ରାଉରକେଲା ଜିଲ୍ଲା କର୍ମନିୟୋଜନ ସଂସ୍ଥାନ ଦ୍ବାରା ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ
1 min read
ରାଉରକେଲା ସ୍ଥିତ ଜିଲ୍ଲା କର୍ମନିୟୋଜନ ସଂସ୍ଥାନ ପକ୍ଷରୁ ଉଦିତନଗର ସ୍ଥିତ କାର୍ଯ୍ୟାଳୟରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ ପାଳିତ ହୋଇଯାଇଅଛି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଯୁବ ପ୍ରତିଭାମାନେ ଭିନ୍ନ ଭିନ୍ନ କୃତିତ୍ୱ ପ୍ରଦର୍ଶନ କରିଥିଲେ। ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଯଥା: କୁଇଜ୍, ତର୍କବିତର୍କ, ରଙ୍ଗୋଲୀ ଓ ଚିତ୍ରକଳା ଆଦି ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବର୍ଗର ପ୍ରତିଯୋଗୀମାନେ ଭାଗ ନେଇଥିଲେ। ରାଉରକେଲା ସ୍ଥିତ ଜିଲ୍ଲା କର୍ମ ନିୟୋଜନ ସଂସ୍ଥାନ ପକ୍ଷରୁ ଯୁବବର୍ଗଙ୍କୁ ଉତ୍ସାହିତ କରିବା ନିମନ୍ୟେ ବିଶେଷ କରି ସେମାନଙ୍କ ଦକ୍ଷତାକୁ ମାନ୍ୟତା ଦେବା ସହିତ ପ୍ରେରଣା ଦେବା ନିମନ୍ତେ ଏହିସବୁ ପ୍ରତିଯୋଗିତାର ଆୟୋଜନ ହୋଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବରେ ରାଉରକେଲା ଯୁଗ୍ମ ଶ୍ରମ ଆୟୁକ୍ତ ପ୍ରଣବ କୁମାର ଜେନା, ସମ୍ମାନୀତ ଅତିଥି ଭାବରେ ରାଉରକେଲା ୟୁଜିଆଇର ଅଧ୍ୟକ୍ଷା ଶ୍ରୀମତୀ ପ୍ରଗତୀ ଦାସ, ଜିଲ୍ଲା ନିଯୁକ୍ତି ଅଧିକାରୀ ଜ୍ୟୋତିପ୍ରକାଶ ସେଠି ଏବଂ ରମେଶ ଚନ୍ଦ୍ର କିଶାନ ପ୍ରମୁଖ ଉଦ୍ବୋଧନ ଦେଇଥିଲେ। ଏହି ଉଦ୍ବୋଧନରେ ବିଭିନ୍ନ ବର୍ଗର ଯୁବକମାନେ ପାଠ ସହିତ ସେମାନଙ୍କ ମଧ୍ୟରେ ଥିବା ସୃଜନଶୀଳ ଶକ୍ତି ଏବଂ ଦକ୍ଷତାର ବିକାଶ ନିମନ୍ତେ ମିଳୁଥିବା ସରକାରୀ ସୁବିଧା ଓ ସହଯୋଗ ଗ୍ରହଣ କରିବା ନିମନ୍ତେ ଆହ୍ୱାନ ଦିଆଯାଇଥିଲା। ସମ୍ପ୍ରତି ଡିଜିଟାଲ୍ ଯୁଗରେ ଡିଜିଟାଲ୍ ବ୍ୟବସ୍ଥା ଉପଯୋଗ କରି କୌଣସି ବ୍ୟକ୍ତି ନିଜର ଦକ୍ଷତାର ବିକାଶ ଓ ପ୍ରସାର କରିବା ସହଜ ହୋଇଛି। ତେଣୁ ଏହାର ଲାଭ ଉଠାଇବାପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ।

ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ମଧୁସ୍ମିତା ପ୍ରିୟଦର୍ଶିନୀ, ଅବିନାଶ ପାଣିଗ୍ରାହୀ, ପୁଷ୍ପାଞ୍ଜଳୀ ଦାସ ଓ ସମୀକ୍ଷା ପାଣି ଏବଂ ନମିତା ମାଝି ପ୍ରମୁଖ ପରିଚାଳନା କରିଥିଲେ। ଚଳିତ ବର୍ଷ ଦିବସ ପାଳନର ଥିମ୍ ବା ଉଦ୍ଦେଶ୍ୟ ସମ୍ପର୍କରେ ଏହି ଅବସରରେ ଆଲୋଚନା ହୋଇଥିଲା। ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଅତିଥିମାନେ ବୃକ୍ଷରୋପଣ କରିଥିଲେ।