ଓଡିଆଙ୍କ ହୃଦୟରେ କୁମାର ପୂର୍ଣ୍ଣିମା ପର୍ବର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି : ଶ୍ରୀ ଅତନୁ ଭୌମିକ

1 min read
Spread the love

“କୁମାର ପୂର୍ଣ୍ଣିମା ପର୍ବର ଓଡିଆଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି , କାରଣ ଏହା ଆମର ଓଡିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ମାଟି ସହିତ ନିବିଡ ଭାବେ ଯୋଡି ହୋଇରହିଛି’’ବୋଲି ଆର‌ଏସ୍‌ପି ଭାରପ୍ରାପ୍ତ ନିର୍ଦ୍ଦେଶ ଅତନୁ ଭୌମିକ କହିଛନ୍ତି। ଭଞ୍ଜ ସାଂସ୍କୃତିକ ନ୍ୟାସ  ଆନୁକୂଲ୍ୟରେ ସିଭିକ ସେଣ୍ଟରଠାରେ ଓଡିଶାର ଲୋକପ୍ରିୟ ଗଣପର୍ବ କୁମାର ପୂର୍ଣ୍ଣିମା ପାଳନ ଉପଲକ୍ଷେ ମନୋଜ୍ଞ ସାଂସ୍କୃତିକ ସନ୍ଧ୍ୟା ‘କୁମାର ଉତ୍ସବ’ରେ ରାଉରକେଲା ଇସ୍ପାତ କାରଖାନା ଶ୍ରୀ ଭୌମିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ।  

ଏହି ଉତ୍ସବରେ ବରିଷ୍ଠ ଆର୍‌ଏସପି ଅଧିକାରୀଙ୍କ ସମେତ ଦୀପିକା ମହିଳା ସଂଘତିର ଉପାଧ୍ୟକ୍ଷା ଡକ୍ଟର ସୁସ୍ମିତା ଦାସ, ପ୍ରଭାତୀ ମିଶ୍ର, ୟୂନିଅନ ଓ ଅଧିକାରୀ ସଂଘର କର୍ମକର୍ତ୍ତା, ବିଭିନ୍ନ ସାମାଜିକ ସାଂସ୍କୃତିକ ସଂଗଠନର ସଦସ୍ୟବୃନ୍ଦ, ଆରଏସପିର ବହୁ ବରିଷ୍ଠ ଅଧିକାରୀ ଏବଂ ସଂସ୍କୃତି ପ୍ରେମୀ ରାଉରକେଲାବାସୀ ଉପସ୍ଥିତ ଥିଲେ। ଶ୍ରୀ ଭୌମିକ ଏବଂ ଅନ୍ୟ ଅତିଥି ମାନେ ଓଡିଆଙ୍କ ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ଠାରେ ଭକ୍ତି ଅର୍ଘ୍ୟ ଅର୍ପଣ କରିବା ସହିତ ତୁଳସୀ ଚଉରାରେ ଚନ୍ଦ୍ରଙ୍କ ପାରମ୍ପରିକ ଓଡିଆ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ ଏବଂ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଏହି ଉତ୍ସବ ପାଳନ ଉପଲକ୍ଷେ ସଂପୂର୍ଣ୍ଣ ସିଭିକ ସେଣ୍ଟରକୁ ଓଡିଶାର ଏହି ପର୍ବ ସହିତ ସଂଶ୍ଳିଷ୍ଟ ବିଭିନ୍ନ ପାରମ୍ପରିକ ରୀତିନୀତି, ପ୍ରତୀକ, ଝୋଟିଚିତା, ସୁନ୍ଦର କଳସ ଓ ଚାରୁକଳାରେ ସଜ୍ଜିତ କରାଯାଇଥିଲା ଯାହା ଓଡିଶାର ଏକ ମନୋରମ ଉତ୍ସବମୁଖର ଗ୍ରାମ୍ୟ ପରିବେଶର ସ୍ପର୍ଶ ପ୍ରଦାନ କରିଥିଲା।      ସମସ୍ତ ରାଉରକେଲାବାସୀଙ୍କୁ ପବିତ୍ର କୁମାର ପୂର୍ଣ୍ଣିମାର ଅଭିନନ୍ଦନ ଜଣାଇ ଶ୍ରୀ ଭୌମିକ ଓଡିଶାର ଋଦ୍ଧିମନ୍ତ କଳା, ସାହିତ୍ୟ ଓ ସଂସ୍କୃତିର ସଂରକ୍ଷଣ ତଥା ପ୍ରୋତ୍ସାହନ ନିମନ୍ତେ ଭଞ୍ଜ ସାଂସ୍କୃତିକ ନ୍ୟାସର ଏଭଳି ବଳିଷ୍ଠ ପ୍ରୟାସର ଉଚ୍ଚ ପ୍ରଶଂସା କରିଥିଲେ। ଶ୍ରୀ ଭୌମିକ ଉତ୍ସବ ପାଳନ ଅବସରରେ ଓଡିଆ ସିନେ ଜଗତର ଅଗ୍ରଣୀ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ ପ୍ରେମ ଆନନ୍ଦ ଏବଂ ବିଶିଷ୍ଟ ଲେଖିକା ତଥା କାଦମ୍ବିନୀ ପତ୍ରିକାର ସମ୍ପାଦିକା ଡକ୍ଟର ଇତି ସାମନ୍ତଙ୍କୁ ଓଡିଆ ସାହିତ୍ୟ ଓ ସଙ୍ଗୀତ ଜଗତରେ ସେମାନଙ୍କର ଅତୁଳନୀୟ ଅବଦାନ ନିମନ୍ତେ ‘କୁମାର ଉତ୍ସବ ସମ୍ମାନ-୨୦୨୩’ରେ ସମ୍ମାନିତ କରିଥିଲେ। ଶ୍ରୀମତୀ ନିଶିପଦ୍ମା ନନ୍ଦ ସମ୍ବର୍ଦ୍ଧିତ ଅତିଥିଙ୍କ ମାନପତ୍ର ପାଠ କରିଥିଲେ। ଉଭୟ ସମ୍ବର୍ଦ୍ଧିତ ଅତିଥି ଏଭଳି ବିଶାଳ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ନିମନ୍ତେ ଭଞ୍ଜ ସାଂସ୍କୃତିକ ନ୍ୟାସର ଉଚ୍ଚ ପ୍ରଶଂସା କରିବା ସହିତ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ନିମନ୍ତେ କୃତଜ୍ଞତା ଜଣାଇଥିଲେ।

