ୍ୟାପକ ଡ ପ୍ରଦୀପ ଆଚାର୍ଯ୍ୟ ଏବଂ ମୁଖ୍ୟବକ୍ତାଭାବେ ଯୋଗଦେଇଥିଲେ ବିଶିଷ୍ଟ ନାଟ୍ୟବ୍ୟକ୍ତିତ୍ବ ଏବଂ ବରିଷ୍ଠ ଶିକ୍ଷାବୀତ୍‌ ଡ ସମର ମୁଦାଲି।

ଡ ମହାନ୍ତି ତାଙ୍କ ବକ୍ତବ୍ୟରେ ପ୍ରତ୍ୟେକ ଓଡ଼ିଆ ଜନ୍ମ ପୁର୍ବରୁ ମୃତ୍ୟୁ ପର୍ଯ୍ୟନ୍ତ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ମଧ୍ୟ ଦେଇ ଗତିକରିଥାଏ ବୋଲି କହିଥିଲେ । ସମଗ୍ର ବିଶ୍ବରେ ଜଗନ୍ନାଥ ପରମ୍ପରା ଓ ସଂସ୍କୃତି ଅନନ୍ୟ ଓ ଅତୁଳନୀୟ, ତେଣୁ ଆମେ ସମସ୍ତେ ଏହି ମହାନ ସଂସ୍କୃତିର ଦାୟାଦଭାବେ ଗର୍ବିତ ହେବା ସହ ଏହାର ପ୍ରଚାର ପ୍ରସାର ପାଇଁ ସେ ଆହ୍ବାନ ଦେଇଥିଲେ। ଡ ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ ଓଡ଼ିଆ ଜାତିର ଅସ୍ମିତା ହେଉଛନ୍ତି ଜଗତରନାଥ ଜଗନ୍ନାଥ ବୋଲି କହିଥିଲେ। ଜଗନ୍ନାଥ ଧର୍ମରେ ବିଭିନ୍ନ ଧର୍ମର ସମନ୍ବୟ ରହିଥିବାରୁ ଜଗନ୍ନାଥ ହେଉଛନ୍ତି ସର୍ବଧର୍ମର ପ୍ରତୀକ ଏବଂ ସେ କୌଣସି ଧର୍ମରୁ ଊର୍ଦ୍ଧ୍ବରେ ବୋଲି ଡ ଆଚାର୍ଯ୍ୟ କହିଥିଲେ। ମୁଖ୍ୟବକ୍ତା ଡ ମୁଦାଲି ତାଙ୍କ ବକ୍ତବ୍ୟରେ ଜଗନ୍ନାଥ ଶବ୍ଦର ବ୍ୟାଖ୍ୟା କରିବା ସହ ଶବର ଜାତିମାନଙ୍କଠାରୁ ଆରମ୍ଭ ହୋଇ ବିଭିନ୍ନ ଧର୍ମାବଲମ୍ବୀମାନଙ୍କ ଦ୍ୱାରା ଭିନ୍ନ ଭିନ୍ନ ସମୟରେ ଜଗନ୍ନାଥ ହେଉଛନ୍ତି ଏକ ଚିନ୍ତା, ଚେତନା ଓ ସଂସ୍କୃତିର ପ୍ରତୀକ ବୋଲି କହିଥିଲେ। ସମଗ୍ର ଦେଶରେ ଜଣେ ଠାକୁର ବା ଦେବତାଙ୍କ ନାମରେ ଏକମାତ୍ର ହେଉଛି ଜଗନ୍ନାଥ ସଂସ୍କୃତି , ଯାହାପାଇଁ ଆମେ ସମସ୍ତ ଓଡ଼ିଆ ଗର୍ବିତ ଓ ଗୌରାନ୍ବିତ ବୋଲି ଡ ମୁଦାଲି କହିଥିଲେ। ଓଡ଼ିଆ ବିଭାଗର ମୁଖ୍ୟ ଡ ସୁଷମା ମୋଦି ଅତିଥି ପରିଚୟ ସହିତ ସ୍ବାଗତ ଅଭିଭାଷଣ ଦେଇଥିଲେ। ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତାର ନୋଡାଲ ଅଧିକାରୀ ଅଧ୍ୟାପକ ମାୟାଧର ବାରିକ ପ୍ରତିଯୋଗିତା ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲାବେଳେ ଅନ୍ୟତମ ନୋଡାଲ ଅଧିକାରୀ ଅଧ୍ୟାପକ ଅଜୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସଭାକାର୍ଯ୍ୟକୁ ଓଡ଼ିଆ ବିଭାଗର ବିଶ୍ବରଞ୍ଜନ ଦାସ ସଂଯୋଜନା କରିଥିଲେ।

କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ବର୍ଗରେ ଉଭୟ ଯୁକ୍ତ ଦୁଇ ଏବଂ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା ୪୦ରୁ ଅଧିକ ବର୍ଗର ପ୍ରାୟ ୧୬୨ ଜଣ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହି ପୁରସ୍କାରରେ ଟ୍ରଫି ସହିତ ନଗଦ ଅର୍ଥ ଏବଂ ପ୍ରମାଣପତ୍ର ଆଦି ଦିଆଯାଇଥିଲା। ଯୁକ୍ତ ଦୁଇ ବର୍ଗରେ ବିଜୟେନ୍ଦ୍ରୀ ମହାନ୍ତି ସର୍ବାଧିକ ୬ଟି ପୁରସ୍କାର ପାଇଥିଲାବେଳେ ସ୍ନାତକ ଓ ସ୍ନାତକୋତ୍ତର ବର୍ଗରେ ସର୍ବାଧିକ ଗାୟତ୍ରୀ ମହାପାତ୍ର ୫ଟି ପୁରସ୍କାର ପାଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!