Skip to content
ରାଉରକେଲା ସହରର ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟରେ ୨୬ ଏବଂ ୨୭ ତାରିଖ ଦୁଇଦିନ ବ୍ୟାପୀ ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। “ପରିମାଣିକ ଯୋଗ୍ୟତା, ଯୁକ୍ତି ସଙ୍ଗତ ଚିନ୍ତାଧାରା ଏବଂ ସାଧାରଣ ଇଂରାଜୀ” ଶୀର୍ଷକ ବିଷୟରେ ଆଓଜିତ ହୋଇଥିଲା ଏହି କର୍ମଶାଳା। ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ପଦ୍ମଜା ପଟ୍ଟନାୟକ ସ୍ବାଗତ ଅଭିଭାଷଣ ପ୍ରଦାନ ପୂର୍ବକ ଏହି କର୍ମଶାଳାର ଉପଯୋଗୀତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଗଣିତ ବିଭାଗର ମୁଖ୍ୟ ଶ୍ରଦ୍ଧାଞ୍ଜଳି ମିଶ୍ର କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ କହିଥିଲାବେଳେ ଇଂରାଜୀ ବିଭାଗର ମୁଖ୍ୟ ପ୍ରକାଶ ସୁରୀନ୍ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଗଠନରେ ଏହା ସହାୟକ ହେବା ଦିଗ ଉପରେ ଆଲୋକପାତ କରିଥିଲେ। ଅଧ୍ୟାପିକା ପୁନୀତା ଜି.ଲାକ୍ରା ଏହି କର୍ମଶାଳାକୁ ପରିଚାଳନା କରିଥିଲେ। ଏହି କର୍ମଶାଳାରେ ଛାତ୍ରଛାତ୍ରୀମାନଙ୍କୁ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପ୍ରସ୍ତୁତି କରିବା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଦୁଇଦିନର ପ୍ରାୟ ୧୬ ଘଣ୍ଟାର ଏହି ତାଲିମ୍ ମଧ୍ୟରେ ବିଭିନ୍ନ ପରୀକ୍ଷା ନିଆଯାଇଥିଲା। ଏହି କର୍ମଶାଳାରେ ରାଉରକେଲା ସରକାରୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ରଶ୍ମି ରଞ୍ଜନ ରାଉତ, ରିମସ୍’ର ପ୍ରଯୁକ୍ତି ବିଜ୍ଞାନ ଅଧ୍ୟାପକ ବିଭୁଦେନ୍ଦୁ ପଣ୍ଡା, ବଣିକ୍ କୋଚିଙ୍ଗ ସଂସ୍ଥାର ସୁମିତ୍ ସରନ୍, ଦୀପକ ଡାକୁଆ ଓ ପ୍ରଦୋଷକାନ୍ତି ମିଶ୍ର ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ଗଣିତ, ତର୍କ, ଏବଂ ଇଂରାଜୀ ଉପରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଧାରଣା ପ୍ରଦାନ କରିଥିଲେ। ଅତିଥି ଅଧ୍ୟାପିକା ଅଙ୍କିତା ମହାନ୍ତି, କୁମାରୀ ପ୍ରଗତି ପ୍ରଧାନ, ନଳିନୀପ୍ରଭା ନାୟକ ଓ ଚନ୍ଦନ ଗୋସ୍ୱାମୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପିକା ଶ୍ରଦ୍ଧାଞ୍ଜଳି ମିଶ୍ର ଧନ୍ୟବାଦ ପ୍ରସ୍ତାବ ରଖିଥିଲେ। ଏହି କର୍ମଶାଳା ଆସନ୍ତା ଦିନରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନେକ ଆତ୍ମବିଶ୍ବାସ ସୃଷ୍ଟି କରିବ ବୋଲି ଆଶାବ୍ୟକ୍ତ କରିଥିଲେ।
Post Views: 147
error: Content is protected !!