ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ତ୍ରିଦିବସୀୟ ବାର୍ଷିକ ଖେଳ କୁଦ ପ୍ରତିଯୋଗିତା ଅନୁଷ୍ଠିତ

1 min read
Spread the love

ବିଦ୍ୟା ଅଧ୍ୟୟନ ସହିତ କ୍ରୀଡ଼ା ଓ ଖେଳକୁଦ ଜଣେ ବିଦ୍ୟାର୍ଥୀ ଜୀବନକୁ ଶୃଙ୍ଖଳିତ ଓ ସ୍ୱୟଂସପୂର୍ଣ୍ଣ କରିବାରେ ସହାୟକ ହୁଏ

ଚଳିତ ମାସ ୧୭ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ତ୍ରିଦିବସୀୟ ବାର୍ଷିକ ଖେଳ କୁଦ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟ ପରିସରରେ ଥିବା ମିନି ଷ୍ଟାଡିୟମ୍‌ ପରିସରରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ଜାତୀୟ ଫୁଟ୍‌ବଲ୍‌ ଖେଳାଳୀ ତଥା କ୍ରୀଡ଼ା ସଙ୍ଗଠକ ସଞ୍ଜୟ ବୁବୁଟା ଯୋଗଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ତିନିଦିନ ଧରି ଆୟୋଜିତ ବିଭିନ୍ନ ଖେଳକୁଦ ପ୍ରତିଯୋଗିତାର ଶତାଧିକ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ମହାବିଦ୍ୟାଳୟ କ୍ରୀଡ଼ା ସଂସଦର ଉପସଭାପତି ଅଧ୍ୟାପକ ସମୀର ସୌରଭ ପୃଷ୍ଟି ଓ ପ୍ରଦୀପ ଖେସ୍‌ ଏବଂ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟିତ୍ରୀ କ୍ୟାପ୍‌ଟେନ ମୀନା ଦାସଙ୍କ ସଂଯୋଜନାରେ ତିନିଦିନ ଧରି ହୋଇଥିବା ଏହି କ୍ରୀଡ଼ା ପ୍ରତିଯୋଗିତା ଆୟୋଜନରେ ଅଧ୍ୟାପିକା ଓ ଅଧ୍ୟାପକଙ୍କ ସହ ଅନ୍ୟାମାନେ ସହଯୋଗ କରିଥିଲେ।

ତିନିଦିନ ଧରି ବିଭିନ୍ନ ବର୍ଗର ଦୌଡ଼ ପ୍ରତିଯୋଗିତା, ସଟ୍‌ଫୁଟ, ଡିସ୍‌କସ୍‌, ଜାଭେଲିନ୍‌ ଥ୍ରୋ ସାହିତ ଫୁଟ୍‌ବଲ୍‌, ଭଲିବଲ୍‌, କବାଡ଼ି, ଖୋ ଖୋ ଆଦି ଖେଳ ସହିତ ବ୍ୟାଡ୍‌ମିଣ୍ଟନ ଆଦି ଖେଳରେ ଯୁକ୍ତ ଦୁଇ ସମେତ ସ୍ନାତକ ଓ ସ୍ନାତକୋତ୍ତର ବର୍ଗର ଉଭୟେ ବାଳକ ଓ ବାଳିକା ବର୍ଗର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ସାମଗ୍ରୀକ କୃତିତ୍ୱ ନିମନ୍ତେ ଯୁକ୍ତ ଦୁଇ ବର୍ଗ ପାଇଁ ପ୍ରତାପ ତିର୍କୀ ଓ ସୁଜାତା କୁଜୁର ଯଥାକ୍ରମେ ବାଳକ ଓ ବାଳିକା ବିଭାଗରେ ଚମ୍ପିୟାନ ହୋଇଥିଲେ। ସେହିଭଳି ସ୍ନାତକ ଓ ସ୍ନାତକୋତ୍ତର ବର୍ଗରେ ମାଇକେଲ ଲୁଗୁନ ଓ ରେଶ୍ମା ମିଞ୍ଜ ଚମ୍ପିୟାନ ହୋଇ ପୁରସ୍କାର ପାଇଥିଲେ।

