ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ଦ୍ୱାରା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରତିଯୋଗିତା ଆରମ୍ଭ
1 min read
ରାଜ୍ୟ ସରକାର କ୍ରୀଡ଼ା, ସଂସ୍କୃତି, ସାମାଜିକ କ୍ଷେତ୍ରରେ ଯୁବ ବର୍ଗ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ “ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ” (ଆଇ.ୱାଇ.ଡି.ପି.) ଅଧୀନରେ ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଯୁବ ବର୍ଗ/ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନ ସ୍ତରରେ ପ୍ରତିଯୋଗୀତା ଆୟୋଜନ କରାଯିବ।

ଏହି କ୍ରମରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ଦ୍ୱାରା ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ ବିଜୟ କୁମାର ବେହେରା ବୁଧବାର ଏହି ପ୍ରତିଯୋଗିତାର ଶୁଭାରମ୍ଭ କରିଛନ୍ତି। ପ୍ରଥମ ଦିନରେ ଯୁକ୍ତ ଦୁଇ ସ୍ତର ପାଇଁ ନୋଡାଲ ଅଧିକାରୀ ଡ ଏ କେ ବେହେରା ଓ ଯୁକ୍ତ ତିନି ଓ ସ୍ନାତକୋତ୍ତର ସ୍ତର ପାଇଁ ନୋଡାଲ ଅଧିକାରୀ ମାୟାଧର ବାରିକଙ୍କ ତତ୍ତ୍ୱାବଧାନରେ ସଙ୍ଗୀତ, ବାଦ୍ୟଯନ୍ତ୍ର ସହିତ ଚିତ୍ରାଙ୍କନ ଆଦି ପ୍ରତିଯୋଗିତାର ଆରମ୍ଭ ହୋଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ବର୍ଗର ସଂଯୋଜକ ଅଧ୍ୟାପକ ସୁରତ ଗିରି ଏବଂ ଅଧ୍ୟାପିକା ମନିଶା ନାୟକଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ବିଚାରକଭାବେ ସଙ୍ଗୀତ ବିଶାରଦ ଗୁରୁ ଫକୀର ଚରଣ ପତି ଯୋଗଦେଇଥିଲେ।

ଚଳିତ ମାସ ଶେଷ ପର୍ଯ୍ୟନ୍ତ ଏହି କ୍ରମରେ ବିଭିନ୍ନ ବର୍ଗର ସାଂସ୍କୃତିକ, କ୍ରୀଡ଼ା ପ୍ରତିଯୋଗିତା ସହିତ ସାମାଜିକ ସେବା ଆଦି କାର୍ଯ୍ୟକ୍ରମ ଆୟୋଜିତ ହେବ। ଶିକ୍ଷାନୁଷ୍ଠାନମାନଙ୍କରେ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରୋତ୍ସାହନ କରିବା, ସାମାଜିକ କାର୍ଯ୍ୟକଳାପ ଆଦିକୁ ପ୍ରୋତ୍ସାହନ କରିବା ହେଉଛି ଯୋଜନାର ମୂଳ ଉଦ୍ଦେଶ୍ୟ। ଏହାଦ୍ବାରା ଓଡ଼ିଶାର ଯୁବ ବର୍ଗଙ୍କର ନେତୃତ୍ବର ବିକାଶ ସହଭାଗିତା ଓ ବ୍ୟକ୍ତିଗତ କଳାର ବିକାଶ ସାଧନ ହେବ ଏବଂ ଯୁବ ବର୍ଗ ଏବଂ ସାଧାରଣ ବ୍ୟକ୍ତିମାନଙ୍କ ମଧ୍ୟରେ ଉତ୍କର୍ଷ ସମ୍ପର୍କ ସ୍ଥାପିତ ହେବ ବୋଲି ଆଶା ବ୍ୟକ୍ତ କରାଯାଇଛି।