ରାଉରକେଲା ସହରରେ ବେପରୁଆ ଫଳ ଠେଲା ଦୋକାନୀ : ପ୍ରଶାସନ ଓ ପୋଲିସ ସହିତ ଲୁଚକାଳି ଖେଳ
1 min read
ଇସ୍ପାତ ସହର ତଥା ସ୍ମାର୍ଟ ସହର ରାଉରକେଲାରେ ଗତ ପ୍ରାୟ ୪୦ବର୍ଷରୁ ଅଧିକ ଧରି ଠେଲାରେ ଫଳ ବେପାର କରୁଛନ୍ତି ଅନେକ ଦୋକାନୀ। ଏମାନଙ୍କ ମଧ୍ୟରୁ ଅଧିକାଂଶ ମୁଳତଃ ବିହାର ରାଜ୍ୟର କିମ୍ବା ଝାଡ଼ଖଣ୍ଡ ରାଜ୍ୟର। ଏହି ଦୋକାନୀମାନେ ମୁଖ୍ୟତଃ ବିଶ୍ରା ଛକ ଅଞ୍ଚଳରେ ଠେଲା ଲଗାଇ ଅନେକ ବର୍ଷ ଧରି ବ୍ୟବସାୟ କରିଆସୁଛନ୍ତି। ଗତ କିଛିବର୍ଷ ପୂର୍ବେ ଏହି ବ୍ୟବସାୟୀମାନଙ୍କୁ ବ୍ୟବସ୍ଥିତ ଢଙ୍ଗରେ ବ୍ୟବସାୟ କରିବା ପାଇଁ ସେତେବେଳର ବିସ୍ରାଛକ ନିକଟସ୍ଥ ବିସ୍ରା ମଇଦାନରେ ବ୍ୟବସ୍ଥା କରାଯାଇଥିଲା।

ପରବର୍ତ୍ତୀ ସମୟରେ ସେଠାରେ ବିଶ୍ରା ମୁଣ୍ଡା ଷ୍ଟାଡିୟମ୍ ନିର୍ମାଣ ଆରମ୍ଭ ପରେ ସେମାନଙ୍କ ନିମନ୍ତେ ନିକଟରେ ଥିବା ବନ୍ଧମୁଣ୍ଡା ରାସ୍ତାରେ ସ୍ୱତନ୍ତ୍ର କ୍ୟାବିନ ନିର୍ମାଣ ସହିତ ଭେଣ୍ଡିଙ୍ଗ ଜୋନ୍ ମାଧ୍ୟମରେ ଥଇଥାନ କରାଯାଇଥିଲା। ଏହା ସତ୍ତ୍ୱେ ସୁଦ୍ଧା ଶତାଧିକ ଫଳ ବିକ୍ରେତା ଠେଲାରେ ସହରର ବିଶ୍ରା ଛକ ନିକଟସ୍ଥ ଟ୍ରାଫିକ ଗେଟ୍ ରାସ୍ତା, ବସ୍ ଷ୍ଟାଣ୍ଡ ରାସ୍ତା ଓ ରିଙ୍ଗ୍ରୋଡ୍ କଡ଼ରେ ବେପାର କରିବାରେ ଲାଗିଛନ୍ତି। ଦିନକୁ ଦିନ ଏମାନଙ୍କ ସଂଖ୍ୟା ବୃଦ୍ଧି ମଧ୍ୟ ହେଉଛି।

ବିଭିନ୍ନ ସମୟରେ ଏହି ଠେଲା ବେପାରୀମାନଙ୍କ ଦ୍ୱାରା ଦୁର୍ଘଟଣା ସହିତ ରାସ୍ତାରେ ଯାତାୟତ ମଧ୍ୟ ସମସ୍ୟା ଦେଖାଦେଉଛି। ଏହି କ୍ରମରେ ଗତ କିଛିବର୍ଷ ମଧ୍ୟରେ ପୋଲିସ, ପ୍ରଶାସନ ଓ ଆର୍ଏସପି ସହର ସେବା ବିଭାଗ ପକ୍ଷରୁ ଅନେକ ଥର ଏହି ଦୋକାନୀମାନଙ୍କର ଅନଧିକୃତ ଅତିକ୍ରମଣ ଉଚ୍ଛେଦ କରାଯାଇଛି। ଏହିଭଳି ଉଚ୍ଛେଦ ପ୍ରକ୍ରିୟା ସୋମବାର ଦିନ ପୋଲିସ ଓ ଟ୍ରାଫିକ ପୋଲିସ ଏବଂ ଆର୍ଏସପି ସହଯୋଗରେ ହୋଇଛି। ଏସବୁ ସତ୍ତ୍ୱେ ଠେଲା ବ୍ୟାପାରୀମାନଙ୍କର ଅନଧୀକୃତ ଅତିକ୍ରମଣ ଓ ଦାଦାଗିରି କମିବା ବଦଳରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି।

ତେଣୁ ସ୍ମାର୍ଟ ସିଟିକୁ ସ୍ମାର୍ଟ କରିବା ଏବଂ ରାସ୍ତାରୁ ଅନଧିକୃତ ଅତିକ୍ରମଣକୁ ସ୍ଥାୟୀଭାବେ ହଟାଇବା ନିମନ୍ତେ ରାଉରକେଲା ପୋଲିସ, ମହାନଗର ନିଗମ, ପ୍ରଶାସନ ଏବଂ ଆରଏସ୍ପି ସହର ସେବା ବିଭାଗର ମିଳିତ ଓ ବ୍ୟବସ୍ଥିତ କାର୍ଯ୍ୟକ୍ରମ ଗ୍ରହଣ କରିବା ନିମନ୍ତେ ଦାବି ହେଉଛି। ଏହା ନହେଲେ ସହରର କେନ୍ଦ୍ରସ୍ଥଳି କୁହାଯାଉଥିବା ବିଶ୍ରା ଛକ ଅଞ୍ଚଳର ସ୍ଥିତି ଏବଂ ଏହା ସହିତ ବିଶ୍ରାମୁଣ୍ଡା ଷ୍ଟାଡିୟମ୍ର ସ୍ଥିତି ଅତି ଖରାପ ହେବ ବୋଲି ଆଶଙ୍କା ଦେଖାଦେଇଛି।