Skip to content
ରାଉରକେଲା ସହର ସମେତ ଆଖପାଖ ଅଞ୍ଚଳରେ ପ୍ରାୟ ୬ ଘଣ୍ଟାରୁ ଅଧିକ ଧରି ଲଗାଣ ବର୍ଷା ହୋଇଛି। ଏହାଫଳରେ ସହରର ବିଭିନ୍ନ ତଳିଆ ଅଞ୍ଚଳ ସମେତ ରିଙ୍ଗ୍ରୋଡ୍ର ବିଭିନ୍ନ ସ୍ଥାନରେ ପାଣି ଜମିବା ସହିତ ବର୍ଷା ଜଳ ବହୁଥିବାର ଦେଖିବାକୁ ମିଳିଛି। ଏଥିପାଇଁ ସହରର ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଥିବା ଦେଖିବାକୁ ମିଳିଛି।
ଗୋଟିଏ ପଟେ ବୁଧବାର ଲଗାଣ ବର୍ଷା ଅନ୍ୟପଟେ ଗୁରୁବାର ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗର ସୂଚନା। ଏହାକୁ ନେଇ ରାଉରକେଲା ସମେତ ସମଗ୍ର ଜିଲ୍ଲାର ବିଭିନ୍ନ ଅଞ୍ଚଳର ବାସିନ୍ଦାମାନେ ଚିନ୍ତାରେ ଥିବା ଜଣାପଡ଼ିଛି। ଲଗାଣ ବର୍ଷା ଯୋଗୁଁ ରାଉରକେଲା ସହରର ଉପକଣ୍ଠ ସ୍ଥିତ ବେଦବ୍ୟାସଠାରୁ ଉତ୍ପତ୍ତି ହୋଇଥିବା ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧିପାଇବାରେ ଲାଗିଛି। ଏହା ସହିତ ସହରର ରିଙ୍ଗ୍ରୋଡ୍ର ବିଭିନ୍ନ ସ୍ଥାନ ବିଶେଷ କରି ସ୍ପେଶ୍ ଛକ, ବିଶ୍ରା ଛକ, ସେକ୍ଟର-୭/୧୭ ଛକ ଆଦି ସ୍ଥାନରେ ପାଣି ଜମିରହିଥିବା ଦେଖିବାକୁ ମିଳିଛି।
ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ମାତ୍ର ୭/୮ ମାସ ପୂର୍ବେ ବିଶ୍ବ କପ୍ ହକି ପାଇଁ ନିର୍ମିତ ରାସ୍ତା କଡ଼ର ପାଦଚଲା ସ୍ଥାନ ନିର୍ମାଣରେ ଅବ୍ୟବସ୍ଥା ଯୋଗୁଁ ସହରର ସବୁଠାରୁ ବ୍ୟବସ୍ଥିତ ରାସ୍ତାଭାବେ ପରିଚିତ ରିଙ୍ଗ୍ରୋଡ୍ର ଅନେକ ସ୍ଥାନରେ ପାଣି ଜମିରହିବା ଯୋଗୁଁ ଯାତାୟତ ପ୍ରଭାବିତ ହୋଇଛି। ସେହିଭଳି ସହରର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଭରିଯିବା ଯୋଗୁଁ ଜନ ଜୀବନ ପ୍ରଭାବିତ ହୋଇଛି। ବ୍ରାହ୍ମଣୀ ନଦୀ ଫୁଲୁଥିବାରୁ ସହରର ନଦୀକୁଳିଆ ଅଞ୍ଚଳରେ ବନ୍ୟାଭଳି ସ୍ଥିତି ସୃଷ୍ଟି ହୋଇଛି।
Post Views: 534
error: Content is protected !!