ବିପିୟୁଟି ଓ ରାଉରକେଲା ବନଖଣ୍ଡ ମିଳିତ ସହଯୋଗରେ ବିଶ୍ୱ ବ୍ୟାଘ୍ର ଦିବସ ପାଳନ

1 min read
Spread the love

ବ୍ୟାଘ୍ର ଦେଖା ଯାଉଥିବା ଜଙ୍ଗଲଗୁଡ଼ିକ ଭାରତର ପ୍ରାକୃତିକ ଐତିହ୍ୟ ଅଞ୍ଚଳ ଭାବେ ଗଣାଯାଏ। ଏହା ଭାରତ ମାଟିର ଫୁସ୍‌ଫୁସ୍‌ ସଦୃଶ। ଏହାର ଜୈବ ବିବିଧତାର ସୁରକ୍ଷା ସହ କ୍ଷୁଦ୍ରାପି କ୍ଷୁଦ୍ର କୀଟ ପତଙ୍ଗର ସୁରକ୍ଷା ଯୋଗୁଁ ପରାଗ ସଂଗମ, ବୀଜ ବିକ୍ଷେପ, ଖାଦ୍ୟ ଶୃଙ୍ଖଳର ସନ୍ତୁଳନ ବ୍ୟାଘ୍ରର ସଂଖ୍ୟା ବୃଦ୍ଧିରେ ସାହାଯ୍ୟ କରେ। ଏହି ଘଞ୍ଚ ଜଙ୍ଗଲର ସୁରକ୍ଷାରେ ବନ ବିଭାଗ ସହ ବିଭିନ୍ନ ପରିବେଶ ସୁରକ୍ଷା ସମିତି, ବେସରକାରୀ ଅନୁଷ୍ଠାନ ଜନ ସଚେତନତା ସୃଷ୍ଟି କରିବାରେ ମଧ୍ୟ ଅଂଶ ଗ୍ରହଣ କରନ୍ତି । ବର୍ତ୍ତମାନର ପରିବେଶ ସୁରକ୍ଷାର ଦୁଇଟି ମୁଖ୍ୟ ସମସ୍ୟା ବିଶ୍ବ ତାପନ ଓ ଜଳବାଯୁ ପରିବର୍ତ୍ତନକୁ ଏହି ଘଞ୍ଚ ଜଙ୍ଗଲ ବହୁ ଭାବରେ ନିୟନ୍ତ୍ରଣ କରୁଛି। ବାୟୁ ମଣ୍ଡଳରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଁ ଅଙ୍ଗାରକାମ୍ଳ ବାଷ୍ପର ଉପସ୍ଥିତି ଯୋଗୁଁ ଉତ୍ତାପ ବୃଦ୍ଧି ହୁଏ। ବିଶ୍ବ ତାପନ ବୃଦ୍ଧି ସଙ୍ଗେସଙ୍ଗେ ଜଳବାୟୁର ଦ୍ରୁତ ପରିବର୍ତ୍ତନ ଯୋଗୁଁ ଏହା ମୌସୁମୀ ଉପରେ କିପରି ପ୍ରଭାବ ବିସ୍ତାର କରୁଛି ତାହା ଆମେ ଅନୁଭବ କରୁଛେ। ଗଜା ମରୁଡି, ଶସ୍ୟ କ୍ଷେତ୍ରରୁ ଗଛ ଧୋଇଯିବା, ପରିବାର ଅହେତୁକ ଦରବୃଦ୍ଧି ସମସ୍ତଙ୍କୁ ଅତିଷ୍ଠ କରିଛି। ଏହି ବ୍ୟାଘ୍ର ପ୍ରକଳ୍ପମାନଙ୍କର ଘଞ୍ଚ ଅରଣ୍ୟରାଜି ବାୟୁ ମଣ୍ଡଳରୁ ନିୟୁତ ନିୟୁତ ମେଟ୍ରିକ ଟନ ଓଜନର ଅଙ୍ଗାରକାମ୍ଳ ବାଷ୍ପ ସଂଗ୍ରହ କରି ବାୟୁମଣ୍ଡଳର ଉତ୍ତାପ ବହୁ ମାତ୍ରାରେ କମାଇବାରେ ସାହାଯ୍ୟ କରିଥାଏ। ତେଣୁ ସାରା ବିଶ୍ୱରେ ବ୍ୟାଘ୍ରମାନଙ୍କୁ ସୁରକ୍ଷା ଦେବା ଓ ବ୍ୟାଘ୍ର ପ୍ରକଳ୍ପର ପ୍ରସାର ଓ ପ୍ରଚାର ପାଇଁ ପ୍ରତିବର୍ଷ ଜୁଲାଇ ୨୯ ତାରିଖକୁ ବିଶ୍ୱ ବ୍ୟାଘ୍ର ଦିବସ ପାଳନ କରାଯାଇଥାଏ। ଏହି କ୍ରମରେ ରାଉରକେଲାର ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ- ବିପିୟୁଟି ପକ୍ଷରୁ ବିଶ୍ୱବିଦ୍ୟାଳୟ ପରିସରରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ଜଙ୍ଗଲ ବିଭାଗର ଅଧିକାରୀ ଜ୍ଞାନେନ୍ଦ୍ର ଲିମା ଯୋଗଦେଇଥିଲେ।

ଏହି ଅବସରରେ ମୁଖ୍ୟ ଅତିଥିଭାବେ ରାଉରକେଲାରେ ଅବସ୍ଥାପିତ ଆଞ୍ଚଳିକ ବନ ସଂରକ୍ଷକ ଡ ଅରୁଣ କୁମାର ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ ସମ୍ପର୍କରେ ସୂଚନା ଦେଇଥିଲେ। ଏହା ସହିତ ବିପିୟୁଟିର ପାଠ୍ୟକ୍ରମ ବିକାଶର ନିର୍ଦ୍ଦେଶକ ପ୍ରଫେସର ମାନସ ରଞ୍ଜନ ନାୟକ, ଅନ୍ୟତମ ନିର୍ଦ୍ଦେଶକ ପ୍ରଫେସର ଏସ୍‌ ଭି କୁମାର ମିଶ୍ର, ଶିଳ୍ପ ପ୍ରଶିକ୍ଷଣ ଓ ନିଯୁକ୍ତି ବିଭାଗର ନିର୍ଦ୍ଦେଶକ ପ୍ରଫେସର ମନୋଜ କୁମାର ସାହୁ ପ୍ରମୁଖଙ୍କ ସମେତ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସମଗ୍ର ବିଶ୍ୱରେ କାର୍ଯ୍ୟ କରୁଥିବା ବ୍ୟାଘ୍ର ପ୍ରକଳ୍ପ ଓ ଏହାର ଗୁରୁତ୍ୱ ଏବଂ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରାଯାଇଥିଲା।  

Leave a Reply

Your email address will not be published. Required fields are marked *

error: Content is protected !!