ଜଙ୍ଗଲ ଜମି ପଟ୍ଟା ପ୍ରଦାନରେ ଢେଙ୍କାନାଳ ଜିଲ୍ଲା ସାରା ଦେଶରେ ପ୍ରଥମ : ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କଲେ
1 min read
ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲା ପ୍ରଶାସନକୁ ଜାଗା ମିଶନରେ ଗରିବ ଲୋକଙ୍କୁ ଜମି ପଟ୍ଟା ପ୍ରଦାନ କରିବାରେ ସଫଳତା ପାଇଁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଦେଶ ତଥା ରାଜ୍ୟରେ ପ୍ରଥମଥର ପାଇଁ ସହରାଂଚଳରେ ଆଦିବାସୀ ସଂପ୍ରଦାୟର ୩୪ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଛନ୍ତି। ଯାହାଦ୍ୱାରା ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିଛନ୍ତି। ଏହା ସହିତ ସେମାନଙ୍କୁ ଜୀବିକା ଯୋଗାଇ ଦେବା ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନ ଯୋଜନା କରୁଅଛି। ଯାହା ଫଳରେ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ। ଏଥିରେ ଜିଲ୍ଲାପାଳ ସରୋଜ କୁମାର ସେଠୀ, ବନଖଣ୍ଡ ଅଧିକାରୀ ସୁମିତ କର, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଲଳିତ ମୋହନ ବେହେରା, ପୌରପରିଷଦର ଅଧ୍ୟକ୍ଷା ଜୟନ୍ତୀ ପାତ୍ର, ପୌରପରିଷଦର ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ, ଜିଲ୍ଲା ମଙ୍ଗଳ ଅଧିକାରୀ ରୁଦ୍ର ପ୍ରସନ୍ନ ପରିଜା, ପୌର ଯନ୍ତ୍ରୀ ରଶ୍ମିତା ମିଶ୍ର ଏବଂ ପୌର ପାରିଷଦ ମାନେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇଥିଲେ। ଏହିପରି ପଦକ୍ଷେପ ଗ୍ରହଣ କରିବାରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଦେଶ ତଥା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ଆଦିବାସୀମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଜିଲ୍ଲା ପ୍ରଶାସନ ପଦେକ୍ଷପ ଗ୍ରହଣ କରିବାରେ ଯେଉଁ ମାଇଲ ସ୍ତମ୍ଭ ପ୍ରତିଷ୍ଠା କରିଛି ତାହା ଅନ୍ୟ ଜିଲ୍ଲା ତଥା ରାଜ୍ୟ ପାଇଁ ପ୍ରେରଣାଦାୟୀ। ଆଗାମୀ ଦିନରେ ଅନ୍ୟ ଜିଲ୍ଲା ତଥା ରାଜ୍ୟ ଏହିଭଳି ପଦେକ୍ଷପ ପାଇଁ ଢେଙ୍କାନାଳ ଜିଲ୍ଲା ପ୍ରଶାସନକୁ ଅନୁକରଣ କରିବେ ବୋଲି ଆଶା କରାଯାଉଛି।