ଏହି ଅବସରରେ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ଯ୍ୟାୟରେ ଓଡିଆ ସିନେମାର ବୟୋଜ୍ୟେଷ୍ଠ କଣ୍ଠଶିଳ୍ପୀ ତାନସେନ ସିଂହଙ୍କ ସମେତ ଜାତୀୟ ସ୍ତରୀୟ ବିଭିନ୍ନ ଟେଲିଭିଜନ ଚ୍ୟାନେଲର ବିଭିନ୍ନ ରିଏଲିଟି ସଙ୍ଗୀତ ସୋ’ରେ ସୁନାମ ଅର୍ଜ୍ଜନ କରିଥିବା ଲୋକପ୍ରିୟ ଓଲିଉଡ କଣ୍ଠଶିଳ୍ପୀ ଶଶାଙ୍କ ଶେଖର ଏବଂ ବହୁ ପ୍ରଚାରିତ ଓଡିଆ ସଙ୍ଗୀତ ଜରିଆରେ ଶ୍ରୋତାଙ୍କ ମନ ଜିଣିଥିବା ଓଡିଆ ସିନେମାର ଅନ୍ୟତମ ଲୋକପ୍ରିୟ କଣ୍ଠଶିଳ୍ପୀ ପମି ମିଶ୍ର ସଙ୍ଗୀତ ପରିବେଷଣ କରିଥିଲେ। ନନସେନ୍ସ ମଣି ନାମରେ ଲୋକପ୍ରିୟ ହାସ୍ୟରସ ଅଭିନେତା ସୁଦେବ ମହାପାତ୍ରଙ୍କ ଉପସ୍ଥିତି ଏହି ସନ୍ଧ୍ୟାର ଅନ୍ୟତମ ଆକର୍ଷଣ ଥିଲା ।

ଇସ୍ପାତ ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭଞ୍ଜ କଳା କେନ୍ଦ୍ରର କଳାକାରମାନଙ୍କ ଦ୍ଵାରା ଗୁରୁ ନୀଳାଦ୍ରି ମହାନ୍ତିଙ୍କ ନୃତ୍ୟ ନିର୍ଦ୍ଦେଶନାରେ ‘କୁଆଁର ପୁନେଇ ଜହ୍ନ ଗୋ’ ନୃତ୍ୟ ନାଟିକାର ମନୋରମ ଉପସ୍ଥାପନା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ନୃତ୍ୟରେ କୁମାର ପୂର୍ଣ୍ଣିମା ଲୋକପର୍ବ ସହ ଅଙ୍ଗାଙ୍ଗୀ ରୂପେ ଜଡିତ ଆନନ୍ଦ ଉଲ୍ଲାସ, ଖେଳକୌତୁକ, ଆଶ୍ଵିନ ପୂର୍ଣ୍ଣିମାର ମନୋରମତା ଆଦି ନିପୁଣ ରୂପେ ଉପସ୍ଥାପିତ କରାଯାଇଥିଲା।       କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆର୍‌ଏସପି ନିର୍ବାହୀ ନିର୍ଦ୍ଦେଶିକ ତରୁଣ ମିଶ୍ର ନିଜର ସ୍ଵାଗତ ଅଭିଭାଷଣରେ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ଓ ପ୍ରୋତ୍ସାହନ ପାଇଁ ଭଞ୍ଜ ସାଂସ୍କୃତିକ ନ୍ୟାସର ପ୍ରତିବଦ୍ଧତାକୁ ଦୋହରାଇଥିଲେ।     

  ଶ୍ରୀ ଅନିଲ ମଲ୍ଲିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପ୍ରଦୀପ ପ୍ରଜ୍ଵଳନ ସମୟରେ ଗୁରୁ ଶ୍ରୀ ଜ୍ୟୋତିର୍ମୟ ଆଚାର୍ଯ୍ୟ ବେଦମନ୍ତ୍ର ଆବୃତ୍ତି କରିଥିଲେ। ଭଞ୍ଜ ସାଂସ୍କୃତିକ ନ୍ୟାସର ସାଧାରଣ ସମ୍ପାଦକ ଜୀବନ ବଲ୍ଲଭ ପଟ୍ଟନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ। ଟେଲିଭିଜନ ପରଦାର ସଂଯୋଜକ ପୁଷ୍ପକ ସାଂସ୍କୃତିକ ସନ୍ଧ୍ୟା ପରିଚାଳନା କରିଥିଲେ। ଭଞ୍ଜ ସାଂସ୍କୃତିକ ନ୍ୟାସର ସମସ୍ତ କର୍ମକର୍ତ୍ତା ଏବଂ ସହରର ବିଭିନ୍ନ ସାମାଜିକ ସାଂସ୍କୃତିକ ସଂଗଠନର ସଦସ୍ୟମାନେ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!