ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଶାନ୍ତି ଏବଂ ବିକାଶ ପାଇଁ ବିଶ୍ୱ ବିଜ୍ଞାନ ଦିବସ ପାଳିତ
1 min read
ବିଶ୍ୱ ଶାନ୍ତି ସାମ୍ପ୍ରତିକ ସମୟରେ ଅପରିହାର୍ଯ୍ୟ ହୋଇପଡ଼ିଛି। ବିଜ୍ଞାନର ବିକାଶ ସହିତ ବିଭିନ୍ନ ଦେଶ ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଲାଗିଛନ୍ତି। ପୁଣି ଏଥିରେ ଆଣବିକ ଶକ୍ତିର ଉପଯୋଗ କରାଯାଉଛି। ଏହାଦ୍ୱାରା ବିଶ୍ୱ ଶାନ୍ତି ବ୍ୟାହତ ହେବାର ଆଶଙ୍କା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ନଭେମ୍ବର ୧୦ରେ ଶାନ୍ତି ଏବଂ ବିକାଶ ପାଇଁ ବିଶ୍ୱ ବିଜ୍ଞାନ ଦିବସ ପାଳିତ ହେଉଛି। ଏହି କ୍ରମରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ପକ୍ଷରୁ ମଧ୍ୟ ଏହି ଦିବସ ପାଳିତ ହୋଇଯାଇଛି।

ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ ହୋଇଥିଲା। ଏଥିରେ ସ୍ୱତନ୍ତ୍ର ଅତିଥିଭାବେ ଏନ୍ଆଇଟି ରାଉରକେଲାର ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ଡ ପିତାମ୍ବର ମହାନନ୍ଦିଆ ଯୋଗଦେଇ ବିଜ୍ଞାନକୁ ସମାଜ ସହିତ ଅଧିକ ଘନିଷ୍ଠ କରିବା ସହିତ ଲୋକଙ୍କୁ ବିଜ୍ଞାନର ବିକାଶ ବିଷୟରେ ଅବଗତ କରାଇବା ପାଇଁ ଆହ୍ୱାନ ଦେଇଥିଲେ। ଏହା ସହିତ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଜ୍ଞାନର ଉପଯୋଗିତା ସମ୍ପର୍କରେ ସଚେତନତା ବାର୍ତ୍ତା ନିମନ୍ତେ ବିଜ୍ଞାନ ପ୍ରଦର୍ଶନୀ ଆୟୋଜନ ପାଇଁ ଆହ୍ୱାନ ଦେଇଥିଲେ। ପ୍ରଫେସର ଡ ବେହେରା ଆମେ ନିଜ ଘର ବୋଲି କହୁଥିବା ପୃଥିବୀର ସୁରକ୍ଷା ନେଇ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦେବା ସହ ଶାନ୍ତିପୂର୍ଣ୍ଣ ଭାବେ ବିଜ୍ଞାନର ଉପଯୋଗ କରାଇବା ପାଇଁ ଆହ୍ୱାନ ଦେଇଥିଲେ।

ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ମୁଖ୍ୟ ପ୍ରଫେସର ଡ ଅନ୍ନପୂର୍ଣ୍ଣା ମହାନ୍ତ ସ୍ୱାଗତ ଭାଷଣ ଦେବା ସହ ଆନ୍ତର୍ଜାତୀୟ ବୈଜ୍ଞାନିକ ସହଯୋଗକୁ ପ୍ରୋତ୍ସାହିତ କରିବା ସହ ପରିବେଶ ପୁନଃନିର୍ମାଣକୁ ସହାୟକ ହେବା ସମ୍ପର୍କରେ ଆହ୍ୱାନ ଦେଇ ଦିବସ ପାଳନର ଗୁରୁତ୍ୱ ସମ୍ପର୍କରେ କହିଥିଲେ। ବିଭାଗୀୟ ପ୍ରାଧ୍ୟାପିକା ଡ ରଞ୍ଜନା ରାଣି ଦାସ ଓ ସନ୍ତୋଶିନି ପାତ୍ର ବିଜ୍ଞାନ ଦିବସ ପାଳନ, ଏହାର ଆବଶ୍ୟକତା ସହିତ ସାମ୍ପ୍ରତିକ ସମୟରେ ବିଶ୍ୱର ବିକାଶ ଓ ଶାନ୍ତି ପାଇଁ ବିଜ୍ଞାର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ବିଭାଗୀୟ ଛାତ୍ରୀ ଫାତିମା ରିଜୱାନଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମ ଶେଷରେ ବିଭାଗୀୟ ପ୍ରାଧ୍ୟାପକ ଡ ଶୁଭଜ୍ୟୋତି ମହାପାତ୍ର ସମାଜ ପାଇଁ ବିଜ୍ଞାନ ଏବଂ ବୈଜ୍ଞାନିକମାନଙ୍କର ଭୂମିକା ତଥା ନାଗରିକଙ୍କୁ ବିଜ୍ଞାନ ସହ ଜଡିତ ରଖିବା ଉପରେ ଧ୍ୟାନ ଦେବା ସମ୍ପର୍କରେ ବାର୍ତ୍ତା ଦେଇ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ବିଭାଗୀୟ ଅଧ୍ୟାପକ ଡ ସତ୍ୟବ୍ରତ ସତପଥି, ଡ ନିରଞ୍ଜନ ସାହୁ, ଡ ବିଶ୍ୱନାଥ ପରିଜା ଓ ଅଶୋକ କୁମାର ମିଞ୍ଜ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ। ଏଥିରେ ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନଙ୍କ ସହିତ ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ।