ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ନେଇ ଆଲୋଚନା ଓ ଚର୍ଚ୍ଚା ଜାରି
1 min read
ରାଉରକେଲା ସହରର ଆର୍ଏସପି ସମ୍ମୁଖରେ ଥିବା ସେନ୍ସରୀ ପାର୍କ ପରିସରସ୍ଥ ଜଳାଶୟରୁ ମିଳିଥିବା ମୃତ ମହିଳା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ରାମାବାହାଲ ପୋଖରୀଟୋଲିର ସୁସ୍ମିତା ମିଞ୍ଜ ବୋଲି ଜଣାପଡ଼ିବା ପରେ ଏ ନେଇ ଆଲୋଚନା ଓ ଚର୍ଚ୍ଚା ଲାଗି ରହିଛି। କାରଣ ମୃତକ ଜଣକ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ(ଏଡିଏମ୍)ଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳ ଥିଲେ। ସେ ଏଡିଏମ୍ଙ୍କ କାର୍ଯ୍ୟାଳୟର ଜମିଜମା ବିଭାଗ ଦାୟିତ୍ବରେ ଥିଲେ। ୧୯ ତାରିଖ ଦିନ ପ୍ଲାଣ୍ଟସାଇଟ୍ ପୁଲିସ ଶବ ପାଇବା ପରେ ବ୍ୟବଚ୍ଛେଦ କରିଥିଲା। ଏହାପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ସୂଚନା ମୁତାବକ ସୁସ୍ମିତାଙ୍କ ପାରିବାରିକ ସମସ୍ୟା ଥିବାରୁ ସେ ମାନସିକ ଦୁଃଶ୍ଚିନ୍ତାରେ ରହିଥିଲେ।ଗତ ଶୁକ୍ରବାରଠାରୁ ଘରକୁ ଫେରି ନଥିଲେ। ଘରକୁ ନ ଫେରିବାରୁ ସୁସ୍ମିତାଙ୍କ ଭାଇ ଗତ ରବିବାର ସ୍ଥାନୀୟ ଥାନାରେ ତାଙ୍କ ଭଉଣୀ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ। ପରଦିନ ଅର୍ଥାତ୍ ସୋମବାର ସୁସ୍ମିତାଙ୍କୁ ଷ୍ଟେସନ ନିକଟସ୍ଥ ଏକ ହୋଟେଲ ପରିବାର ଲୋକ ପାଇଥିଲେ। ମଙ୍ଗଳବାର ଅର୍ଥାତ୍ ୧୯ ତାରିଖ ଦିନ ତାଙ୍କ ଶବ ଭାସୁଥିବା ଦେଖି ସୁରକ୍ଷାକର୍ମୀ ପ୍ଲାଣ୍ଟସାଇଟ୍ ଥାନାକୁ ସୂଚନା ଦେଇଥିଲେ। ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ପୁଷ୍କରଣୀ ଭିତରକୁ ସୁସ୍ମିତାଙ୍କ ଶବ ଉଦ୍ଧାର କରିଥିଲେ।

ଏହି ଘଟଣାକୁ ପୁଲିସ ଆତ୍ମହତ୍ୟା ବୋଲି କହୁଥିବା ମୃତକଙ୍କ ମା ଜଣାଇଛନ୍ତି। କିନ୍ତୁ ପରିବାର ଲୋକେ ଏହାକୁ ଗ୍ରହଣ ନକରି ତାଙ୍କ ମୃତ୍ୟୁ ପାଇଁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଦାୟୀ କରିଛନ୍ତି। ଏହା ସହିତ ମୃତକଙ୍କ ଭାଇଙ୍କ ଦ୍ୱାରା ପ୍ଲାଣ୍ଟସାଇଟ ଥାନାରେ ହୋଇଥିବା ଲିଖିତ ଅଭିଯୋଗ ମୁତାବକ ମୃତକ ସୁସ୍ମିତାଙ୍କ ମୃତ୍ୟୁର କାରଣ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲାପାଳଙ୍କ ସମେତ ଅନ୍ୟ କିଛି ସରକାରୀ ଅଧିକାରୀ ବୋଲି ଅଭିଯୋଗ ହୋଇଛି। ଏ ନେଇ ପୁଲିସ ଡିଏସ୍ପି ଅନୀଲ ପ୍ରଧାନ ପ୍ରତିକ୍ରିୟା ଦେଇ ସମସ୍ତ ଆଇନଗତ କାର୍ଯ୍ୟ ଚାଲିଛି ଏବଂ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ତଦନ୍ତ କାର୍ଯ୍ୟ ଆଗେଇବ ବୋଲି କହିଛନ୍ତି। କିନ୍ତୁ ଏହି ଘଟଣାରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତାହା ମଧ୍ୟରେ ଜଣେ ପ୍ରଶାସନିକ ଅଧିକାରୀ କେଉଁ ପରିସ୍ଥିତିରେ ଏକ ହୋଟେଲ୍ରେ ରହିଲେ ? କେଉଁ ପରିସ୍ଥିତିରେ ସେ ପାର୍କ ଭିତରକୁ ଗଲେ ଏବଂ ସେଠାରେ ଥିବା ଜଳାଶୟରେ ବୁଡ଼ିଗଲେ? ଏ ନେଇ ପାର୍କରେ ଥିବା ସୁରକ୍ଷା କର୍ମଚାରୀ ଜାଣିଥିଲେ କି ନାହିଁ? ପାର୍କରେ ଥିବା ସିସି ଟିଭି ଯାଞ୍ଚ ଓ ସୁରକ୍ଷାକର୍ମୀଙ୍କୁ ପଚରାଉଚୁରା ପରେ ସୁସ୍ମିତାଙ୍କ ମୃତ୍ୟୁ କିପରି ହେଲା ଜଣାପଡ଼ିବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ସରକାରୀ ବ୍ୟବସ୍ଥାରେ ଥିବା ଜମିଜମା ବିଭାଗ ବୁଝୁଥିବାରୁ ମୃତକଙ୍କ ଉପରେ ଜମିଜମା ଆବଣ୍ଟନ ସମ୍ପର୍କୀତ କିଛି ଚାପ ଉଚ୍ଚ ଅଧିକାରୀଙ୍କ ଦ୍ୱାରା ହୋଇଥିଲା କି ? ସବୁଠାରୁ ବଡ଼କଥା ହେଉଛି ପ୍ଲାଣ୍ଟସାଇଟ ଥାନା ଓ ଉଦିତ ନଗର ଥାନା ଅଧିକାରୀ ଏବଂ ଡିଏସ୍ପିଙ୍କ ଉପରିସ୍ଥ ଅଧିକାରୀ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲାପାଳ ହୋଇଥିବାରୁ ପୁଲିସର ତଦନ୍ତ ନିରପେକ୍ଷ ହୋଇପାରିବ କି ? ଏହିସବୁ ପ୍ରଶ୍ନର ଉତ୍ତର ଶୀଘ୍ର ମିଳିବ ବୋଲି ଜଣାପଡ଼ୁନାହିଁ।