ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଓଜୋନ ଦିବସ ଉପଲକ୍ଷେ କାର୍ଯ୍ୟକ୍ରମ

1 min read
Spread the love

ରାଉରକେଲା ସହରର ପାନପୋଷ ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ ବିଭାଗର ମିଳିତ ଆନୁକୂଲ୍ୟରେ ବିଶ୍ୱ ଓଜୋନ ଦିବସ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ବେହେରାଙ୍କ ପୌରହିତ୍ୟରେ ଏହି ଅବସରରେ ପ୍ରଥମେ ଓଜୋନ ଦିବସ ପାଳନ ସମ୍ପର୍କରେ ପ୍ରଫେସର ବାର୍ତ୍ତା ଦେଇଥିଲେ। ଅତ୍ୟଧିକ ରାସାୟନିକ ପଦାର୍ଥ ବ୍ୟବହାର ତଥା ଅଙ୍ଗାରକାମ୍ଳ ନିର୍ଗମନ ଦ୍ୱାରା ବାୟୁମଣ୍ଡଳର ଉପର ଓ ନିମ୍ନ ସ୍ତରରେ ଥିବା ଓଜୋନ ସ୍ତରରେ କ୍ଷତି ହେଉଛି। ଓଜୋନ ସ୍ତର ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହାକୁ ଅକ୍ଷତ ରଖିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୧୬ ତାରିଖକୁ ‘ବିଶ୍ବ ଓଜୋନ ଦିବସ’ ଭାବେ ପାଳନ କରାଯାଏ।

୧୯୮୭ ମସିହାର ଏହି ଦିନରେ ମଣ୍ଟ୍ରିଲ ପ୍ରୋଟୋକଲ ନାମକ ଏକ ଅନ୍ତଃରାଷ୍ଟ୍ରୀୟ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଏଥିରେ ବାୟୁମଣ୍ଡଳରେ ଓଜୋନ ସ୍ତରକୁ କ୍ଷୀଣ ବା ହ୍ରାସ କରୁଥିବା କିଛି ପଦାର୍ଥର ପ୍ରସ୍ତୁତି ବା ଉତ୍ପାଦନ ସମୟବଦ୍ଧ ଉପାୟରେ ବନ୍ଦ କରି ଓଜୋନ ସ୍ତରକୁ ସଂରକ୍ଷଣ କରାଯାଇପାରିବା ନେଇ ନିଷ୍ପତ୍ତି ହୋଇଥିଲା। ଏହି ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା ୧୬ ସେପ୍ଟେମ୍ବର ୧୯୮୭ ମସିହାରେ । ଏହି ଓଜୋନ ସ୍ତର କ୍ଷୀଣ ହେବା ଯୋଗୁଁ ନିର୍ଗତ ବିଷାକ୍ତ ଗ୍ୟାସର ପ୍ରଭାବ ପୃଥିବୀ ଉପରେ ପରବର୍ତ୍ତୀ ୫୦ରୁ ୧୦୦ ବର୍ଷ ପର୍ଯ୍ୟନ୍ତ ରହିବ ବୋଲି ଅନୁମାନ କରଯାଏ। ଓଜୋନ ସ୍ତରର ସୁରକ୍ଷା ଆମ ସମସ୍ତଙ୍କର। ଏଥିପ୍ରତି ସଜାଗ ରହିଲେ ଏକ ସୁସ୍ଥ ପୃଥିବୀ ପରବର୍ତ୍ତୀ ପିଢ଼ିକୁ ସ୍ବାଗତ କରିବ। ଚଳିତବର୍ଷ ବିଶ୍ବ ଓଜୋନ ଦିବସର ବାର୍ତ୍ତା ରହିଛି- ‘ଓଜୋନ ସ୍ତରକୁ ସନ୍ତୁଳିତ ରଖିବା ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ ହ୍ରାସ କରିବା’। ଏହି ବାର୍ତ୍ତାକୁ ନେଇ ମହାବିଦ୍ୟାଳୟର ଯୁକ୍ତ ଦୁଇ, ସ୍ନାତକ ଓ ସ୍ନାତକୋତ୍ତର ବିଭାଗର ଶତାଧିକ ଛାତ୍ରଛାତ୍ରୀ ପ୍ରଚାର ପତ୍ର ଓ ପ୍ରାଚୀର ପତ୍ର ପ୍ରସ୍ତୁତ ଓ ପ୍ରଦର୍ଶନ କରିଥିଲେ। ଏହା ମାଧ୍ୟମରେ ଓଜୋନ ସ୍ତର ହ୍ରାସ ସମ୍ପର୍କୀତ ବିଭିନ୍ନ ବାର୍ତ୍ତା ଦିଆଯାଇଥିଲା।

କାର୍ଯ୍ୟକ୍ରମଟି ପ୍ରାଣୀ ବିଭାଗର ମୁଖ୍ୟ ସମିର ସୌରଭ ପୃଷ୍ଟିଙ୍କ ସଂଯୋଜନାରେ ହୋଇଥିଲା। ଏଥିରେ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଲିଚିତା ପାତ୍ରଙ୍କ ସମେତ ଇଂରାଜୀ ଭାଷା ବିଭାଗର ଡ ସୁରତ ଗିରି ଏବଂ ଇତିହାସ ବିଭାଗର ମୁଖ୍ୟ ବାସନ୍ତି କୁଜୁର ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ପ୍ରତିଯୋଗିତାର ବିଚାରକଭାବେ ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପିକା ମନିଷା ନାୟକ, ଶିକ୍ଷା ବିଭାଗର ମୁଖ୍ୟ ଲଳିତା ଏମ ବାର୍ଲା ଏବଂ ରସାୟନ ବିଭାଗର ମୁଖ୍ୟ ସସ୍ମିତା ସାମଲ ଉପସ୍ଥିତ ଥିଲେ। ଏହି କୃତି ପ୍ରତିଯୋଗୀମାନଙ୍କୁ ପରବର୍ତ୍ତୀ ସମୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ। ଏହି ଅବସରରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!