ସଡ଼କ ଦୁର୍ଘଟଣା ଜନିତ ଆପ୍ଲିକେସନ ସମ୍ପର୍କୀତ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜିତ
1 min read
କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶରେ ହେଉଥିବା ସଡ଼କ ସୁର୍ଘଟଣା ସମ୍ପର୍କରେ ସଠିକ ଓ ସବିଶେଷ ତଥ୍ୟ ପରିଚାଳନା ନିମନ୍ତେ ଦୁଇଟି ନୁତନ ମୋବାଇଲ ଆପ୍ ବା ଆପ୍ଲିକେସନ ବିକଶିତ ହୋଇଛି। ଆଇଆଇଟି ମାଡ୍ରାସ ପକ୍ଷରୁ ବିକସିତ ଏହି ଆପ୍ ମାଧ୍ୟମରେ ସଡ଼କ ଦୁର୍ଘଟଣା ସମ୍ପର୍କୀତ ସମସ୍ତ ତଥ୍ୟ ଓ ସୂଚନା ସହଜ ଓ ସୁବିଧାରେ ପଞ୍ଜୀକରଣ କରିବାର ବ୍ୟବସ୍ଥ ହୋଇଛି। ଏହି କ୍ରମରେ ଦୁଇଟିଯାକ ଆପ୍ ସମ୍ପର୍କରେ ପ୍ରଶିକ୍ଷଣ ଦେବା ନିମନ୍ତେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଉରକେଲାରେ ଆୟୋଜିତ ହୋଇଛି ଦୁଇଦିନିଆ ପ୍ରଶିକ୍ଷଣ ଶିବିର। ଜୁଲାଇ ୧୩ ଓ ୧୪ ତାରିଖ ଦୁଇଦିନଧରି ସ୍ଥାନୀୟ ଆଇଟିଡିଏ ସମ୍ମିଲନୀ କକ୍ଷରେ ହୋଇଥିବା ଏହି ଶିବିର ମାଧ୍ୟମରେ ପଶ୍ଚିମାଞ୍ଚଳ ପୋଲିସ ରେଞ୍ଜ୍ର ରାଉରକେଲା ଓ ସୁନ୍ଦରଗଡ଼ ଜିଲ୍ଲାର ପୋଲିସ ଅଧିକାରୀମାନଙ୍କ ପାଇଁ ୧୩ ତାରିଖ ଓ କେଉଁଝର ଜିଲ୍ଲାର ପୋଲିସ ଅଧିକାରୀଙ୍କ ପାଇଁ ୧୪ ତାରିଖ ଦିନ ପ୍ରଶିକ୍ଷଣ ଦିଆଯାଇଥିଲା।