ସେହିଭଳି ଫୁଟ୍‌ବଲ୍‌ ଖେଳରେ ବାଳକ ବିଭାଗରେ ଆକାଶ ଡୁଙ୍ଗ୍‌ଡୁଙ୍ଗଙ୍କ ନେତୃତ୍ୱାଧିନ ଦଳ ବିଜୟୀ ହୋଇଥିଲାବେଳେ ଗୋବିନ୍ଦ ହେମ୍ବ୍ରମ୍‌ଙ୍କ ନେତୃତ୍ୱାଧିନ ଦଳ ଉପବିଜେତା ହୋଇଥିଲେ।  ଫୁଟବଲ୍‌ର ବାଳିକା ବିଭାଗରେ ସୁପ୍ରଭା ମଲ୍ଲିକଙ୍କ ନେତୃତ୍ୱାଧିନ ଦଳ ବିଜୟୀ ହୋଇଥିଲାବେଳେ ରିୟା କେର୍କେଟାଙ୍କ ଦଳ  ଉପବିଜେତା ହୋଇଥିଲେ।  ଖୋ-ଖୋ ଖେଳର ବାଳକ ବିଭାଗରେ ନରେଶ ଡୁଙ୍ଗ୍‌ଡୁଙ୍ଗ୍‌ଙ୍କ ଦଳ ବିଜୟୀ ହୋଇଥିଲାବେଳେ ଉତ୍ତମ ପ୍ରଧାନଙ୍କ ଦଳ ଉପବିଜେତା ହୋଇଥିଲେ।  ବାଳିକା ବିଭାଗରେ ରେଶ୍ମା ମିଞ୍ଜଙ୍କ ନେତୃତ୍ୱାଧିନ ଦଳ ବିଜୟୀ ହୋଇଥିଲାବେଳେ ଜିଜ୍ଞାସା ଦାସଙ୍କ ଦଳ  ଉପବିଜେତା ହୋଇଥିଲେ।  ଭଲିବଲ୍‌ ଖେଳର ବାଳକ ବିଭାଗରେ ଅଭୟ ଏକ୍କାଙ୍କ ଦଳ ବିଜୟୀ ଓ ଚନ୍ଦନ ପ୍ରଧାନଙ୍କ ଦଳ ଉପବିଜେତା ହୋଇଥିଲେ।

ବାଳିକା ବିଭାଗରେ ଯୁକ୍ତ ଦୁଇ ଦଳ ବିଜୟୀ ଓ ସ୍ନାତକ ଓ ସ୍ନାତକୋତ୍ତର ମିଳିତ ଦଳ ଉପବିଜେତା ହୋଇଥିଲେ। ସେହିପରି କବାଡ଼ି ପୁରୁଷ ବର୍ଗରେ ସ୍ନାକୋତ୍ତର ଦ୍ୱିତୀୟ ବର୍ଷର ଦଳ ବିଜୟୀ ଓ ସ୍ନାତକ ବିଭାଗର ତୃତୀୟ ବର୍ଷ ଦଳ ଉପବିଜେତା ହୋଇଥିଲେ। କବାଡ଼ି ଖେଳର ବାଳିକା ବିଭାଗରେ ଯୁକ୍ତ ଦୁଇ ଦଳ ବିଜୟୀ ହୋଇଥିଲାବେଳେ ସ୍ନାତକ ବିଭାଗର ଦଳ ଉପବିଜେତା ହୋଇଥିଲେ। ସମସ୍ତ ଖେଳାଳିମାନଙ୍କୁ ମୁଖ୍ୟ ଅତିଥି ଓ ଅଧ୍ୟକ୍ଷ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।

ଏହା ସହିତ ଉଭୟେ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ ବିଦ୍ୟା ଅଧ୍ୟୟନ ସହିତ କ୍ରୀଡ଼ା ଓ ଖେଳକୁଦ ଜଣେ ବିଦ୍ୟାର୍ଥୀ ଜୀବନକୁ ଶୃଙ୍ଖଳିତ ଓ ସ୍ୱୟଂସପୂର୍ଣ୍ଣ କରିବାରେ ସହାୟକ ହୁଏ ବୋଲି କହିଥିଲେ। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଆଭାଶ କୁମାର ହୋତା ଅଧ୍ୟାପିକା ମମତା ବାକ୍ସଲା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଖୁବ୍‌ କମ୍‌ ସମୟ ମଧ୍ୟରେ ଏହି ତ୍ରିଦିବସୀୟ କ୍ରୀଡ଼ା ପ୍ରତିଯୋଗିତା ସହିତ ଖେଳ କୁଦ ପ୍ରତିଯୋଗିତାକୁ ସଫଳତାର ସହିତ ସମ୍ପନ୍ନ କରିବା ନିମନ୍ତେ ଅଧ୍ୟକ୍ଷ ପ୍ରଫେସର ବେହେରା ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ବିଭିନ୍ନ ବର୍ଗର କର୍ମଚାରୀଙ୍କ ସମେତ ତିନିଦିନ ଧରି ସ୍ୱେଚ୍ଛାସେବୀ ଓ ବିଚାରକଭାବେ ଦାୟିତ୍ୱ ତୁଲାଇଥିବା ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!