ସୁନ୍ଦରଗଡ଼ର ଅବଦୁଲ ସମିମ ହେଲେ ବାଲେଶ୍ବର ଅତିରିକ୍ତ ଜିଲ୍ଲା ଜଜ୍
1 min read
ସୁନ୍ଦରଗଡ଼ ଜ଼ିଲ୍ଲା ସଦରରେ କାର୍ଯ୍ୟରତ ସରକାରୀ ଓକିଲ ବା ପବ୍ଲିକ ପ୍ରସିକ୍ୟୁଟର ଅବଦୁଲ ସମିମ ଅଖତର ବାଲେଶ୍ବର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଭାବେ ନିଯୁକ୍ତି ପାଇଛନ୍ତି। ଓଡ଼ିଶା ଉଚ୍ଚନ୍ୟାୟାଳୟ ଜୁଲାଇ ୧୭ରେ ଏ ସମ୍ପର୍କିତ ନିଯୁକ୍ତିନାମା ପ୍ରକାଶ କରିଛନ୍ତି। ଅବଦୁଲ ସମିମ ଗତ ମାର୍ଚ୍ଚରେ ଅନୁଷ୍ଠିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୮୨ରେ ଭୁବନେଶ୍ବର ପଟିଆ ନିକଟ ନନ୍ଦନବିହାରରେ ଜନ୍ମଗ୍ରହଣ କରିଥିଲେ ସେ। ୨୦୦୬ରେ ଏଲଏଲବିରେ କୃତକାର୍ଯ୍ୟ ହେବା ପରେ କଟକ ଓକିଲ ସଂଘର ଜଣେ ସଦସ୍ୟଭାବେ ଆଇନଜୀବୀ ବୃତ୍ତିକୁ ଆପଣେଇଥିଲେ। ୨୦୧୯ ଜୁଲାଇ ୨୯ରେ ସେ ସରକାରୀ ଆଇନଜୀବୀ ପରୀକ୍ଷାରେ ଟପ୍ ହୋଇ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ କରି ସରକାରୀ ଓକିଲ ଭାବେ ଯୋଗ ଦେଇଥିଲେ। ଏବେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଭାବେ ନିଯୁକ୍ତି ପରେ ତାଙ୍କ ସଫଳତାକୁ ନେଇ ସୁନ୍ଦରଗଡ଼ ଜ଼ିଲ୍ଲା ଆଇନଜୀବୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି। ଏହି ଅବସରରେ ସେମାନେ ଜଜ୍ ସମିମ ଅଖତରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।