ସୂଚନା ମୁତାବକ ବିକଶିତ ହୋଇଥିବା ଦୁଇଟି ନୂତନ ଆପ୍ ହେଉଛି ସମନ୍ୱିତ ସଡ଼କ ଦୁର୍ଘଟଣା ତଥ୍ୟସୂଚୀ-ଆଇଆର୍ଏଡି ଏବଂ ବୈଦ୍ୟୁତିକ ସବିବେଶ ଦୁର୍ଘଟଣା ରିପୋର୍ଟ – ଇଡିଏଆର୍। ପ୍ରଥମ ଆପ୍ଟିରେ ରାଜ୍ୟ ପରିବହନ ବିଭାଗ, ଜାତୀୟ ରାଜପଥ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସ ବିଭାଗର ସମନ୍ୱୟରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ଆପ୍ ମାଧ୍ୟମରେ କୌଣସୋ ଦୁର୍ଘଟଣ ଘଟିବା ପରେ ଏହି ଆପ୍ ମାଧ୍ୟମରେ ପୋଲିସ ଅଧିକାରୀ କିମ୍ବା ଦୁର୍ଘଟଣା ତଦନ୍ତ କରୁଥିବା ଭାରପ୍ରାପ୍ତ ପୋଲିସ ଅଧିକାରୀ ସମସ୍ତ ଆବଶ୍ୟକୀୟ ତଥ୍ୟ ପଞ୍ଜୀକରଣ ମୋବାଇଲ ମାଧ୍ୟମରେ କରିବେ। ଏହା ସହିତ ଏହି ତଥ୍ୟ ଡେସ୍କଟପ୍, ଲ୍ୟାପ୍ଟପ୍ ନା ଟ୍ୟାବ୍ ମାଧ୍ୟମରେ ମଧ୍ୟ ପଞ୍ଜୀକରଣ କରାଯାଇପାରିବ। ସେହିଭଳି ଦ୍ୱିତୀୟ ଆପ୍ରେ ମୁଖ୍ୟତଃ ଦୁର୍ଘଟଣା ପରେ ଦୁର୍ଘଟଣା ଜନିତ ବୀମା କମ୍ପାନୀ ବା ଅନ୍ୟାନ୍ୟ ବିଭାଗର କ୍ଷତିପୂରଣ ସମ୍ପର୍କୀତ ତଥ୍ୟ ପଞ୍ଜୀକୃତ ହେବ। ପ୍ରଥମ ଆପ୍ ସହିତ ଦ୍ୱିତୀୟ ଆପ୍ ଅଙ୍ଗାଙ୍ଗୀଭାବେ ଜଡ଼ିତ। ଏହି ଦୁଇଟି ଆପ୍ ମାଧ୍ୟମରେ ବୈଦ୍ୟୁତିକ ବା ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ଦୁର୍ଘଟଣାର ଦିନ ଓ ସମୟ, ଦୁର୍ଘଟଣର ସାମ୍ଭାବ୍ୟ କାରଣ, ସ୍ଥାନ ଓ ଏ ସମ୍ପର୍କୀୟ ନକ୍ସା ସହିତ ଦୁର୍ଘଟଣା ପରେ ଏ ନେଇ ହେବାକୁ ଥିବା ସାମ୍ଭାବ୍ୟ ବୀମା ଓ ଏ ନେଇକ୍ଷତିପୂରଣ ଜନିତ ବିବରଣୀ ଆଦି ସବିଶେଷ ତଥ୍ୟ ଓ ସୂଚନା ରହିବ।

ଏହାଦ୍ୱାରା ସଡ଼କ ସୁରକ୍ଷା ପରିଚାଳନା, ଦୁର୍ଘଟଣାର କାରଣ ଓ ନିରାକରଣ ତଥା ଏ ସମ୍ପର୍କୀତ ଆବଶ୍ୟକ ତଥ୍ୟସୂଚୀ ବା ଡାଟାବେସ୍ ଗୋଟିଏ ବ୍ୟବସ୍ଥା ମାଧ୍ୟମରେ ପରିଚାଳନା କରାଯାଇପାରିବ। ଏହାଫଳରେ ସମୟ ବଞ୍ଚିବା ସହିତ ଦୁର୍ଘଟଣା ଜନିତ ତଦନ୍ତ ଓ ଅନ୍ୟାନ୍ୟ ମାମଲାର ତ୍ୱରିତ କାର୍ଯ୍ୟାନୁଷ୍ଠାନ ହୋଇପାରିବ ବୋଲି ସୂଚନା ଦିଆଯାଇଛି।

ଏହି ପ୍ରଶିକ୍ଷଣ କାର୍ଯ୍ୟକୁ ଆପ୍ ପରିଚାଳନା ସମ୍ପର୍କୀତ ଜିଲ୍ଲା ପରିଚାଳନା ଅଧିକାରୀ ନୟନ କିଶୋର ପାଣିଗ୍ରାହୀ ଓ ଜାତୀୟ ସୂଚନା କେନ୍ଦ୍ର ବା ଏନ୍ଆଇସିର ସୁନ୍ଦରଗଡ଼ ଜିଲ୍ଲା କାର୍ଯ୍ୟାଳୟର ପ୍ରତିନିଧି ଧନେଶ ରଞ୍ଜନ ନାୟକ ଏବଂ ଅନ୍ୟମାନେ ପରିଚାଳନା ଓ ସଞ୍ଚାଳନ କରିଥିଲେ। ଆସନ୍ତା କିଛି ବର୍ଷ ପାଇଁ ଏହି ଦୁଇଟି ଆପ୍ର ବିକାଶ, ପରିଚାଳନା ଓ ବେଷୟିକ ସହାୟତା ଆଇଆଇଟି ମାଡ୍ରାସ କରିବ ବୋଲି ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ରାଉରକେଲା ପରିବହନ ବିଭାଗର ଅଧିକାରୀଙ୍କ ସହ ସ୍ଥାନୀୟ ଆଞ୍ଚଳିକ ପରିବହନ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ରିପୋର୍ଟ-ଅନନ୍ତ ପଟ୍ଟନାୟକ,ରାଉରକେଲା