Skip to content
ଭୁବନେଶ୍ୱର ସ୍ଥିତ ଗାନ୍ଧୀ ମାର୍ଗରେ ଭେଟେରାନ୍ସ କ୍ଲବ୍ ଓଡ଼ିଶା, ଭାରତୀୟ ପୂର୍ବ ସେନାନୀ ସଙ୍ଘ ଓ ଭେଟେରାନ୍ସ ଇଣ୍ଡିଆ ପକ୍ଷରୁ ୨୪ତମ କାର୍ଗିଲ ବିଜୟ ଦିବସ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି । ଏହି ଅବସରରେ କାର୍ଗିଲ ଯୁଦ୍ଧରେ ଶହୀଦ ସୈନିକମାନଙ୍କ ଉଦ୍ଦେଶ୍ୟରେ ଦୀପ ପ୍ରଜ୍ବଳନ କରି ଦିବଂଗତ ଆତ୍ମାମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ୧୯୯୯ ରେ ପାକିସ୍ତାନ ସହ ଘଟିଥିବା ଏହି ଯୁଦ୍ଧ ସମୟରେ ଭାରତୀୟ ସେନା ବାହିନୀର ଅଦ୍ଭୁତ ଶୌର୍ଯ୍ୟ, ସାହସ ଓ ପରାକ୍ରମର ସ୍ମୃତି ଚାରଣ ସହ ଅନ୍ତରାଷ୍ଟ୍ରୀୟ ସ୍ତରରେ ସ୍ୱର୍ଗୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ଵର ସ୍ମରଣ କରାଯାଇଥିଲା। ଏହି ବିଜୟ ଉତ୍ସବ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଭେଟେରାନ୍ ବିଦ୍ୟାଧର ନାୟକ ଭାରତର ତତ୍କାଳୀନ ବ୍ୟବସ୍ଥା ଏବଂ ବର୍ତ୍ତମାନର ଅବସ୍ଥା ଉପରେ ଆଲୋକପାତ କରିଥିଲେ। ଭାରତ ସେତେବେଳେ ବୈଷୟିକ ଜ୍ଞାନ କୌଶଳରେ ସେତେ ଉନ୍ନତ ଅବସ୍ଥାରେ ନ ଥିଲେ ମଧ୍ୟ ସୈନିକମାନେ ଯେଉଁ ଅସୀମ ପରାକ୍ରମର ପରାକାଷ୍ଠା ପ୍ରଦର୍ଶନ କରି ଯାଇଛନ୍ତି ତାହା ଅତୁଳନୀୟ । ଯୋଗାଯୋଗ ବ୍ୟବସ୍ଥା ସେତେ ସୁଦୃଢ଼ ନଥିଲେ ବି ସୈନିକମାନେ ରାତିଦିନ କଠୋର ପରିଶ୍ରମ କରି ମୁସକୋହ, ଦ୍ରାସ୍, ବଟାଲିକ୍, ଟାଇଗର ହିଲ୍ ଆଦି ଅଞ୍ଚଳରେ ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରି ପ୍ରତ୍ୟେକ ଭାରତୀୟଙ୍କ ମଥାକୁ ଯେଭଳି ଉଚ୍ଚ କରି ଦେଇଥିଲେ ତାହା ସ୍ମରଣୀୟ । ୨୪ ବର୍ଷ ପରେ ଆଜି ଦିନରେ ଭାରତ ସବୁ ଦୃଷ୍ଟିରେ ପାକିସ୍ତାନଠାରୁ ଅନେକ ଆଗରେ। ଭାରତ ଏକ ଅନ୍ତରାଷ୍ଟ୍ରୀୟ ମହାଶକ୍ତି ରୂପେ ପରିଗଣିତ ହେଉଥିଲା ବେଳେ ଆର୍ଥିକ ଦୃଷ୍ଟିରୁ ପୃଥିବୀର ପଞ୍ଚମ ମହାଶକ୍ତି । ଅନ୍ୟ ପକ୍ଷରେ ପାକିସ୍ତାନ ଏକ ଆତଙ୍କବାଦୀ ରାଷ୍ଟ୍ର ରୂପେ ପରିଗଣିତ ଗୋଟିଏ ବିଶୃଙ୍ଖଳିତ ଓ ବିଫଳ ଦେଶ ଭାବରେ ଅପଦସ୍ତ । ଭାରତ ସରକାରଙ୍କ ତରଫରୁ ଦେଶରେ ରହିଥିବା ବିଷମତାପୂର୍ଣ୍ଣ ଆଇନ୍ କାନୁନ୍ ବ୍ୟବସ୍ଥାକୁ ଠିକ୍ କରିବା ପାଇଁ ଏକକ ନାଗରିକ ଆଇନ୍ ବ୍ୟବସ୍ଥା ପାଇଁ ଯେଉଁ ପଦକ୍ଷେପ ନିଆ ଯାଇଛି ସେଥିରେ ସମସ୍ତ ନାଗରିକ ସହଯୋଗ କରିବା ନିତାନ୍ତ ଆବଶ୍ୟକ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରୁପ୍ କ୍ୟାପଟେନ ଜଗଦାନନ୍ଦ ବ୍ରହ୍ମା , ଭେଟେରାନ୍ ଅରୁଣ କୁମାର ମହାନ୍ତି, କମାଣ୍ଡୋ ରବୀନ୍ଦ୍ର କୁମାର ସାହୁ (ମାର୍କୋସ୍), ସମରେନ୍ଦ୍ର ପରିଜା, ହର ପ୍ରସାଦ ଦୋରା, ଦୀନବନ୍ଧୁ ଷଡ଼ଙ୍ଗୀ, ଗୋପୀନାଥ ମିଶ୍ର, ଅଜୟ କୁମାର ନାୟକ, ବିମଳ ପ୍ରସାଦ ବାରିକ୍, ରମେଶ ଚନ୍ଦ୍ର ଲେଙ୍କା, ଜାହ୍ନବୀ ବଲ୍ଲଭ ପଟ୍ଟନାୟକ, କାଳୀ ପ୍ରସାଦ ମିଶ୍ର, କ୍ୟାପଟେନ ମନ୍ମଥ କୁମାର ସିଂହ, ମହେଶ୍ୱର ଦୀକ୍ଷିତ, ଅନ୍ତର୍ଯ୍ୟାମୀ ଦାଶ, ମନୋଜ କୁମାର ସେନାପତି, ମୃତ୍ୟୁଞ୍ଜୟ ମହାପାତ୍ର, ବିଭୁ ପ୍ରସାଦ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।
Post Views: 206
error: Content is protected !!