ସେଲ ରାଉରକେଲା ଇସ୍ପାତ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସ୍-୫ ସ୍ଥାପନାର ଦଶମ ବାର୍ଷିକୀ ପାଳିତ
1 min read
????????????????????????????????????
ରାଉରକେଲା ଇସ୍ପାତ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସ-୫ ‘ଦୁର୍ଗା’ ସ୍ଥାପନାର ଦଶମ ବାର୍ଷିକୀ ପାଳନ ପାଇଁ ଅଗଷ୍ଟ ୫ ତାରିଖରେ ବ୍ଲାଷ୍ଟ ଫର୍ଣ୍ଣେସ ବିଭାଗରେ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଉତ୍ସବ ପାଳନ ଉପଲକ୍ଷେ କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଏସ୍ ଆର ସୂର୍ଯ୍ୟବଂଶୀ ଏକ କେକ୍ କାଟିଥିଲେ। ତାଙ୍କ ଗହଣରେ କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପ୍ରମୋଦ କୁମାର ଶତପଥୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ମୁଖ୍ୟ ମହାପ୍ରବନ୍ଧକ, ବିଭାଗ ମୁଖ୍ୟ, ବରିଷ୍ଠ ଅଧିକାରୀ ଏବଂ ବିଭାଗର କର୍ମଚାରୀମାନେ ଯୋଗ ଦେଇଥିଲେ।

ଏହି ଅବସରରେ ନିଜର ବକ୍ତବ୍ୟରେ ଅନ୍ୟତମ ନିର୍ବାହୀ ନିର୍ଦ୍ଦେଶକ ଏସ୍ ଆର୍ ସୂର୍ଯ୍ୟବଂଶୀ ବ୍ଲାଷ୍ଟ ଫର୍ଣ୍ଣେସ ଦଳକୁ ବ୍ଲାଷ୍ଟ ଫର୍ଣ୍ଣେସ-୫ ‘ଦୁର୍ଗା’ ଦଶଟି କାର୍ଯ୍ୟକ୍ଷମ ବର୍ଷ ସଫଳତାର ସହ ସମାପ୍ତ କରିଥିବାରୁ ଅଭିନନ୍ଦନ ଜଣାଇଥିଲେ। ବ୍ଲାଷ୍ଟ ଫର୍ଣ୍ଣେସ-୫ର ପ୍ରାରମ୍ଭିକ ଦିନଗୁଡିକରେ ସେ ବିତାଇଥିବା ତାଙ୍କର ପୁରୁଣା ସ୍ମୃତିକୁ ଶ୍ରୀ ସୂର୍ଯ୍ୟବଂଶୀ ସ୍ମରଣ କରିଥିଲେ। ଆରଏସପି ଯାତ୍ରାରେ ଅତ୍ୟାଧୁନିକ ବ୍ଲାଷ୍ଟ ଫର୍ଣ୍ଣେସର ସଂଯୋଗର ଗୁରୁତ୍ୱକୁ ଆଲୋକପାତ କରିଥିଲେ ଯାହା କାରଖାନା ପାଇଁ ଅଧିକ ଉତ୍ପାଦକତା ଏବଂ ସମୃଦ୍ଧତାକୁ ସୂଚିତ କରୁଛି। ୟୁନିଟର ସାମଗ୍ରିକ ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ଉତ୍ପାଦନରେ ଆହୁରି ବୃଦ୍ଧି ଆଣିବା ଏବଂ ଶୂନ୍ୟ ବ୍ରେକଡାଉନ ଦିଗରେ କାର୍ଯ୍ୟ କରିବାକୁ ସେ ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ। ଏହି ଅବସରରେ ଉପସ୍ଥିତ ଥିବା ସମସ୍ତ ନିର୍ବାହୀ ନିର୍ଦ୍ଦେଶକ ବ୍ଲାଷ୍ଟ ଫର୍ଣ୍ଣେସ୍ ସାମୂହିକଙ୍କୁ ଏହି ସ୍ମରଣୀୟ ଦିବସ ପାଇଁ ଅଭିନନ୍ଦନ ଜଣାଇଥିଲେ। ସି.ଜି.ଏମ୍ (ଆଇରନ୍) ବିଶ୍ୱରଂଜନ ପଲାଇ ସମାବେଶକୁ ସ୍ୱାଗତ କରିଥିଲେ ଏବଂ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସୂଚନା ମୁତାବକ ବ୍ଲାଷ୍ଟ ଫର୍ଣ୍ଣେସ୍-୫ ଆରଏସପିର ବୃହତ ଆଧୁନିକୀକରଣ ଏବଂ ସଂପ୍ରସାରଣ ଯୋଜନା ଅଧୀନରେ ୪୦୬୦ ଘନମିଟର ଉପଯୋଗୀ କ୍ଷମତା ସହିତ ୨୦୧୩ ମସିହାରେ ବାର୍ଷିକ ୨.୮ ନିୟୁତ ଟନ୍ ଉତ୍ପାଦନ କ୍ଷମତା ପାଇଁ ଡିଜାଇନ୍ ହୋଇଥିଲା। ଏହି ବ୍ଳାଷ୍ଟ ଫର୍ଣ୍ଣେସ ଦେଶର ଅନ୍ୟତମ ବୃହତ୍ତମ ଅପରେଟିଂ ବ୍ଲାଷ୍ଟ ଫର୍ଣ୍ଣେସ ୨୦୧୮ ମାର୍ଚ୍ଚ ମାସରେ ୧୦ ନିୟୁତ ଟନ୍ ହଟ୍ ମେଟାଲ୍ ଉତ୍ପାଦନ ଅତିକ୍ରମ କରିବା ସହିତ ୨୦୨୦ ଫେବୃଆରୀ ମାସରେ ୧୫ ନିୟୁତ ଟନ୍ ଏବଂ ୨୦୨୨ ଜାନୁଆରୀ ମାସରେ ୨୦ ନିୟୁତ ଟନ୍ ତଥା ୨୦୨୨ ମଇ ୧୯ ତାରିଖରେ ୨୧ ନିୟୁତ ଟନ ଉତ୍ପାଦନ ରେଖା ଅତିକ୍ରମ କରିଥିଲା। ୨୦୨୩ ଜୁଲାଇ ମାସ ସୁଦ୍ଧା ଉକ୍ତ ବ୍ଳାଷ୍ଟ ଫର୍ଣ୍ଣେସ ରାଷ୍ଟ୍ର ନିର୍ମାଣ ପାଇଁ ୨୪.୩ ନିୟୁତ ଟନ ଉତ୍ତପ୍ତ ଧାତୁ ଉତ୍ପାଦନ କରିଛି ।